ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ସର୍ବଦା ଯୁବ ଖେଳାଳିଙ୍କୁ ସମର୍ଥନ ଓ ପ୍ରୋତ୍ସାହନ ଦେଇ ଆସିଛନ୍ତି। ଏପରିକି ନିଜ ବ୍ୟାଟିଂ ସ୍ଥାନକୁ ତ୍ୟାଗ କରି ସେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି। ଫଳ ସ୍ୱରୂପ ବୀରେନ୍ଦ୍ର ସେହବାଗ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ମହାନ ଖେଳାଳିଙ୍କୁ ଭାରତ ପାଇଥିଲା। ୨୦୦୧ ମସିହାରେ ସେହବାଗ ଭାରତୀୟ ଦଳକୁ ଆସିବା ବେଳେ ଦିଲ୍ଲୀ ରଣଜୀ ଦଳରେ ମଧ୍ୟକ୍ରମରେ ଖେଳିଥିଲେ। କିନ୍ତୁ ଗାଙ୍ଗୁଲିଙ୍କ ପରାମର୍ଶରେ ସେ ଟେଷ୍ଟ୍ ଓ ଦିନିକିଆ ଦଳରେ ଓପନିଂ କରିଥିଲେ। ଏହା ପରେ ଆଉ ସବୁ ଇତିହାସ ପାଲଟିଯାଇଥିଲା। ପ୍ରଥମ ଭାରତୀୟ ଭାବେ ଟେଷ୍ଟ୍ କ୍ରିକେଟ୍ରେ ତ୍ରିଶତକ ମାରିଥିଲେ, ଥରେ ନୁହେଁ ଦୁଇ ଥର। ‘ବ୍ରେକ୍ଫାଷ୍ଟ୍ ଓ୍ଵିଥ୍ ଚାମ୍ପିଅନ୍ସ’ ଶୀର୍ଷକ କାର୍ଯ୍ୟକ୍ରମରେ ଭାଗନେବା ବେଳେ ଗାଙ୍ଗୁଲି ଏଭଳି ରୋଚକ କଥା ଉପରୁ ପରଦା ହଟାଇଛନ୍ତି। ବୀରୁଙ୍କୁ ଏକ ବିଦେଶ ଗସ୍ତ ଚୟନ ବେଳେ ଅଧିକାଂଶ ଚୟନକର୍ତା ମନା କରିଥିଲେ। ସେ ବାଉଁସରଙ୍କୁ ଖେଳିପାରିବେ ନାହିଁ ବୋଲି ଧାରଣା ରଖିଥିଲେ। ମୁଁ କିନ୍ତୁ ଉତ୍ତର ଦେଇଥିଲି ଆପଣମାନେ ତାଙ୍କ ଖେଳ ଦେଖିନାହାନ୍ତି କି ସୁଯୋଗ ଦେଇନାହାନ୍ତି। ଏହା ପରେ ସେହବାଗ ଦକ୍ଷିଣ ଆଫ୍ରିକା ଗସ୍ତରେ ପଦାର୍ପଣରେ ହିଁ ଶତକ ହାସଲ କରି ଆଗକୁ ବଢ଼ିଥିଲେ। ମଧ୍ୟକ୍ରମରେ ତାଙ୍କୁ ଖେଳାଇବା ଲାଗି ଜାଗା ନ ଥିଲା। ମୁଁ ଦିନେ ବୀରୁଙ୍କୁ କହିଲି ବେଞ୍ଚ୍ରେ ବସି ବସି କେହି ଖେଳ ଜୀବନ ଗଢ଼ିନାହିଁ। ପାଳି ଆରମ୍ଭ କରିବାରେ କିଛି ଅସୁବିଧା ନାହିଁ। ଓପନିଂ କରିବାର କଳା କେହି ଜନ୍ମରୁ ଶିଖି ଆସିନଥାଏ। ମାଥ୍ୟୁ ହେଡେନ୍ ଓ ଜଷ୍ଟିନ୍ ଲାଙ୍ଗର ଯଦି କରିପାରୁଛନ୍ତି ତେବେ ତୁମେ କାହିଁକି ନୁହଁ। ବୀରୁ ମୋତେ କହିଥିଲେ ଆଗରୁ କେବେ ଓପନିଂ କରିନାହିଁ। ଦିଲ୍ଲୀ ପାଇଁ ୫/୬ ନମ୍ବରରେ ବ୍ୟାଟିଂ କରେ। ତା’ଛଡ଼ା ଆପଣ କେଉଁଠି ବ୍ୟାଟିଂ କରିବେ। ଯଦି ମୁଁ ଆଉଟ୍ ହୋଇଯିବି କ’ଣ କରିବି। ମୁଁ ତାଙ୍କୁ ପାଲଟା କହିଥିଲି ତମେ ଯଦି ମଧ୍ୟକ୍ରମରେ ଆଉଟ୍ ହୋଇଯିବ ତା ହେଲେ କ’ଣ କରିବ। ଶେଷରେ ମୁଁ ନିଜେ ନିମ୍ନକ୍ରମକୁ ଆସି ଇଂଲଣ୍ଡରେ ତାଙ୍କୁ ଦିନିକିଆରେ ପାଳି ଆରମ୍ଭ ସୁଯୋଗ ଦେଇଥିଲି। ସେ ଶତକ ହାସଲ କରିଥିଲେ। ଜଣଙ୍କ ପାଖରେ ଥିବା ଦକ୍ଷତା ଏବଂ ମ୍ୟାଚ୍ ବିଜେତା କ୍ଷମତାକୁ ଲୁଚାଇ ରଖି ହେବନାହିଁ ବୋଲି ଗାଙ୍ଗୁଲି କହିଥିଲେ।
ସେହିଭଳି ୨୦୦୪ ମସିହାରେ ଗାଙ୍ଗୁଲିଙ୍କ ଅଧିନାୟକତ୍ୱ ସମୟରେ ହିଁ ମହେନ୍ଦ୍ର ସିଂହ ଧୋନି ଦିନିକିଆ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଗାଙ୍ଗୁଲିଙ୍କ ସମର୍ଥନ ପାଇଁ ହିଁ ଏହି ଓ୍ଵିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଦଳକୁ ଆସିଥିଲେ। କିଛି ଖରାପ ପ୍ରଦର୍ଶନ ପରେ ତାଙ୍କୁ ୩ ନମ୍ବର ସ୍ଥାନରେ ଜାଗା ମିଳିଥିଲା। ପାକିସ୍ତାନ ବିପକ୍ଷରେ ୧୪୮ ରନ୍ର କିଛି ମାସ ପରେ ଶ୍ରୀଲଙ୍କା ବିପକ୍ଷରେ ୧୮୩ ରନ୍ର ବିସ୍ଫୋରକ ଶତକ ଯିଏ ଦେଖିଛି ସେ ଧୋନିଙ୍କୁ ଭୁଲି ପାରିନାହିଁ। ଦଳକୁ ଆସିବା ବେଳେ ଧୋନି ପ୍ରଥମ ଦୁଇ ମ୍ୟାଚ୍ରେ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିଲେ। କିନ୍ତୁ ଭାଇଜାକ୍ ପାଳି (୧୪୮*) ପରେ ତାଙ୍କ ସାମର୍ଥ୍ୟ କଥା ଅନ୍ୟମାନେ ଜାଣିଥିଲେ। ଧୋନି ଏଭଳି ଏକ ଅଞ୍ଚଳରୁ (ରାଞ୍ଚି) ଆସି ଲମ୍ବା ସମୟ ଧରି ଭାରତୀୟ ଦଳ ପାଇଁ ଖେଳିବା ଗାଙ୍ଗୁଲିଙ୍କୁ ବିଶେଷ ଭାବେ ଆନନ୍ଦିତ କରିଛି। ଆମେ ଗୋଟିଏ ଅଞ୍ଚଳ (ପୂର୍ବାଞ୍ଚଳ)ରୁ ଆସିବା, ଦେଶ ପାଇଁ ଏତେ ମ୍ୟାଚ୍ ଖେଳିବା ଏବଂ ନେତୃତ୍ୱ ନେବା କମ୍ କଥା ନ ଥିଲା। ମୋ ସମୟରେ ଟେ୍ଵଣ୍ଟି-୨୦ ଏତେ ନ ଥିଲା। ମୁଁ ପ୍ରାୟ ୪୫୦ ମ୍ୟାଚ୍ ଖେଳିଛି। ଧୋନି କାର୍ଡିଫରେ କିଛି ସପ୍ତାହ ତଳେ ନିଜର ୫୦୦ତମ ମ୍ୟାଚ୍ ଖେଳିଥିଲେ। ଗୋଟିଏ ଅଞ୍ଚଳରୁ ଦୁଇ ଜଣ ଅଧିନାୟକ ହେବା ଗର୍ବର କଥା ବୋଲି ଗାଙ୍ଗୁଲି କହିଥିଲେ। ସମୟକ୍ରମେ ଖେଳ ବଦଳିଯାଇଛି। ଫିଟନେସ୍ ସ୍ତର ମୁଖ୍ୟ ଭୂମିକା ନେଇଛି। ଦେଶ ଏବେ ବିରାଟ କୋହଲି ଏବଂ ତାଙ୍କ ଦଳଠାରୁ ଅନେକ କିଛି ଆଶା ରଖିଛି। ସିଏ ବି ଏଭଳି ଜଣେ ଖେଳାଳି ଯିଏ ପ୍ରଭାବ ଛାଡ଼ିଛନ୍ତି। ସିଏ କେଉଁଠି ଖେଳୁଛନ୍ତି ପ୍ରଶଂସକ ପିଛା କରିବା ହିଁ ତାଙ୍କ ପ୍ରଭାବ ବୋଲି ଗାଙ୍ଗୁଲି କହିଥିଲେ।
ଜର୍ସି ଖୋଲିବାରୁ ରୋକିଥିଲେ ଲକ୍ଷ୍ମଣ
ଲର୍ଡସରେ ୨୦୦୨ ମସିହାର ସ୍ମରଣୀୟ ନାଟ୍େଓ୍ଵଷ୍ଟ୍ ଟ୍ରଫି ବିଜୟ ପରେ ସୌରଭ ଗାଙ୍ଗୁଲି ତାଙ୍କ ଜର୍ସି ଖୋଲି ବୁଲାଇବା ଦୃଶ୍ୟ ଏବେ ବି ଚର୍ଚାକୁ ଆସିଥାଏ। କିନ୍ତୁ ସେତେବେଳେ ଭିଭିଏସ୍ ଲକ୍ଷ୍ମଣ ତାଙ୍କୁ ଏଭଳି ନ କରିବାକୁ କହିଥିଲେ। ଲକ୍ଷ୍ମଣଙ୍କ କଥା କିନ୍ତୁ ଗାଙ୍ଗୁଲି ମାନି ନ ଥିଲେ। ବରଂ ତୁମେ ବି ଖୋଲିଦିଅ ବୋଲି କହିଥିଲେ। ଏହି ଘଟଣା ପାଇଁ ସେ ଅଦୌ ଅନୁତପ୍ତ ନଥିଲେ। କେବଳ ସାମାନ୍ୟ ଖରାପ ଲାଗିଥିଲା। ଦିନେ ମୋ ଝିଅ ବି ଏଭଳି କାହିଁକି କରିଥିଲ ବୋଲି ପ୍ରଶ୍ନ କରିଥିଲା। କ୍ରିକେଟ୍ରେ କ’ଣ ଏଭଳି କରାଯାଏ ବୋଲି ପ୍ରଶ୍ନ କରିଥିଲା। କିନ୍ତୁ ଏହା ପୂର୍ବରୁ ଭାରତ ଗସ୍ତ ବେଳେ ଆଣ୍ଡ୍ରିଉ ଫ୍ଲିଣ୍ଟଫ୍ ଓ୍ଵାଙ୍ଖ୍ଡେ ଷ୍ଟାଡିୟମ୍ରେ ନିଜ ଜର୍ସି ଖୋଲି ପଡ଼ିଆ ସାରା ବୁଲିବା ଘଟଣାରୁ ସେ ପ୍ରେରଣା ପାଇଥିବା ସ୍ୱୀକାର କରିଥିଲେ। ସେହିବର୍ଷ ପ୍ରାରମ୍ଭରେ ଦିନିକିଆ ଶୃଙ୍ଖଳା ୩-୩ରେ ଥିବାବେଳେ ଓ୍ଵାଙ୍ଖ୍ଡେ ମ୍ୟାଚ୍ ସହ ଶୃଙ୍ଖଳା ଜିତିବା ପରେ ଫ୍ଲିଣ୍ଟଫ୍ ଏଭଳି କରିଥିଲେ।