ମେଲ୍‌ବର୍ଣ୍ଣକୁ ବଳିବ ମୋଟେରା : ପନ୍ତଙ୍କ ‘ସ୍ପାଇଡରମ୍ୟାନ୍’ ଅଭ୍ୟାସ

ଗୋଲାପି ବଲ୍ ପାଇଁ ଘାସ ଜରୁରୀ: ନିର୍ମାତା

ଅହମ୍ମଦାବାଦ: ଦର୍ଶକ କ୍ଷମତା ଦୃଷ୍ଟିରୁ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ର ମାନ୍ୟତା ପାଇଥିବା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍ ଏହି କ୍ଷେତ୍ରରେ ଅଷ୍ଟ୍ରେଲିଆର ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ପଡ଼ିଆ (ଏମ୍‌ସିଜି)କୁ ପଛରେ ପକାଇବ। ସଂପ୍ରତି ମୋଟେରାର ଦର୍ଶକ କ୍ଷମତା ୧୧୦, ୦୦୦ ଥିଲା ବେଳେ ଏମ୍‌ସିଜିର କ୍ଷମତା ୧୦୦,୦୨୪ ରହିଛି। ମୋଟେରା ୬୩ ଏକର ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିଲା ବେଳେ ଏହାର ଚାରିଟି ପ୍ରବେଶ ଦ୍ବାର ଅଛି। ପଡ଼ିଆର ଆକାର କିନ୍ତୁ ୧୮୦ ଗଜ ଗୁଣା ୧୫୦ ଗଜ ରହିଛି। ସେହିଭଳି ଷ୍ଟାଡିୟମ୍‌ରେ ଥିବା ଡ୍ରେସିଂ ରୁମ୍‌ରେ ଚାରିଟି ଦଳ ରହିଲା ଭଳି କ୍ଷମତା ଅଛି। ଡ୍ରେସିଂରୁମ୍ ନିକଟରେ ଏକ ବିଶ୍ବସ୍ତରୀୟ ବ୍ୟାୟାମଶାଳା ନିର୍ମାଣ କରାଯାଇଛି। ବର୍ଷା ଏବଂ ମେଘୁଆ ପାଗ୍‌ରେ ଯେମିତି ଖେଳାଳିଙ୍କ ଅଭ୍ୟାସ ବ୍ୟାଘାତ ନ ହୁଏ, ତାକୁ ଆଖି ଆଗରେ ରଖି ୬ଟି ଇନ୍‌ଡୋର ଏବଂ ତିନିଟି ଆ‌ଉଟ୍‌ଡୋର ଅଭ୍ୟାସ ପଡ଼ିଆ ରହିଛି। ୪୦ ଖେଳାଳି ରହିଲା ଭଳି ଏକ ଇନ୍‌ଡୋର କ୍ରିକେଟ୍ ଏକାଡେମି ମଧ୍ୟ ସ୍ଥାପନା କରାଯାଇଛି। ମୋଟେରା ଷ୍ଟାଡିୟମ୍‌ରେ ୭୬ କର୍ପୋରେଟ୍ ବକ୍ସ ଅଛି ଏବଂ ପ୍ରତ୍ୟେକ ବକ୍ସର ଦର୍ଶକ କ୍ଷମତା ହେଉଛି ୨୫। ଭାରତ-ଇଂଲଣ୍ଡ ଗୋଲାପି ବଲ୍ ଟେଷ୍ଟ୍‌ରେ ଏଠାକୁ ପୁନର୍ବାର ଅନ୍ତର୍ଜାତୀୟ କ୍ରିକେଟ୍ ଫେରିବାକୁ ଯାଉଥିଲା ବେଳେ ଷ୍ଟାଡିୟମ୍‌ର ଆକାରକୁ ନେଇ କେବଳ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ବିଶ୍ବର ୧୬ ସର୍ବବୃହତ୍ ଦର୍ଶକ କ୍ଷମତା ବିଶିଷ୍ଟ ଷ୍ଟାଡିୟମ୍ ତାଲିକା ଉପରେ ନଜର ପକାଇବାର ଆବଶ୍ୟକତା ଦେଖାଦେଇଛି।

ଭାରତୀୟ କ୍ରିକେଟ୍ ଦଳର ଯୁବ ୱିକେଟ୍‌ରକ୍ଷକ ଋଷବ ପନ୍ତ ନିଜ କୌତୁକିଆ ପୋଷାକ, ପଡ଼ିଆ ଭିତରେ ନିଆରା ଗୀତ ଗାଇବା ଏବଂ କାର୍ଟୁନ ଚରିତ୍ର ପ୍ରେମ ପାଇଁ ପ୍ରସିଦ୍ଧ। ପନ୍ତ ଲୋକପ୍ରିୟ ହଲିଉଡ୍ ଚଳଚ୍ଚିତ୍ର ଚରିତ୍ର ସ୍ପାଇଡରମ୍ୟାନ୍‌ର ଅବିକଳ ନକଲ କରୁଥିବାର ଭିଡିଓ ଅଲରାଉଣ୍ଡର ୱା‌ସିଂଟନ୍ ସୁନ୍ଦର ନିକଟରେ ନିଜ ଟ୍ବିଟର ପୃଷ୍ଠାରେ ପ୍ରକାଶ କରିଥିଲେ। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ଅଭ୍ୟାସ କରୁଥିଲା ବେଳେ ପନ୍ତ ଏଭଳି କାର୍ଯ୍ୟ କରୁଥିବାର ଏହି ଭିଡିଓଟି କ୍ଷଣକ ଭିତରେ ଭାଇରାଲ ହୋଇ ଯାଇଥିଲା। ଅବଶ୍ୟ ବିନ୍ଦାସ ଓ ବେପାରୁଆ ସ୍ବଭାବର ପନ୍ତ ସ୍ପାଇଡରମ୍ୟାନ୍‌ର ନକଲ କରୁଥିବାର କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ। ଗତମାସର ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟ୍‌ରେ ‘ସ୍ପାଇଡରମ୍ୟାନ୍’ର ଥିମ୍ ସଙ୍ଗକୁ ହିନ୍ଦୀରେ ଗାଇ ବେଶ୍ ଚର୍ଚିତ ହୋଇଥିଲେ ସେ। ସୂଚନାଯୋଗ୍ୟ ଯେ ଉଭୟ ପନ୍ତ ଓ ସୁନ୍ଦର ଏବେ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ଗୋଲାପି ବଲ୍ ଟେଷ୍ଟ୍ ଲାଗି କଠିନ ଅଭ୍ୟାସ ଜାରି ରଖିଛନ୍ତି। ତା’ ସହ ପନ୍ତ ସାଥୀ ଖେଳାଳିଙ୍କର ଭରପୂର ମନୋରଞ୍ଜନ ବି କରୁଛନ୍ତି।

ଇଂଲଣ୍ଡ ବିପକ୍ଷ ଦିବା-ରାତ୍ର ଟେଷ୍ଟ୍ ଲାଗି ଭାରତୀୟ କ୍ରିକେଟ୍ ଦଳ ଏକ ଟର୍ନିଂ ପିଚ୍ ଚାହୁଥିଲା ବେଳେ ପିଚ୍‌ରେ କିଛି ଘାସ ଛାଡ଼ିବାକୁ ଏସ୍‌ଜି ବଲ୍‌ର ନିର୍ମାତା ସାନ୍ସପେରେଲ ଓ ଗ୍ରିନଲାଣ୍ଡ୍ସ କଂପାନି କ୍ୟୁରେଟରଙ୍କୁ ଆହ୍ବାନ କରିଛି। ଏସ୍‌ଜିର ବିପଣନ ନିର୍ଦ୍ଦେଶକ ପାରସ୍‌ ଆନନ୍ଦ ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ ଟର୍ନିଂ ଟ୍ରାକ୍‌ରେ କୌଣସି ଅସୁବିଧା ନାହିଁ, ହେଲେ ଗୋଲାପି ବଲ୍ ୮୦ ଓଭର ପର୍ଯ୍ୟନ୍ତ ତିଷ୍ଠି ରହି ଏହାର ରଙ୍ଗରୂପ ଓ ସ୍ବଭାବକୁ ଅକ୍ଷୁଣ୍ଣ ରଖିବା ଲାଗି ପିଚ୍‌ରେ କିଛିଟା ଘାସ ରହିବା ଦରକାର। ଆମେ ଏକଥା ସାରା ବିଶ୍ବରେ ଦେଖି ଆସୁଛେ। କ୍ୟୁରେଟରମାନେ ଦିବା-ରାତ୍ର ଟେଷ୍ଟ୍ ବେଳେ ସାଧାରଣତଃ ୬-୭ ମିଲିମିଟରର ଘାସ ଛାଡ଼ନ୍ତି। ଏହା ଦ୍ବାରା ଗୋଲାପି ବଲ୍ ତାର ଚମକ ରଖିପାରେ। ତେବେ ଭାରତ ଘରୋଇ ପରିବେଶର ଫାଇଦା ନେବାକୁ ଚାହୁଥିବାରୁ ଏହା ସମ୍ଭବ ହୋଇ ନପାରେ। ସେଥିପାଇଁ ଅନ୍ୟୁନ ୨-୩ ମିଲିମିଟରର ଘାସ ପିଚ୍‌ରେ ରଖିବାକୁ ମୁଁ ଆହ୍ବାନ କରିବି। ସୂଚନାଯୋଗ୍ୟ ଯେ ଭାରତରରେ ଖେଳା ଯାଉଥିବା ଅନ୍ତର୍ଜାତୀୟ ମ୍ୟାଚ୍‌ଗୁଡ଼ିକରେ ପାରମ୍ପରିକ ଭାବେ ଏସ୍‌ଜି ବଲ୍‌ର ହିଁ ଉପଯୋଗ ହୋଇ ଆସୁଛି।

ସମ୍ବନ୍ଧିତ ଖବର