ପାକିସ୍ତାନକୁ ଅସ୍ଥିର ପ୍ରଦର୍ଶନରେ ଲଗାମ ଲଗାଇବାକୁ ହେବ

ଗ୍ରେମ୍ ସ୍ମିଥ୍

ବିଶ୍ବକପ୍‌ର ପ୍ରମୁଖ ଦାବିଦାର ଇଂଲଣ୍ଡକୁ ହରାଇବା ପରେ ପାକିସ୍ତାନ ଖେଳାଳି ବେଶ୍ ଉଲ୍ଲସିତ ଥିବେ। ଶୁକ୍ରବାର ଶ୍ରୀଲଙ୍କାକୁ ହରାଇବାକୁ ହେ‌ଲେ କିନ୍ତୁ ସେମାନଙ୍କୁ ନିଜ ଅସ୍ଥିର ପ୍ରଦର୍ଶନରେ ରୋକ୍ ଲଗାଇବାକୁ ହେବ। ମାତ୍ର ଦୁଇଟି ମୁକାବିଲାରେ ସେମାନଙ୍କ ଶ୍ରେଷ୍ଠ ଏବଂ ଦୁର୍ବଳ ଉଭୟ ଦିଗ ଦେଖିବାକୁ ମିଳିଛି। ସେମାନଙ୍କ ଅତୀତକୁ ତର୍ଜମା କଲେ ଅବଶ୍ୟ ସ୍ଥିରତା ପାଇଁ ସଂଘର୍ଷ କରିବା ପାକିସ୍ତାନ ପାଇଁ ନୂଆ କଥା ନୁହେଁ ବୋଲି ସ୍ପଷ୍ଟ ଭାବେ ଜଣାପଡ଼ିବ। ବିଶ୍ବକପ୍ ଭଳି ଲମ୍ବା ଓ ବଡ଼ ପ୍ରତିଯୋଗିତାରେ ସ୍ଥିର ପ୍ରଦର୍ଶନ ଦେବା ସେତେଟା ସହଜ ନୁହେଁ। ଏହା ସମସ୍ତଙ୍କ ପାଇଁ ଏକ ଆହ୍ବାନ। ସମ୍ଭବତଃ ଅସ୍ଥିରତା ହିଁ ପାକିସ୍ତାନର ‘ଏକ୍ସ ଫ୍ୟାକ୍ଟର’। ଅପ୍ରତ୍ୟାଶିତ ସ୍ବଭାବ ପାଇଁ ହୁଏତ ସେମାନେ ଏତେ ସଫଳତା ପାଇଛନ୍ତି। ସତ କହିବାକୁ ଗଲେ ଏହି ବିଷୟରେ ମୁଁ କିଛି ଠିକ୍‌ କରି କହି ପାରିବି ନାହିଁ। ଜଣେ ଖେଳାଳି ଭାବେ ମୁଁ ଏତିକି ଜାଣିଛି, ଯଦି ଆପଣ ଆରମ୍ଭରୁ ନିଜ ଦବ୍‌ଦବା ବଜାୟ ରଖିବେ, ପାକିସ୍ତାନକୁ ସହଜରେ ଧରାଶାୟୀ କରି ପାରିବେ। ହେଲେ ପାକିସ୍ତାନ ଯଦି ଟିକିଏ ବି ସୁଯୋଗ ପାଏ, ସେମାନଙ୍କ ପ୍ରମୁଖ ଖେଳାଳିମା‌ନେ ନିଶ୍ଚିତ ଭଲ ଖେଳିବେ। ବାବର ଆଜମଙ୍କ ରୂପରେ ପାକିସ୍ତାନ ପାଖରେ ଜଣେ ଉଚ୍ଚକୋଟୀର ଖେଳାଳି ଅଛନ୍ତି। ସ୍ଥିର ପ୍ରଦର୍ଶନ ଦେବା ଲାଗି ସେ ସବୁବେଳେ ଚେଷ୍ଟା କରନ୍ତି। ତାଙ୍କଠାରୁ ଅନ୍ୟ ଖେଳାଳିମା‌ନେ ଶିଖିବା ଦରକାର। ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ବହୁତ ଭଲ ବ୍ୟାଟିଂ କରିଥିଲା। ସେମାନଙ୍କୁ କିନ୍ତୁ ବିଶ୍ବକପ୍ ସାରା ଏଭଳି ଖେଳ ଖେଳିବାକୁ ହେବ। ୩୪୮ ରନ୍‌ କରି ମଧ୍ୟ ସେମାନେ ଏକଦା ପରାଜୟ ଆଶଙ୍କାରେ ଥିଲେ। ୱାହାବ ରିଆଜଙ୍କୁ ପୁଣି ଥରେ ସୁଯୋଗ ଦେବା ଏକ ଭଲ ପଦକ୍ଷେପ ବୋଲି ମୁଁ ଭା‌ବୁଛି। ଟ୍ରେଣ୍ଟବ୍ରିଜରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ହେଲେ ଠିକଣା ସମୟରେ ମହତ୍ବପୂର୍ଣ୍ଣ ୱିକେଟ୍ ନେଇ ଏହାର ଭରଣା କରି ଦେଇଥିଲେ। ମହମ୍ମଦ ଆମିର ତାଙ୍କ ପୁରୁଣା ଚମକ ଫେରି ପାଇଛନ୍ତି। ପାକିସ୍ତାନ ଦୃଷ୍ଟିକୋଣରୁ ଏହି ଦୁଇ ଜଣ ବୋଲର ଯେତେ‌ ୱିକେଟ୍ ନେବେ ସେତେ ଭଲ। ଅଭିଜ୍ଞତା ଥିଲେ ମଧ୍ୟ ଚଳିତ ବିଶ୍ବକପ୍‌ରେ ଶ୍ରୀଲଙ୍କା ପୂରା ସଂଘର୍ଷ କରୁଛି। ବ୍ରିଷ୍ଟଲରେ ଶ୍ରୀଲଙ୍କାକୁ ପାକିସ୍ତାନ ହରାଇ ନପାରିଲେ, ମୁଁ ବିସ୍ମିତ ହେବି। ପାକିସ୍ତାନ ଖେଳାଳିଙ୍କୁ ନିଜ ଉପରେ ଭରସା ରଖିବାକୁ ହେବ। କାରଣ ଭଲ ଦିନରେ ପାକିସ୍ତାନ ଯେ କୌଣସି ଦଳକୁ ହରାଇବାକୁ ପୂରା ସକ୍ଷମ। ସୁଇଚ୍ ଅନ୍ ହେବା ମାତ୍ରେ, ସେମାନେ ଆପଣଙ୍କୁ ସଫା କରି ଦେଇପାରନ୍ତି।

ସମ୍ବନ୍ଧିତ ଖବର