ଭୁବନେଶ୍ବର: ଆନ୍ତର୍ଜାତିକ ଫୁଟ୍‌ବଲ୍‌ରୁ ଅବସର ଘୋଷଣା ପରେ ଘରୋଇ ପ୍ରତିଯୋଗିତାରେ ଖେଳିବା ଜାରି ରଖିବେ। ସବୁପ୍ରକାରର ଫୁଟ୍‌ବଲ୍‌ରୁ ଅବସର ପରେ ସେ ବିଶ୍ରାମ କରିବାକୁ ଚାହାନ୍ତି ବୋଲି କହିଛନ୍ତି ଭାରତୀୟ ଫୁଟ୍‌ବଲ୍‌ର ସର୍ବକାଳୀନ ଶ୍ରେଷ୍ଠ (ଗୋଟ୍‌) ଖେଳାଳି ସୁନୀଲ ଛେତ୍ରୀ। ଜୁନ୍‌ ୬ ତାରିଖରେ ‌ଶେଷ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବେ ବୋଲି ଗୁରୁବାର ଘୋଷଣା କରିବା ପରେ ତାଙ୍କ ଭବିଷ୍ୟତ ଯୋଜନା ଉପରେ ଚିତ୍ର ଅସ୍ପଷ୍ଟ ଥିଲା। କିନ୍ତୁ ଭୁବନେଶ୍ବରରେ ଚାଲିଥିବା ଭାରତୀୟ ଦଳର ଅଭ୍ୟାସ ଶିବିରରେ ସେ ଏକ ଅନ୍‌ଲାଇନ୍‌ ସାକ୍ଷାତକାର ଦେବା ବେଳେ ନିଜ ଭବିଷ୍ୟତ ଯୋଜନା ସଂକ୍ରାନ୍ତରେ କହିଛନ୍ତି।

Advertisment

ଆଗକୁ ଜୁନ୍‌ ୬ରେ ସେ ଅବସର ନେବି। ୭ ତାରିଖ ଦିନସାରା ଟିକେ କାନ୍ଦିବାକୁ ସମୟ ବାହାର କରିବି। ୮ ତାରିଖରେ ଆଶ୍ବସ୍ତ ହେବା ପରେ କିଛି ଦିନ ବିରତି ନେଇ ପରିବାର ସହ ସମୟ କାଟିବି ବୋଲି ଛେତ୍ରୀ କହିଛନ୍ତି। କିନ୍ତୁ ଅବସର ନେବା ପରେ ପ୍ରଶିକ୍ଷଣକୁ ନେଇ କ୍ୟାରିୟର କରିବେ କି ନାହିଁ ପ୍ରଶ୍ନରେ ସେ ଏଥିପାଇଁ ମନା କରି ନଥିଲେ। ବିଶ୍ରାମ ସମୟରେ ଏହା ଉପରେ ଅଧିକ ଚିନ୍ତା କରିବେ। କିନ୍ତୁ ବର୍ତ୍ତମାନ ପାଇଁ ଏହା ଉପରେ କିଛି ଭାବି ନଥିବା କହିଛନ୍ତି। ‌ତେବେ କ୍ଲବ୍‌ ଫୁଟ୍‌ବଲ୍‌ ପାଇଁ ଗୋଟିଏ ବର୍ଷ ବେଙ୍ଗାଲୁରୁ ଏଫ୍‌ସି ପାଇଁ ଖେଳିବା ଜାରି ରଖିବେ। କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଘରୋଇ ଫୁଟ୍‌ବଲ୍‌ରେ ଖେଳିବେ ତାହା ଜାଣିନାହାନ୍ତି। ତେବେ ଘରୋଇ ଫୁଟ୍‌ବଲ୍‌ରୁ ବିଦାୟ ନେବା ପରେ ବିଶ୍ରାମ ନେବାକୁ ଇଚ୍ଛା ରଖିଥିବା ସେ କହିଛନ୍ତି।

ଛେତ୍ରୀ କହିଛନ୍ତି, ‘‘କୌଣସି ଶାରୀରିକ ସମସ୍ୟା ଦୃଷ୍ଟିରୁ ଅବସର ‌ନିଷ୍ପତ୍ତି ନେଇନାହିଁ।, ଏବେ‌ବି ସଂପୂର୍ଣ୍ଣ ଭାବେ ଫିଟ୍‌ ଅଛି। ଦୌଡ଼ିବା, ପିଛା କରିବା, ଡିଫେଣ୍ଡ କରିବା ଭଳି କଠିନ ପରିଶ୍ରମ ଆଦୌ କଷ୍ଟକର ନୁହେଁ। କିନ୍ତୁ ମାନସିକ ଦିଗକୁ ବିଚାର କରି ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଥିଲି। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ନିଜେ ନିଜ ସହ ସଂଘର୍ଷ କରୁଥିଲି। ସବୁଆଡୁ ଚିନ୍ତା କରିବା ପରେ ମୋ ଅନ୍ତରାତ୍ମାରୁ ଖେଳ ଛାଡ଼ିବା ପାଇଁ ପ୍ରକୃଷ୍ଟ ସମୟ ଆସିଯାଇଥିବା ଅନୁଭବ କରିଥିଲି। ତଥାପି ସମୟ ନେଇଥିଲି। ନିଷ୍ପତ୍ତି ନେବା ଆଦୌ ସହଜ ନଥିଲା। କିନ୍ତୁ ଏବେ ମୋ ନିଷ୍ପତ୍ତିକୁ ନେଇ ଶାନ୍ତିରେ ଅଛି। ‌ଯେତିକି ଆଶା କରିଥିଲି ତାହାଠୁ ଅଧିକ ପାଇଛି’’। ଅବସର ନେଉଥିବା ବିଷୟରେ ପ୍ରଶିକ୍ଷକ ଇଗୋର ‌ଷ୍ଟିମାକ୍‌ଙ୍କୁ ଜଣାଇଥିଲି ଓ ସେ ଏହାକୁ ସମର୍ଥନ କରିଥିଲେ। ପରେ ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ। ଛେତ୍ରୀ କହିଛନ୍ତି, ‘‘ବିରାଟ ଓ ମୁଁ ବହୁତ ଘନିଷ୍ଠ। ଅବସର ନିଷ୍ପତ୍ତି ପୂର୍ବରୁ ତାଙ୍କ ସହ କଥା ହୋଇଥିଲି। କାରଣ ଆମେ ପରସ୍ପରକୁ ଭଲଭାବେ ବୁଝିଛୁ ଓ ଜାଣିଛୁ। ତେଣୁ ସବୁବେଳେ ଆମେ ପରସ୍ପର ସହିତ ବିଭିନ୍ନ ବିଷୟରେ ଆଲୋଚନା କରୁଥିବାରୁ ଆମର ନିବିଡ଼ତା ରହିଛି’’।