ବଡ଼ ବିପର୍ଯ୍ୟୟ: ମରେ, ଇଜ୍‌ନର ବିଦା

ସହଜ ବିଜୟ ସହ ଦ୍ବିତୀୟ ପର୍ଯ୍ୟାୟରେ ନାଦାଲ, ଫେଡେରର୍‌, କର୍ବର, ୱଜ୍‌ନିଆକି

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ‘ଅଷ୍ଟ୍ରେଲିଆନ୍‌ ଓପନ୍‌’ ଟେନିସ୍‌ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବତନ ଶୀର୍ଷ ଖେଳାଳି ତଥା ଏଠାରେ ୫ଥର ଫାଇନାଲ୍ ଖେଳିଥିବା ଇଂଲଣ୍ଡର ଆଣ୍ଡି ମରେ ଏବଂ ନବମ ମାନ୍ୟତା ଆମେରିକାର ଜନ୍‌ ଇଜନର୍‌ ପ୍ରଥମ ପର୍ଯ୍ୟାୟରୁ ବିଦାୟ ‌ନେଇଛନ୍ତି। ମରେଙ୍କୁ ୨୨ ମାନ୍ୟତା ସ୍ପେନ୍‌ର ରବର୍ଟ ବାଉତିସ୍ତା ଅଗଟ୍‌ ୬-୪, ୬-୪, ୬-୭, ୬-୭, ୬-୨ ‌ସେଟ୍‌ରେ ଏବଂ ଇଜ୍‌ନରଙ୍କୁ ଅଣମାନ୍ୟତା ଆମେରିକାର ରିଲି ଓପଲେକା ୭-୬, ୭-୬, ୬-୭, ୭-୬ ସେଟ୍‌ରେ ହରାଇ ବିଦାୟ ରାସ୍ତା ଦେଖାଇଥିଲେ।
ତେବେ ପୁରୁଷରେ ଶୀର୍ଷ ମାନ୍ୟତାଙ୍କ ମଧ୍ୟରେ ସ୍ପେନ୍‌ର ରାଫେଲ୍ ନାଦାଲ (ଦ୍ବିତୀୟ), ସ୍ବିଜରଲାଣ୍ଡର ରୋଜର ଫେଡେରର୍‌ (ତୃତୀୟ), ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ୍‌ (ପଞ୍ଚମ) ଏବଂ କ୍ରୋଏସିଆର ମାରିନ୍‌ ସିଲିକ୍‌ (ଷଷ୍ଠ) ନିଜନିଜ ମ୍ୟଚ୍‌ ଜିିତିି ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ମହିଳାରେ ଜର୍ମାନିର ଆଞ୍ଜେଲିକ୍‌ କର୍ବର (ଦ୍ବିତୀୟ), ଡେନ୍‌ମାର୍କର କାରୋଲିନା ୱଜ୍‌ନିଆକି (ତୃତୀୟ), ଆମେରିକାର ସ୍ଲୋଆନୋ ଷ୍ଟିଫେନ୍ସ (ପଞ୍ଚମ), ଚେକ୍‌ ଗଣରାଜ୍ୟର ପେଟ୍ରା କ୍ବିତୋଭା ଏବଂ ରୁଷିଆର ମାରିଆ ସାରା‌ପୋଭା (୩୦ତମ) ସହଜ ବିଜୟ ସହ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ନାଦାଲ୍‌ ୬-୩, ୬-୩, ୭-୫ ସେଟ୍‌ରେ ଅଷ୍ଟ୍ରେଲିଆର ଜେମ୍ସ ଡକ୍‌ୱର୍ଥ, ଫେଡେରର୍‌ ୬-୩, ୬-୪, ୬-୪ ସେଟ୍‌ରେ ଉଜବେକିସ୍ତାନର ଡେନିସ୍‌ ଇସ୍ତୋ‌ମିନ୍‌ଙ୍କୁ, ଆଣ୍ଡରସନ୍‌ ୬-୩, ୫-୭, ୬-୨, ୬-୧ ସେଟ୍‌ରେ ଫ୍ରାନ୍ସର ଆଣ୍ଡ୍ରିଆନ୍‌ ମାନାରିନୋଙ୍କୁ ଏବଂ ସିଲିକ୍‌ ୬-୨, ୬-୪, ୭-୬ ସେଟ୍‌ରେ ଅଷ୍ଟ୍ରେଲିଆର ବର୍ନାଡ୍‌ ଟୋମିକ୍‌ଙ୍କୁ ହରାଇଥିଲେ। ମହିଳା ଏକକରେ କର୍ବର ୬-୨, ୬-୨ରେ ସ୍ଲୋଭାନିଆର ପୋଲୋନା ହର୍କୋଗଙ୍କୁ, ୱଜନିଆକି ୬-୩, ୬-୪ରେ ବେଲ୍‌ଜିୟମର ଅଲିସନ୍‌ ଭାନ୍‌ ଉତ୍‌ଭାଙ୍କ୍‌ଙ୍କୁ, ଷ୍ଟିଫେନ୍ସ ୬-୪, ୬-୨ରେ ନିଜ ଦେଶର ଟେଲର ଟାଉନସିଡ୍‌ଙ୍କୁ, କ୍ବିତୋଭା ୬-୩, ୬-୨ରେ ସ୍ଲୋଭାକ୍‌ର ରିବାରିକୋଭାଙ୍କୁ ଏବଂ ସାରାପୋଭା ୬-୦, ୬-୦ରେ ବ୍ରିଟେନ୍‌ର ହରିୟାତ୍‌ ଡାର୍ଟଙ୍କୁ ପରାସ୍ତ କରିଥି‌ଲେ।
ଗୁଣେଶ୍ବରନ୍‌ ବିଦା
ପାଞ୍ଚ ବର୍ଷ ମଧ୍ୟରେ ତୃତୀୟ ଏବଂ ଏକମାତ୍ର ଭାରତୀୟ ଭାବେ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ୍‌ ‌ପ୍ରତିଯୋଗିତାର ପୁରୁଷ ଏକକ ମୁଖ୍ୟ ପର୍ଯ୍ୟାୟ ଖେଳୁଥିବା ପ୍ରଜ୍ଞେଶ ଗୁ‌ଣେଶ୍ବରନ୍‌ଙ୍କ ଅଭିଯାନ ଶେ‌ଷ ହୋଇଛି। ସୋମବାର ମୁକାବିଲାରେ ସେ ୬-୭, ୩-୬, ୩-୬ ସେଟ୍‌ରେ ଆମେରିକାର ଫ୍ରାନ୍ସିସ୍‌ ତିଆଫୋଙ୍କଠୁ ହାରି ଯାଇଥିଲେ। ଫଳରେ ପୁରୁଷ ଏକକରେ ଭାରତର ଅଭିଯାନ ଶେଷ ହୋଇଛି।

ସମ୍ବନ୍ଧିତ ଖବର