ରୋହତକ, : ଗତ ନଭେମ୍ବର ମାସରେ ହରିଆନା ସରକାର କୃତୀ କ୍ରୀଡ଼ାବିତ୍ମାନଙ୍କୁ ସେମାନଙ୍କ ପୁରସ୍କାର ତାଲିକାରେ ଅତିରିକ୍ତ ଭାବେ ଗାଈ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହତକରେ ନଭେମ୍ବରରେ ଅନୁଷ୍ଠିତ ବିଶ୍ୱ କନିଷ୍ଠ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ବେଳେ ରାଜ୍ୟର ପଶୁ ସମ୍ପଦ ମନ୍ତ୍ରୀ ଓମ୍ ପ୍ରକାଶ ଧନକର୍ ଏଭଳି ଘୋଷଣା କରିଥିଲେ। ଧନକର କହିଥିଲେ ମଇଁଷିି କ୍ଷୀର ତୁଳନାରେ ଗାଈ କ୍ଷୀର ଭଲ। ହରିଆନାର ପ୍ରଚଳିତ କଥାକୁ ଉଦ୍ଧାର କରି ସେ କହିଥିଲେ ଯେଉଁମାନେ ଶକ୍ତି ଚାହାନ୍ତି ସେମାନେ ମଇଁଷି କ୍ଷୀର ପିଅନ୍ତି, କିନ୍ତୁ ସୌନ୍ଦର୍ଯ୍ୟ ଏବଂ ବୁଦ୍ଧିର ଆବଶ୍ୟକତା ଥିଲେ ଗାଈ କ୍ଷୀର ଭଲ। ସରକାରଙ୍କ ଏଭଳି ଘୋଷଣା ପରେ ନଭେମ୍ଭର ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଗୌହାଟୀରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ପଦକ ବିଜେତା ୩ ଜଣ ହରିଆନା ଖେଳାଳିଙ୍କୁ ମଧ୍ୟ ଗାଈ ପ୍ରଦାନ କରାଯାଇଥିଲା। ମାତ୍ର କିଛି ଦିନ ଭିତରେ କିନ୍ତୁ ଏହା ସରକାରଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ୩ ଜଣ ଯାକ ସେମାନଙ୍କ ଗାଈକୁ ଫେରାଇ ଦେଇଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଗାଈ କ୍ଷୀର ଦେବା ପରିବର୍ତେ ଶାରୀରିକ ଯନ୍ତ୍ରଣା ଦେଉଛି। ମଣିଷଙ୍କୁ ଆକ୍ରମଣ କରୁଛି। ‘ମୋ ମା’ ଗାଈକୁ ୫ ଦିନ ଭଲ ଖାଇବା ଦେଇଥିଲା, କିନ୍ତୁ ସେ କ୍ଷୀର ଦେବା ଦୂର କଥା ତାକୁ ୩ ଥର ଆକ୍ରମଣ କରି ଆହତ କରିଥିଲା। ମା’ର ଆଣ୍ଠୁ ଏବେ ଖରାପ ହୋଇଯାଇଛି। ଗାଈ ନାତ ମାରିବା ପରେ ଆମେ ତୁରନ୍ତ ଏହି ଉପହାରକୁ ଫେରାଇ ଦେଇଥିଲୁ ବୋଲି କହିଛନ୍ତି ରୋହତକ ମୁଷ୍ଟିଯୋଦ୍ଧା ଜ୍ୟୋତି ଜୁଲିଆ। ଆମେ ମଇଁଷିକୁ ନେଇ ଅଧିକ ଖୁସୀ ଥିଲୁ। ଜ୍ୟୋତିଙ୍କ ପ୍ରଶିକ୍ଷକ ବିଜୟ ହୁଦା ଅଭିଯୋଗ କରିଛନ୍ତି ଯେ, ମୁଷ୍ଟିଯୋଦ୍ଧା ମାନଙ୍କୁ ସ୍ଥାନୀୟ କିସମର ଗାଈ ଦିଆଯାଇଥିଲା। ଜ୍ୟୋତିଙ୍କ ଭଳି ଭିଓ୍ଵାନୀର ନୀତୁ ଘଙ୍ଗାସ୍ ଏବଂ ସାଖୀ କୁମାର ମଧ୍ୟ ସେମାନଙ୍କ ଗାଈ ଫେରାଇ ଦେଇଛନ୍ତି। ଏହି ୩ ଜଣ ଗୌହାଟୀ ଜାତୀୟ ପ୍ରତିଯୋଗିତାରେ ହରିଆନା ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୁରସ୍କାର ବାବଦ ଗାଈ ପ୍ରଦାନ କରିବା ପରେ ସେମାନେ ନାତ ମାରିଥିବାରୁ ସେମାନଙ୍କୁ କିକ୍ ବକ୍ସର କୁହାଯାଉଛି। ଏଥି ସହିତ ହରିଆନାରେ ମଇଁଷି-ଗାଈ ଉପାଖ୍ୟାନ ମଧ୍ୟ ଚର୍ଚାକୁ ଫେରିଛି।
ସରକାରୀ ଗାଈ କିକ୍ବକ୍ସର
ମୁଷ୍ଟିଯୋଦ୍ଧା ଫେରାଇଲେ ପୁରସ୍କାର ଗାଈ
/sambad/media/post_attachments/wp-content/uploads/2018/01/kick-cow-boxer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)