ଗଭର୍ଣ୍ଣର କପ୍‌ ମୁଷ୍ଟିଯୁଦ୍ଧ, ଅମିତଙ୍କୁ କାଂସ୍ୟ

ସେଣ୍ଟ ପିଟର୍ସବର୍ଗ: ଏକମାତ୍ର ଭାରତୀୟ ଭାବେ ଗଭର୍ଣ୍ଣର କପ୍‌ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ତିଷ୍ଠି ରହିଥିବା ଅମିତ ପଙ୍ଗଲ (୫୨ କେଜି) କାଂସ୍ୟ ପଦକ କରାୟତ୍ତ କରିଛନ୍ତି। ସେମିଫାଇନାଲ୍‌ରେ ଏହି ବିଶ୍ବ ପ୍ରତିଯୋଗିତା ରୌପ୍ୟ ବିଜେତା ୦-୫ରେ ଅଲିମ୍ପିକ୍ ବିଜେତା ଉଜ୍‌ବେକିସ୍ତାନର ଶାଖୋବିଦିନ ଜୋଇରୋଭଙ୍କଠୁ ହାରି କାଂସ୍ୟ ପଦକରେ ଅଟକି ଯାଇଥିଲେ।

ଜୋଇରୋଭଙ୍କ ବିପକ୍ଷରେ ଅମିତଙ୍କ ଏହା ଦ୍ବିତୀୟ ପରାଜୟ। ୨୦୧୯ ବିଶ୍ବ ପ୍ରତିଯୋଗିତାର ଫାଇନାଲ୍‌ରେ ଜୋଇରୋଭଙ୍କଠୁ ହାରି ଅମିତ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ତାଙ୍କ ପୂର୍ବରୁ ଆଶିଷ କୁମାର (୭୫ କେଜି) ଓ ସୁମିତ ସାଙ୍ଗୱାନ (୮୧ କେଜି) ଗଭର୍ଣ୍ଣର କପ୍‌ର ଆରମ୍ଭରୁ ହାରି ବିଦାୟ ନେଇଥିଲେ। ଭାରତର ଅଲିମ୍ପିକ୍ସ ପଦକ ଆଶାୟୀ ଥିବା ଅମିତ ଗତ ୩ ବର୍ଷ ହେବ ଭଲ ପ୍ରଦର୍ଶନ ଦେଇ ଆସୁଛନ୍ତି। ଏସୀୟ କ୍ରୀଡ଼ା ଓ ଚାମ୍ପିଅନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ସହ ପ୍ରଥମ ଭାରତୀୟ ଭାବେ ୨୦୧୯ ବିଶ୍ବ ପ୍ରତିଯୋଗିତାର ଫାଇନାଲ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର