ଗ୍ରାଣ୍ଡ୍‌ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌: ତୃତୀୟ ପର୍ଯ୍ୟାୟରେ ଜୋକୋଭିକ, ଫେଡେରର୍‌, ସେରେନା, ବାର୍ଟି

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ତୃତୀୟ ପର୍ଯ୍ୟାୟରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ ଓ ତୃତୀୟ ମାନ୍ୟତାପ୍ରାପ୍ତ ରୋଜର ଫେଡେରର୍‌ ପ୍ରବେଶ କରିଛନ୍ତି। ଏମାନଙ୍କ ସହ ଅନ୍ୟ ମାନ୍ୟତା ଖେଳାଳିଙ୍କ ମଧ୍ୟରେ ଷ୍ଟିଫାନୋସ ସିସିପାସ (ଷଷ୍ଠ), ରବର୍ଟୋ ବତିସ୍ତା ଅଗୁଟ (ନବମ), ଫାବିଓ ଫୋଗନିନି (ଦ୍ବାଦଶ) ମଧ୍ୟ ତୃତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ବୁଧବାର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲା‌ରେ ସର୍ବିୟା ତାରକା ଜୋକୋଭିକ ୬-୧, ୬-୪, ୬-୨ ସେଟ୍‌ରେ ଜାପାନର ତାତ୍‌ସୁମା ଇଟୋଙ୍କୁ, ସ୍ବିଜ୍‌ରଲାଣ୍ଡର ଫେଡେରର୍‌ ୬-୧, ୬-୪, ୬-୧ ସେଟ୍‌ରେ ସର୍ବିୟାର ଫିଲିପ କ୍ରାଜିନୋଭିକଙ୍କୁ, ସ୍ପେନ୍‌ର ଅଗୁଟ ୫-୭, ୬-୨, ୬-୪, ୬-୧ ସେଟ୍‌ରେ ଆମେରିକା ମିଚେଲ୍‌ ମୋ’ଙ୍କୁ ଏବଂ ଇଟାଲିର ଫୋଗନିନି ୭-୬, ୬-୧, ୩-୬, ୪-୬, ୭-୬ ସେଟ୍‌ରେ ଅଷ୍ଟ୍ରେଲିଆର ଜୋର୍ଡନ୍‌ ‌ଥମ୍ପସନ୍‌ଙ୍କୁ ପରାସ୍ତ କରିଥିଲେ। ଗ୍ରିକ୍‌ର ସିସିପାସଙ୍କ ପ୍ରତିଦ୍ବନ୍ଦ୍ବୀ ଓହରିଯିବାରୁ ସେ ବିନା ଲଢ଼େଇରେ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଥିଲେ। ତେବେ ଅ‌ଷ୍ଟମ ମାନ୍ୟତାପ୍ରାପ୍ତ ଇଟାଲିର ମାତିଓ ବର୍ତେନିଙ୍କ ଅଭିଯାନ ଦ୍ବିତୀୟ ପର୍ଯ୍ୟାୟରେ ଶେଷ ହୋଇଛି। ସେ ୬-୭, ୪-୬, ୬-୪, ୬-୨, ୫-୭ରେ ଆମେରିକାର ଟେନି ସାଣ୍ଡ୍‌ଗ୍ରେନ୍‌ଙ୍କଠୁ ହାରି ଯାଇଥିଲେ।

ମହିଳା ଏକକରେ ୨୩ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ଆମେରିକାର ସେରେନା ୱିଲିୟମ୍ସ, ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି, ଜାପାନର ନାଓମି ଓସାକା, ଆମେରିକାର ମାଡିସନ୍‌ କିଜ୍‌ ଓ ଚେକ୍‌ ଗଣରାଜ୍ୟର ପେଟ୍ରା କ୍ବିତୋଭା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ‌ଅ‌ଷ୍ଟମ ମାନ୍ୟତାପ୍ରାପ୍ତ ସେରେନା ୬-୨, ୬-୩ ସେଟ୍‌ରେ ସ୍ଲୋଭେନିଆର ତାମରା ଜିଦାନସେକଙ୍କୁ, ଶୀର୍ଷ ମାନ୍ୟତାପ୍ରାପ୍ତ ବାର୍ଟି ୬-୧, ୬-୪ ସେଟ୍‌ରେ ସ୍ଲୋଭେନିଆର ପୋଲୋନା ହର୍କଗଙ୍କୁ, କିଜ୍‌ (ଦଶମ) ୭-୬, ୬-୨ ସେଟ୍‌ରେ ନେଦରଲାଣ୍ଡ୍ସର ଆରସ୍କା ରସ୍‌ଙ୍କୁ, ଓସକା (ତୃତୀୟ) ୬-୨, ୬-୪ ସେଟ୍‌ରେ ଚୀନ୍‌ର ସାଇସାଇ ଝେଙ୍ଗ୍‌ଙ୍କୁ, କ୍ବିତୋଭା (ସପ୍ତମ) ୭-୫, ୭-୫ ସେଟ୍‌ରେ ସ୍ପେନ୍‌ର ପୌଲ ବାଦୋସାଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର