ଭାରତୀୟ ହକି ଶିବିରରେ ଯୋଗଦେଲେ ଗୋଭର୍ସ

ବେଙ୍ଗାଲୁରୁ: ସଂପ୍ରତି ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧୀକରଣଠାରେ ଚାଲିଥିବା ହକି ଶିବିରରେ ଯୋଗ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟ୍ରାଇକର କିରନ ଗୋଭର୍ସ। ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତାକୁ ନଜରରେ ରଖି ଭାରତୀୟ ଷ୍ଟ୍ରାଇକରଙ୍କ ପାଇଁ ଆୟୋଜିତ ୮ ଦିନିଆ ସ୍ବତନ୍ତ୍ର ଶିବିର ଲାଗି ହକି ଇଣ୍ଡିଆ ଗୋଭର୍ସଙ୍କୁ ନିଯୁକ୍ତି ଦେଇଛି। ୨୦୧୦ ଓ ୨୦୧୪ ପୁରୁଷ ବିଶ୍ବକପ୍‌ ବିଜୟୀ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିବା ଗୋଭର୍ସ ସୋମବାରଠୁ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି। ଭାରତକୁ ଫେରିଥିବାରୁ ମୁଁ ବହୁତ ‌ଖୁସି। ‌ଏହି ହକିପ୍ରେମୀ ଦେଶରେ ‌ମୋର ଖେଳଜୀବନର ବହୁ ସ୍ମରଣୀୟ ଅନୁଭୂତି ରହିଛି। ସଂପ୍ରତି ଭାରତୀୟ ଦଳ ଅଗକୁ ବଢ଼ିବାକୁ ଲାଗିଛି। ‌ମୋର ଏହି ଅଳ୍ପ ଦିନର ରହଣୀ ସେମାନଙ୍କୁ ବହୁତ ସହଯୋଗ କରିବ। କିଭଳି ସୁଯୋଗକୁ ସଫଳତା ସହ ଗୋଲ୍‌ରେ ପରିଣିତ କରି ହେବ ତା’ଉପରେ ଧ୍ୟାନ ଦେଉଛୁ। ସେଥିପାଇଁ ସୁଲତାନ ଆଜଲାନ ସାହ ପ୍ରତିଯୋଗିତାର ଭିଡିଓକୁ ଅନୁଧ୍ୟାନ କରୁଛୁ ବୋଲି କହିଛନ୍ତି ୩୧ ବର୍ଷୀୟ ଏହି ସଫଳ ଅଷ୍ଟ୍ରେଲୀୟ ଷ୍ଟ୍ରାଇକର୍‌। ‌ଗୋଭରଙ୍କ ଅଭିଜ୍ଞତା ଭୁବନେଶ୍ବରରେ ହେବାକୁଥିବା ଏଫ୍‌ଆଇଏଚ୍‌ ପୁରୁଷ ସରିଜ୍‌ ଫାଇନାଲ୍‌ରେ ଆମକୁ ବହୁତ ସହଯୋଗ କରିବ ବୋଲି କହିଛନ୍ତି ଭାରତୀୟ ‌ଷ୍ଟ୍ରାଇକର୍‌ ଏସ୍‌ଭି ସୁନିଲ। ଅଷ୍ଟ୍ରେଲିଆର ସେ ଜଣେ ଶ୍ରେଷ୍ଠ ଷ୍ଟ୍ରାଇକର୍‌। ପାସ୍‌ ଦେବା, ସଫଳ ଗୋଲ୍‌ ରୂପାନ୍ତର ଓ ସର୍କଲ ମଧ୍ୟରେ କିଭଳି ପୋଜିସନ୍‌ ଦରକାର ସେ କଳା ଗୋଭର୍ସଙ୍କୁ ଭଲଭାବେ ଜଣା। ଆମ ଦଳକୁ ଏହି ସବୁଥିରେ ବେଶି ଉନ୍ନତି ଦରକାର। ତାଙ୍କଠୁ ଏହି ସବୁ କଳା ‌ଶିଖି ହେବ ବୋଲି କହିଛନ୍ତି ସୁନିଲ।

ସମ୍ବନ୍ଧିତ ଖବର