ଭୁବନେଶ୍ବର: ଲିଜେଣ୍ଡ ଲିଗ୍ କ୍ରିକେଟ୍ (ଏଲ୍ଏଲସି)ରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସାମିଲ ଥିବା ନଟରାଜ ବେହେରା ଏହି ସ୍ମରଣୀୟ ସୁଯୋଗ ଲାଗି କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା (କେଏସ୍ଓ) ଦଳକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଓଡ଼ିଶା କ୍ରିକେଟ୍ର ଏହି ସୁପରିଚିତ ତାରକା ଏକ ସାକ୍ଷାତକାର ଅବସରରେ କହିଛନ୍ତି, ମୁଁ ଏଭଳି ଏକ ସୁଯୋଗ ଲାଗି ଓଡ଼ିଶା କ୍ରିକେଟ୍ ସଂଘ ଏବଂ ଏହାର ସଂପାଦକ ସଂଜୟ ବେହେରାଙ୍କୁ ଧନ୍ୟବାଦ ଦେବି। ଅନୁରୂପ ଭାବେ କେଏସ୍ଓ ଦଳର ମାଲିକ ଆସୋଟେକ୍ ଗ୍ରୁପ୍ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ସଂଜୟ ଶ୍ରୀବାସ୍ତବଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। କେବଳ ମୁଁ ନୁହେଁ, ଆଉ ତିନି ଜଣ ଓଡ଼ିଆ ମଧ୍ୟ କେଏସ୍ଓ ପ୍ରଶିକ୍ଷକ ମଣ୍ଡଳିରେ ସ୍ଥାନ ପାଇଛନ୍ତି। ଦଳୀୟ ଅଧିକାରୀଙ୍କ ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ।
ମୁଁ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଦଳ ସହ ଥିଲି। ଖେଳିବାର ସୁଯୋଗ ପାଇ ନଥିଲେ ମଧ୍ୟ ସେହି ଅଭିଜ୍ଞତା ପରବର୍ତ୍ତୀ ସମୟରେ ମୋ କ୍ୟାରିୟରକୁ ଆଗକୁ ନେବାରେ ବେଶ୍ ସହାୟକ ହୋଇଥିଲା। ସେହିଭଳି ମୁଁ ଏଲ୍ଏଲ୍ସିରେ ଖେଳିବାର ସୁଯୋଗ ପାଇବି କି ନାହିଁ ଜାଣିନି। ହେଲେ ନିଶ୍ଚିତ ଭାବେ ନୂଆ ଅଭିଜ୍ଞତା ପାଇବି। ଏଠାକାର ଅଭିଜ୍ଞତା ଓଡ଼ିଶାର ଯୁବ ଖେଳାଳିଙ୍କ ସହ ବାଣ୍ଟିବାକୁ ଚେଷ୍ଟା କରିବି। କ୍ରିକେଟ୍ ସହ ଜଡ଼ିତ ହୋଇ ରହିବା ଲାଗି ଇଚ୍ଛୁକ ଖେଳାଳିଙ୍କ ଲାଗି ଏଲଏଲ୍ସି ଏକ ବଳିଷ୍ଠ ମଞ୍ଚ ପାଲଟିଛି। ନିଜ କ୍ରିକେଟ୍ ଯାତ୍ରା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସେ ଆହୁରି କହିଛନ୍ତି ଯେ ଜଣେ ଖେଳାଳି ଭାବେ ମୁଁ କ୍ରିକେଟ୍କୁ ବହୁତ ଭଲପାଏ। ଏ ବୟସରେ ନିଜକୁ ଫିଟ୍ ରଖିବା ଲାଗି ଫୁଟବଲ୍ ଓ ବ୍ୟାଡମିଣ୍ଟନ୍ ଖେଳେ। ମୁଁ ବି କ୍ଲବ୍ କ୍ରିକେଟ୍ ଖେଳେ। କାରଣ କ୍ରିକେଟ୍ ହେଉଛି ମୋ ଜୀବନ। ମୁଁ ତାକୁ ଛାଡ଼ି ରହି ପାରିବି ନାହିଁ। ଆଶା କରୁଛି ମୋର ଏହି ଅଭିଜ୍ଞତା ଓଡ଼ିଶା କ୍ରିକେଟ୍ର କାମରେ ଆସିବ।
ସୁରତରେ ବର୍ଷାର ଖେଳ ଜାରି
ଭୁବନେଶ୍ବର: ସୁରତରେ ଲାଗି ରହିଥିବା ବର୍ଷା ପାଇଁ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ର ପ୍ରଥମ ୪ଟି ମ୍ୟାଚ୍ ଗୋଟିଏ ହେଲେ ବି ବଲ୍ ପଡ଼ିବା ପୂର୍ବରୁ ବାତିଲ ହୋଇଯାଇଛି। ଏହା ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନବାଗତ ଦଳ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା। ଲାଲଭାଇ ଷ୍ଟାଡିୟମ୍ର ଓଦା ଆଉଟ୍ ଫିଲ୍ଡ ଓ ବର୍ଷା ପ୍ରଭାବିତ ପିଚ୍ କାରଣରୁ ସୋମବାର ଖେଳାଯିବାକୁ ଥିବା ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମ୍ୟାଚ୍ ମଧ୍ୟ ବାତିଲ ହୋଇଯାଇଛି। ପ୍ରଥମ ମ୍ୟାଚ୍ରେ ବିଜେତା ମଣିପାଲ୍ ଟାଇଗର୍ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଇର୍ଫାନ୍ ପଠାନଙ୍କ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଦଳପଏଣ୍ଟ ଟେବୁଲ୍ରେ କୋଣାର୍କ ଏବେ ୩ ମ୍ୟାଚ୍ରୁ ୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ସୋମବାର ମ୍ୟାଚ୍ ବାତିଲ ପରେ ଇଣ୍ଡିଆ କ୍ୟାପିଟାଲ୍ସ ମଧ୍ୟ ୪ ପଏଣ୍ଟରେ ପହଞ୍ଚିଯାଇଛି। କିନ୍ତୁ ଏହି ଦଳ ଗୋଟିଏ ମ୍ୟାଚ୍ କମ୍ ଖେଳିଛି। ୩ରୁ ୩ ମ୍ୟାଚ୍ ଜିତି ସଦର୍ଣ୍ଣ ସୁପରଷ୍ଟାର୍ସ ଶୀର୍ଷରେ ରହିଛି। କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ନିଜ ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୨ ତାରିଖରେ ସେହି ସୁରତରେ ବୁଧବାର ଖେଳିବା କାର୍ଯ୍ୟକ୍ରମ ରହିଛି।