୮ ବର୍ଷରେ ଥରଟିଏ ବି ଟ୍ରଫି ଜିତି ପାରିନାହାନ୍ତି, ଅଧିନାୟକତ୍ୱ ଛାଡିଦିଅନ୍ତୁ ବିରାଟ : ଗମ୍ଭୀର

ନୂଆଦିଲ୍ଲୀ:  ଚଳିତ ଆଇପିଏଲରେ ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନୈରାଶଜନକ ବ୍ୟାଟିଂ କରିଛି । ଶୁକ୍ରବାର ଏଲିମିନିଟର ମୁକାବିଲାରେ ହାଇଦ୍ରାବାଦଠାରୁ ୬ୱିକେଟରେ ହାରି ବିଦାୟ ନେବାକୁ ବାଧ୍ୟ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆଉ ଏହି ମ୍ୟାଚ ପରେ ବାଙ୍ଗାଲୋରର ଚଳିତ ଆଇପିଏଲ ଯାତ୍ରା ଶେଷ ହୋଇଛି, ଯାହାକୁ ନେଇ କୋହଲି ବାହିନୀକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏ ନେଇ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର କୋହଲିଙ୍କୁ କଡ଼ା ଟିପ୍ପଣୀ ଦେଇଛନ୍ତି ।

ଗମ୍ଭୀର କହିଛନ୍ତି, ୮ବର୍ଷ ଧରି ଅଧିନାୟକ ପଦରେ ଥିବା ବିରାଟ ଗୋଟିଏ ଥର ମଧ୍ୟ ଟ୍ରଫି ହାତେଇପାରିନାହାନ୍ତି । ତେଣୁ ସେ ଅଧିନାୟକ ପଦରୁ ହଟିଯିବା ଦରକାର । ଟ୍ରଫି ଜିତିବାରେ ବିଫଳ ହୋଇଛି ଟିମ୍ । ଏଥିପାଇଁ କ୍ୟାପ୍ଟେନଙ୍କୁ ଜବାବ ଦେବାକୁ ପଡିବ । କୋହଲି ଆଗକୁ ଆସି ଏହି ବିଫଳତାର ଦାୟିତ୍ୱ ନେବା ଦରକାର । କାରଣ ବିନା ଟ୍ରଫିରେ ୮ବର୍ଷ ବହୁତ ଲମ୍ବା ସମୟ । କୋଲକାତା ନାଇଟ ରାଇଡ଼ର୍ସକୁ ଦୁଇ ଥର ଚାମ୍ପିଆନ୍ କରିଥିବା କ୍ୟାପ୍ଟେନ୍ ଗୌତମ ଗମ୍ଭୀର ଏକ ସାକ୍ଷାତକାରରେ ଏହା କହିଛନ୍ତି । ଯଦି ଫ୍ରାଂଚାଇଜ  ହୋଇଥାଆନ୍ତେ ତେବେ ସେ କ’ଣ ଅଧିନାୟକ ବଦଳାଇ ଦେଇଥାଆନ୍ତେ ବୋଲି ଗମ୍ଭୀରଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ଦେଇ ଗମ୍ଭୀର କହିଛନ୍ତି- ହଁ ସେ କ୍ୟାପଟେନ ବଦଳାଇଥାଆନ୍ତେ ।

ସେପଟେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିରାଟଙ୍କୁ ତାଙ୍କ ଟିମର ବିଫଳତା ପାଇଁ ଦାୟୀ କରିଛନ୍ତି ପ୍ରଶଂସକ । ଆଉ ଆରସିବିକୁ ନୂଆ କ୍ୟାପଟେନ ଜରୁରୀ ବୋଲି ମଧ୍ୟ ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର