ସୁନା ପୁଅ ପ୍ରମୋଦଙ୍କୁ ଭବ୍ୟ ସ୍ୱାଗତ: ‘‘ଏ ସ୍ୱର୍ଣ୍ଣ ପଦକ ଓଡ଼ିଶାବାସୀଙ୍କର’’

ସହର ପରିକ୍ରମା କରି କଳିଙ୍ଗ ‌ଷ୍ଟାଡିୟମ ପହଞ୍ଚିଲେ
ଟୋକିଓ ସ୍ବର୍ଣ୍ଣ ସହ ନୂଆଁଖାଇ ପର୍ବ ପାଳିବେ
ପରବର୍ତୀ ଲକ୍ଷ୍ୟ ପ୍ୟାରିସ୍‌ ଅଲିମ୍ପିକ୍ସ

ଭୁବନେଶ୍ବର : ଶୁକ୍ରବାର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚୁ ପହଞ୍ଚୁ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ଏହି ପାରା ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତଙ୍କୁ ଭବ୍ୟ ସ୍ବାଗତ ମିଳିଥିଲା। ଏହି ସୁନା ପୁଅକୁ ଦେଖିବାକୁ ବିମାନ ବନ୍ଦର ବାହାରେ ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ଶଙ୍ଖନାଦ, ଢୋଲବାଦ୍ୟ, ଚାଙ୍ଗୁ ବାଜାର ତାଳେତାଳେ ତାଙ୍କୁ ଓଡ଼ିଶା ପାରା ପ୍ଲେୟାର୍ସ ସଂଘର କର୍ମକର୍ତ୍ତାମାନେ ପ୍ରେରଣାଦାୟୀ ପ୍ରମୋଦଙ୍କୁ ଫୁଳମାଳ ‌ପିନ୍ଧାଇ ସୁସଜ୍ଜିତ ଖୋଲା ଜିପ୍‌ରେ ବିମାନ ବନ୍ଦର ବାହାରକୁ ଆଣିଥିଲେ। କଡ଼ା ସୁରକ୍ଷା ବଳୟରେ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ମାନେ ବିଶାଳ ବାଇକ୍‌ ରାଲିରେ ବିମାନବନ୍ଦରରୁ କ୍ୟାପିଟାଲ ହସ୍‌ପିଟାଲ, ଫରେଷ୍ଟପାର୍କ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ୍‌ ଛକ, ରାମ ମନ୍ଦିର ଛକ ଏବଂ ‌ନିକୋ ପାର୍କ ଛକ ଦେଇ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ସ୍ବାଗତଂ ପ୍ରମୋଦ, ଭାରତମାତା କି ଜୟ ଧ୍ବନିରେ ଫାଟି ପଡ଼ୁଥିଲା ବିମାନ ବନ୍ଦରଠୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ। ପ୍ରମୋଦ ରାସ୍ତାରେ ଯାଉଥିବା ବେଳେ ଜନସାଧାରଣ ତାଙ୍କୁ ହାତ ହଲାଇ ସ୍ବାଗତ କରୁଥିଲେ। ରାସ୍ତା ମଝିରେ କିଏ ପଇଡ଼ ପାଣି ତ କିଏ ଫୁଲ ତୋଡ଼ା ଦେଇ ବିଶ୍ବର ଏକ ନମ୍ବର ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ‘‘ଏଭଳି ସ୍ବାଗତ ମୋ ପାଇଁ ଖୁସି ଆଣିଦେଇଛି। ‌ସ୍ବର୍ଣ୍ଣ ପଦକ ଖାଲି ମୋର ନୁହେଁ ଓଡ଼ିଶାବାସୀଙ୍କର। ଏହି ସଫଳତାରେ ସାରା ରାଜ୍ୟବାସୀଙ୍କ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଓ ଆଶୀର୍ବାଦ ରହିଛି। ‌‌ମୋ ପଦକ ବିଜୟ ରାଜ୍ୟ ଓ ଦେଶର ଦିବ୍ୟାଙ୍ଗମାନଙ୍କୁ ପ୍ରେରଣା ଦେବ। ପଦକ ଜିତି ମୋର ଅନେକ ସ୍ବପ୍ନ ସାକାର ହୋଇଛି। ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ଏହି ସ୍ବର୍ଣ୍ଣ ସହ ଆଗକୁ ଆସୁଥିବା ନୂଆଖାଇ (ପଶ୍ଚିମ ଓଡ଼ିଶାର ଗଣପର୍ବ) ପାଳନ କରିବି। ଆଗାମୀ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିବା ଲକ୍ଷ୍ୟ ରଖିଛି’’ ବୋଲି ବରଗଡ଼ ଜିଲ୍ଲା ଅତାବିରାର ଗୌରବ ପ୍ରମୋଦ କହିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରଥମ ଥର ଲାଗି ‌ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନ୍‌ ଯୋଡ଼ି ହୋଇଥିଲା। ପ୍ରମୋଦ ବ୍ୟାଡ୍‌ମିଣ୍ଟନ୍‌ ଏସ୍‌ଏଲ୍‌୩ ବର୍ଗ ଫାଇନାଲ୍‌ରେ ବ୍ରିଟେନ୍‌ର ଡାନିଲ ବେଥେଲଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ମଧ୍ୟ ବ୍ୟାଡ୍‌ମିଣ୍ଟନ୍‌ରେ ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ ହୋଇଥିଲା।

ପାରାଲିମ୍ପିକ୍ସରେ ରାଜ୍ୟ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତ ଶୁକ୍ରବାର ଅପରାହ୍ଣ ୨ଟାରେ ଭୁବନେଶ୍ବର ପହଞ୍ଚିଥିଲେ। ତାଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ପ୍ରମୋସନ୍‌ କାଉନ୍‌ସିଲ ଅଧ୍ୟକ୍ଷ ଦିଲୀପ ତିର୍କି, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା, ପ୍ରମୋଦଙ୍କ ପ୍ରଶିକ୍ଷକ ଏବଂ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକା‌ରୀମାନେ ଫୁଲତୋଡା ଓ ଉପଢ଼ୌକନ ଦେଇ ପାଛୋଟି ଆଣିଥିଲେ। ଏମାନଙ୍କ ସହ ପ୍ରମୋଦଙ୍କ ଆଦ୍ୟ ପ୍ରଶିକ୍ଷକ ଶିବ ପ୍ରସାଦ ଦାଶ ମଧ୍ୟ ନିଜର ପ୍ରିୟ ଶିଷ୍ୟକୁ ସ୍ବାଗତ କରିବାକୁ ସେଠାରେ ଉପସ୍ଥିତ ଥିଲେ। ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ରାସ୍ତା ମଝିରେ ପ୍ରମୋଦଙ୍କୁ ଭେଟି ଫୁଲତୋଡ଼ା ଦେଇ ଅଲିମ୍ପିକ୍‌ ସଫଳାତା ଲାଗି ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର