ପ୍ୟାରିସ ଜାପାନର ଈନା ଶିବାହାରା ଓ ନେଦରଲାଣ୍ଡ୍ସର ୱିସ୍ଲେ କୁଲଫ ସେମାନଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ କରିଛନ୍ତି। ଗୁରୁବାର ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ମିଶ୍ରିତ ଯୁଗଳ ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଏହି ଜାପାନ-ନେଦରଲାଣ୍ଡ୍ସ ଯୋଡ଼ି ୭-୬ (୫) ଓ ୬-୨ ସିଧାସଳଖ ସେଟ୍ରେ ନରୱେର ଉଲରିକେ ଈକେରି ଓ ବେଲ୍ଜିୟମର ଜୋରାନ ଭ୍ଲିଗେନଙ୍କୁ ମାତ୍ ଦେଇ ଟ୍ରଫି ଜିତିଥିଲେ। ଶିବାହାରା ଓ କୁଲଫ୍ ପ୍ରଥମ ସେଟ୍କୁ ଟ୍ରାଇବ୍ରେକରରେ ଏବଂ ଦ୍ବିତୀୟ ସେଟ୍ରେ କୌଣସି ଭୁଲ୍ ନକରି ସହଜ ବିଜୟ ପାଇଥିଲେ।
ଫାଇନାଲ୍ରେ ୧ ନମ୍ବର ସ୍ବିତେକ
ବିଶ୍ବର ଏକ ନମ୍ବର ଈଗା ସ୍ବିତେକ ଚଳିତ ଫ୍ରେଞ୍ଚ ଓପନ୍ ମହିଳା ଏକକ ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ଗୁରୁବାର ସେମିଫାଇନାଲ୍ରେ ଏହି ପୋଲାଣ୍ଡ ମହିଳା ସିଧାସଳଖ ୬-୨, ୬-୧ ସେଟ୍ରେ ରୁଷିଆର ଡାରିଆ କାସାତ୍କିନାଙ୍କୁ ପରାସ୍ତ କରିଥିଲେ। ଏହା ସ୍ବିତକଙ୍କ ଲଗାତାର ୩୪ତମ ବିଜୟ। ଏଥିସହ ସେ ଚଳିତ ଶତାବ୍ଦୀରେ ଲଗାତାର ବିଜୟରେ ଆମେରିକାର ସେରେନା ୱିଲିୟମ୍ସ (୨୦୧୩ ମସିହା)ଙ୍କ ସମକକ୍ଷ ହୋଇଛନ୍ତି। ସେ ଯଦି ଫାଇନାଲ୍ରେ ଜିତନ୍ତି ଭେନସ ୱିଲିୟମ୍ସ (୩୫)ଙ୍କ ସମକକ୍ଷ ହେବେ। ଭେନସ ୨୦୦୦ରେ ଏହି ସଫଳତା ପାଇଥିଲେ। ତେବେ ମହିଳା ଓପନ୍ ଯୁଗରେ ସର୍ବାଧିକ ଲଗାତାର ୭୪ ମ୍ୟାଚ୍ ବିଜୟ କୀର୍ତ୍ତିମାନ ମାର୍ଟିନା ନାଭ୍ରାତିଲୋଭାଙ୍କ ନାମରେ ରହିଛି। ନାଭ୍ରାତିଲୋଭା ୧୯୮୪ ମସିହାରେ ଏହି ସଫଳତା ପାଇଥିଲେ। ଶନିବାର ଫାଇନାଲ୍ରେ ୨୦୨୦ ବିଜୟିନୀ ସ୍ବିତେକ ଆମେରିକାର କୋକୋ ଗଫଙ୍କୁ ଭେଟିବେ। ଅନ୍ୟ ସେମିଫାଇନାଲ୍ରେ ଗଫ୍ ଇଟାଲିର ମାର୍ଟିନା ଟ୍ରେଭିସାନଙ୍କୁ ୬-୩, ୬-୧ ସିଧାସଳଖ ସେଟ୍ରେ ପରାସ୍ତ କରିଥିଲେ।
ଯୁବ ତାରକା ରୁନେଙ୍କୁ ଅଟକାଇଲେ ରୁଡ
ପୁରୁଷ ଏକକରେ ଯବୁ ତାରକା ହୋଲଗର ରୁନେଙ୍କୁ ଅଟକାଇଛନ୍ତି ଅଷ୍ଟମ ମାନ୍ୟତାପ୍ରାପ୍ତ କାସପର ରୁଡ୍। ଗୁରୁବାର କ୍ବାର୍ଟର ଫାଇନାଲ୍ରେ ନରୱେର ରୁଡ୍ ୬-୧, ୪-୬, ୭-୬ (୨) ସେଟ୍ରେ ପ୍ରଥମ ଫ୍ରେଞ୍ଚ୍ ଓପନ୍ ଖେଳୁଥିବା ଡେନ୍ମାର୍କର ୧୯ ବର୍ଷୀୟ ରୁନେଙ୍କୁ ମାତ୍ ଦେଇଥିଲେ। ସେମିଫାଇନାଲ୍ରେ ରୁଡ୍ ବିଂଶ ମାନ୍ୟତାପ୍ରାପ୍ତ ମାରିନ ସିଲିକଙ୍କୁ ଭେଟିବେ। କ୍ରୋଏସିଆର ସିଲିକ ୫-୭, ୬-୩, ୬-୪, ୭-୬ (୧୦/୨) ସେଟ୍ରେ ସପ୍ତମ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭଙ୍କୁ ପରାସ୍ତ କରିଥିଲେ। ସିଲିକ ୨୦୧୪ ୟୁଏସ୍ ଓପନ୍ ବିଜେତା ଏବଂ ପୂର୍ବତନ ଅଷ୍ଟ୍ରେଲିଆନ୍ ଓ ୱିମ୍ବଲଡନ୍ ଫାଇନାଲିଷ୍ଟ।
ସେମିରୁ ବୋପାନ୍ନା ବିଦା
ଚଳିତ ଫ୍ରେଞ୍ଚ ଓପନ୍ରେ ଭାରତୀୟ ଭେଟେରାନ ଟେନିସ ତାରକା ରୋହନ ବୋପାନ୍ନାଙ୍କ ଅଭିଯାନ ସେମିଫାଇନାଲ୍ରେ ଶେଷ ହୋଇଛି। ଗୁରୁବାର ପୁରୁଷ ଯୁଗଳ ସେମିଫାଇନାଲ୍ରେ ଷୋଡ଼ଶ ମାନ୍ୟତାପ୍ରାପ୍ତ ବୋପାନ୍ନା ଓ ତାଙ୍କ ନେଦରଲାଣ୍ଡ୍ସ ସାଥୀ ମାତୱେ ମିଡିଲକୁପ ୨ ଘଣ୍ଟା ୭ ମିନିଟ୍ ଧରି କଡ଼ା ସଂଘର୍ଷ କରିବା ପରେ ହାରି ଯାଇଥିଲେ। ଏହି ଯୋଡ଼ିଙ୍କୁ ୬-୪, ୩-୬, ୬-୭ (୮/୧୦) ସେଟ୍ରେ ଦ୍ବାଦଶ ମାନ୍ୟତାପ୍ରାପ୍ତ ସାଲ୍ଭାଡୋର-ନେଦରଲାଣ୍ଡ୍ସ ଯୋଡ଼ି ମାର୍ସିଲୋ ଆରିଭାଲୋ ଓ ଜିଅନ-ଜୁଲିଏନ ରୋଜର ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ଲିଆଣ୍ଡର ପେସ୍ଙ୍କ ୨୦୧୩ ୟୁଏସ୍ ଓପନ୍ ବିଜୟ ପରଠୁ କୌଣସି ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଗ୍ରାଣ୍ଡ ସ୍ଲାମ୍ ଫାଇନାଲ୍ରେ ପହଞ୍ଚି ପାରିନାହାନ୍ତି। ବୋପାନ୍ନା ପ୍ରଥମ ଏବଂ ଶେଷ ଥର ୨୦୧୦ରେ କେବଳ ଗୋଟିଏ ଥର ଗ୍ରାଣ୍ଡ ସ୍ଲାମ୍ ଫାଇନାଲ୍ ଖେଳିଛନ୍ତି। ବୋପାନ୍ନା ପାକିସ୍ତାନର ଏହସାମ-ଉଲ-ହକ କ୍ବିରେସିଙ୍କ ସହ ୟୁଏସ୍ ଓପନ୍ ଫାଇନାଲ୍ରେ ବ୍ରାୟନ ଭ୍ରାତା ବବ୍ ଓ ମାଇକ୍ଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ।