ମେଲ୍ବର୍ଣ୍ଣ : ମହିଳା ବର୍ଗରେ ଶୀର୍ଷ ମାନ୍ୟତାପ୍ରାପ୍ତ ଈଗା ସ୍ବିତେକ୍ ଏବଂ ପୁରୁଷ ବର୍ଗରେ ତୃତୀୟ ମାନ୍ୟତାପ୍ରାପ୍ତ ଷ୍ଟିଫାନସ୍ ସିସିପାସ୍ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଚତୁର୍ଥ ରାଉଣ୍ଡ୍ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଗତବର୍ଷ ଫ୍ରେଞ୍ଚ୍ ଓ ୟୁଏସ୍ ଓପନ୍ ଟ୍ରଫି ଜିତିଥିବା ପୋଲାଣ୍ଡ୍ ଲଳନା ସ୍ବିତେକ୍ ଶୁକ୍ରବାର ତୃତୀୟ ରାଉଣ୍ଡ୍ରେ କ୍ରିଷ୍ଟିନା ବୁକ୍ସାଙ୍କୁ ସିଧାସଳଖ ୬-୦ ଓ ୬-୧ ସେଟ୍ରେ ପରାସ୍ତ କରି ମେଲ୍ବର୍ଣ୍ଣ ପାର୍କରେ ପ୍ରଥମ ଥର ଟ୍ରଫି ଜିତିବା ଆଶାରେ ଆଗକୁ ବଢ଼ିଛନ୍ତି। ଚତୁର୍ଥ ରାଉଣ୍ଡ୍ରେ ତାଙ୍କର ମୁକାବିଲା ୱିମ୍ବିଲଡନ୍ ବିଜୟିନୀ ଏଲିନା ରିବାକିନାଙ୍କ ସହ ହେବ। ୨୨ତମ ମାନ୍ୟତାପ୍ରାପ୍ତ ରିବାକିନା ଅନ୍ୟ ଏକ ତୃତୀୟ ରାଉଣ୍ଡ୍ ମ୍ୟାଚ୍ରେ ଗତବର୍ଷର ଉପବିଜୟିନୀ ତଥା ତ୍ରୟୋଦଶ ମାନ୍ୟତାପ୍ରାପ୍ତ ଡାନିଏଲେ କଲିନ୍ସଙ୍କୁ ୬-୨, ୫-୭ ଓ ୬-୨ ସେଟ୍ରେ ପରାସ୍ତ କରିଥିଲେ। ଶୁକ୍ରବାର ଖେଳାଯାଇଥିବା ଅନ୍ୟ ମହିଳା ଏକକ ତୃତୀୟ ରାଉଣ୍ଡ୍ ମୁକାବିଲାରେ ତୃତୀୟ ମାନ୍ୟତା ଜେସିକା ପେଗୁଲା, ସପ୍ତମ ମାନ୍ୟତା କୋକୋ ଗଫ୍, ବାର୍ବରା କ୍ରେଜିକୋଭା, ଜେଲିନା ଓସ୍ତାପେଙ୍କୋ, ଭିକ୍ଟୋରିଆ ଆଝାରେଙ୍କା ପ୍ରମୁଖ ବିଜୟ ହାସଲ କରି ଚତୁର୍ଥ ରାଉଣ୍ଡରେ ପହଞ୍ଚିଯାଇଛନ୍ତି।
ଅନ୍ୟପକ୍ଷରେ ପୁରୁଷ ଏକକରେ ତୃତୀୟ ମାନ୍ୟତାପ୍ରାପ୍ତ ତଥା ଗ୍ରିସ୍ ତାରକା ସିସିପାସ୍ ତୃତୀୟ ରାଉଣ୍ଡରେ ନେଦରଲାଣ୍ଡ୍ସ ପ୍ରତିଦ୍ବନ୍ଦ୍ବୀ ଟାଲୋନ ଗ୍ରିକ୍ସ୍ପୁରଙ୍କୁ ସିଧାସଳଖ ୬-୨, ୭-୬ ଓ ୬-୩ ସେଟ୍ରେ ପରାସ୍ତ କରି ଆଗକୁ ବଢ଼ିଛନ୍ତି। ତେବେ ଇଟାଲିର ପଞ୍ଚଦଶ ମାନ୍ୟତାପ୍ରାପ୍ତ ଜାନିକ ସିନେର ପରାଜୟରୁ ଅଳ୍ପକେ ବର୍ତି ଯାଇଛନ୍ତି। ଏହି ରାଉଣ୍ଡରେ ସେ ପ୍ରଥମ ଦୁଇ ସେଟ୍ ହାରିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୪-୬, ୪-୬, ୬-୧, ୬-୨ ଓ ୬-୦ରେ ମାର୍ତନ ଫୁକ୍ସୋଭିକ୍ଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ସିନେର୍ ମଧ୍ୟ ସମସ୍ତ ୪ ଗ୍ରାଣ୍ଡ୍ ସ୍ଲାମ୍ର କ୍ବାର୍ଟର ଫାଇନାଲ୍ରେ ପହଞ୍ଚିବାର ସଫଳତା ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଷଷ୍ଠ ମାନ୍ୟତାପ୍ରାପ୍ତ ଅଗୁର ଆଲିଆସିମେ, ଦଶମ ମାନ୍ୟତାପ୍ରାପ୍ତ ହର୍କାଜ୍, ଅଷ୍ଟାଦଶ ମାନ୍ୟତାପ୍ରାପ୍ତ କାଚାନୋଭ୍ ଏବଂ ନିଶିଓକା ମଧ୍ୟ ବିଜୟ ଧାରା ଜାରି ରଖି ଚତୁର୍ଥ ରାଉଣ୍ଡ ସ୍ଥାନ ପକ୍କା କରିନେଇଛନ୍ତି। ତେବେ ଏକାଦଶ ମାନ୍ୟତାପ୍ରାପ୍ତ କାରେନ୍ ନୋରି ପରାଜୟ ସହ ବିଦାୟ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/ta.jpg)