ଗୋସ୍ୱାମୀଙ୍କ ୧୮୯, ୟୁପି ଆଗୁଆ 

ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଚାଲିଥିବା ୨୩ ବର୍ଷରୁ କମ୍‌ ଅନ୍ତଃରାଜ୍ୟ ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌ରେ ଉତ୍ତର ପ୍ରଦେଶ ପ୍ରଥମ ପାଳି ଆଗୁଆ ହେବା ସହ ବଡ଼ ସ୍କୋର ଅଭିମୁଖେ ଆଗେଇଛି। ଓଡ଼ିଶାର ପ୍ରଥମ ପାଳି ସ୍କୋର ୨୨୭ ରନ୍‌ ଜବାବରେ ଅତିଥି ଦଳ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଅସମାପ୍ତ ପ୍ରଥମ ପାଳିରେ ୬ ଓ୍ଵିକେଟ୍‌ ହରାଇ ୩୨୫ ରନ୍‌ ସଂଗ୍ରହ କରି ନେଇଛି। ୟୁପି ଦଳର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଅଭିଷେକ ଗୋସ୍ୱାମୀ ୧୮୯ ରନ୍‌ର ବିଶାଳ ପାଳି ଖେଳିଛନ୍ତି। ଏହାଛଡ଼ା ମଧ୍ୟଭାଗରେ ବବି ଯାଦବଙ୍କ ଅର୍ଧଶତକ ବଳରେ ଦଳ ୪ ଓ୍ଵିକେଟ୍‌ ହାତରେ ଥାଇ ୯୮ ରନ୍‌ରେ ଆଗୁଆ ହୋଇଛି। ସ୍ଥାନୀୟ ତାରକା ଦେବବ୍ରତ ପ୍ରଧାନ ଏବଂ ସ୍ପିନର୍‌ ପପ୍ପୁ ଯାଦବଙ୍କ ବ୍ୟତୀତ ଅନ୍ୟ ଓଡ଼ିଶା ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି।

ଶୁକ୍ରବାର ସକାଳେ ପ୍ରଥମ ଦିନର ସ୍କୋର ୨୨୩/୯ରେ ଆଉ ମାତ୍ର ୪ ରନ୍‌ ଯୋଡ଼ିବା ପରେ ଓଡ଼ିଶା ପାଳି ଶେଷ ହୋଇଥିଲା। ପୂର୍ବ ଦିନ ୪୭ ରନ୍‌ରେ ଅପରାଜିତ ଥିବା ସର୍ବେଶ୍ୱର ମହାନ୍ତି ସେହି ସ୍କୋରରେ ଆଉଟ୍‌ ହୋଇ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ପପ୍ପୁ ରାୟ ୫ ରନ୍‌ରେ ଅପରାଜିତ ରହିଥିଲେ। ୟୁପିର ଆରମ୍ଭ ବି ଭଲ ହୋଇ ନଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମାଧବ କୌଶିକ (୪)ଙ୍କୁ ଦେବବ୍ରତ ପ୍ୟାଭିଲିୟନ୍‌ ଫେରାଇ ଦେଇଥିଲେ। ତେବେ ଅନ୍ୟ ଓପନର୍‌ ଅଭିଷେକ ଗୋସ୍ୱାମୀ ପରବର୍ତୀ ଦୁଇ ବ୍ୟାଟ୍‌ସମ୍ୟାନ୍‌ ଶୁଭମ ଚୌବେ (୩୫) ଏବଂ ବବି ଯାଦବ (୫୧)ଙ୍କ ସହ ଦୁଇଟି ଭଲ ଭାଗୀଦାରି କରି ଚା’ ବିରତି ସୁଦ୍ଧା ଦଳର ସ୍କୋର ୨୩୭/୨ରେ ପହଞ୍ଚାଇ ଅତିଥି ଦଳକୁ ପାଳି ଆଗୁଆ କରିଥିଲେ। ଦିନର ଶେଷ ଅଧିବେଶନରେ ୟୁପି ଦଳ ୪ଟି ଓ୍ଵିକେଟ୍‌ ହରାଇଥିଲେ ବି ମ୍ୟାଚ୍‌କୁ ନିଜ କବ୍‌ଜାରେ ନେଇ ସାରିଥିଲା। ଅଭିଷେକ ଗୋସ୍ୱାମୀ ୩୩୭ ମିନିଟ୍‌ ବ୍ୟାଟିଂ କରି ୨୩୫ ବଲ୍‌ରୁ ୨୬ ଚୌକା ଓ ୩ ଛକା ବଳରେ ୧୮୯ ରନ୍‌ କରି ଆଉଟ୍‌ ହୋଇଥିଲେ। ଦିନର ଖେଳ ଶେଷ ବେଳକୁ ଓ୍ଵିକେଟ୍‌ ରକ୍ଷକ ସାହିମ ହସନ୍‌ (୧୫*) ଏବଂ ସାନୁ ସଇନି (୭*) ବ୍ୟାଟିଂ କରୁଥିଲେ। ଓଡ଼ିଶା ପକ୍ଷରୁ ବାମହାତୀ ସ୍ପିନର୍‌ ପପ୍ପୁ ରାୟ (୧୯-୧-୬୮-୩ ଓ୍ଵିକେଟ୍‌), ଦେବବତ୍ର ପ୍ରଧାନ (୨୧-୪-୫୯-୨) ଏବଂ ଆଶୁତୋଷ ଦାସ (୯-୨-୨୭-୧)ଙ୍କୁ ସଫଳତା ମିଳିଥିଲା।

ସମ୍ବନ୍ଧିତ ଖବର