ମିଳିତ ପଦାର୍ପଣର ମହାନ ‌ଯୋଡ଼ି, ରାହୁଲ ଦ୍ରାବିଡ଼-ସୌରଭ ଗାଙ୍ଗୁଲି

ରାହୁଲ ଦ୍ରାବିଡ଼-ସୌରଭ ଗାଙ୍ଗୁଲି, ଭାରତ-ଇଂଲଣ୍ଡ, ଲର୍ଡସ, ୧୯୯୬
୧୯୯୬ ମସିହାରେ ଭାରତର ଇଂଲଣ୍ଡ ଗସ୍ତରେ ଟେଷ୍ଟ୍‌ କ୍ରିକେଟ୍‌କୁ ଆସିଥିଲେ ରାହୁଲ ଦ୍ରାବିଡ଼ ଓ ସୌରଭ ଗାଙ୍ଗୁଲି। ଉଭୟ ପଦାର୍ପଣରେ ବି ଚମତ୍କାର କରିଥିଲେ। ଗାଙ୍ଗୁଲି ଗସ୍ତର ଉଭୟ ଟେଷ୍ଟ୍‌ରେ ଶତକ ହାସଲ କରିଥିଲେ। ଦ୍ରାବିଡ଼ ଉଭୟରେ ଅର୍ଧଶତକ ସହ ଅନ୍ତର୍ଜାତୀୟ ଆଗମନ କରିଥିଲେ। ଏହି ବାମ ଓ ଡାହାଣହାତୀ ବ୍ୟାଟସମ୍ୟାନ୍‌ ଲମ୍ବା ସମୟ ଧରି ଭାରତୀୟ କ୍ରିକେଟ୍‌କୁ ସେବା କରିବା ସହ ଅଧିନାୟକତ୍ବ ବି କରିଥିଲେ। ଗାଙ୍ଗୁଲି ଶତକ (୧୬) ହାସଲ କରିଥିବା କୌଣସି ଟେଷ୍ଟ୍‌ ଭାରତ ହାରିନଥିଲା। ରାହୁଲ ଦ୍ରାବିଡ଼ଙ୍କ ୩୬ ଶତକ ମଧ୍ୟରୁ ମାତ୍ର ୪ଟିରେ ଭାରତ ହାରିଥିଲା। ଏହି ୪ଟିରୁ ୩ଟି ଶତକ ୨୦୧୧ରେ ଇଂଲଣ୍ଡ ଗସ୍ତରେ ଥିଲା। ଭାରତ ସେହି ଶୃଙ୍ଖଳାକୁ ୦-୪ରେ ହାରିଥିଲା। ଦ୍ରାବିଡ଼ ନିଜ ସମଗ୍ର ୧୬ ବର୍ଷର କ୍ରିକେଟ୍ ଜୀବନରେ ମାତ୍ର ୩ଟିରୁ ବଞ୍ଚିତ ହୋଇଥିଲେ। ଗାଙ୍ଗୁଲିଙ୍କ ଖେଳ ଜୀବନରେ ଅନେକ ଉତ୍‌ଥାନ ପତନ ଘଟିଥିଲା, କିନ୍ତୁ ତାଙ୍କ ହାରାହାରି କେବେ ବି ୪୦ ତଳକୁ ଯାଇନଥିଲା।
ପ୍ରମୁଖ ତଥ୍ୟ: ଗାଙ୍ଗୁଲି ମୋଟ ୧୧୩ ଟେଷ୍ଟ୍‌ ଖେଳିଥିଲେ, ଦ୍ରାବିଡ଼ ଏହି ୧୧୩ ଟେଷ୍ଟ୍‌ରେ ବି ତାଙ୍କ ସହ ଥିଲେ।

ଭିଭିଆନ୍ ରିଚାର୍ଡସ-ଗର୍ଡନ ଗ୍ରିନିଜ୍‌
ଭାରତ-ୱେଷ୍ଟଇଣ୍ଡିଜ୍,‌ ବେଙ୍ଗାଲୁରୁ, ୧୯୭୪
ଗ୍ରିନିଜ୍ ଓ ରିଚାର୍ଡସ ସମାନ ଟେଷ୍ଟ୍‌ରେ ପଦାର୍ପଣ କରି‌ ଖେଳ ଜୀବନର ପ୍ରାରମ୍ଭରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଗ୍ରିନିଜ୍‌ ୯୩ ଓ ୧୦୭ ରନ୍ କରିଥିଲେ। ରିଚାର୍ଡସ କିନ୍ତୁ ନିଜ ଦ୍ବିତୀୟ ଟେଷ୍ଟ୍‌ରେ ୧୯୨ ରନ୍ କରିଥିଲେ। ଉଭୟ ମଧ୍ୟ ସମାନ ବର୍ଷ (୧୯୯୧) ଅବସର ନେଇଥିଲେ। ଅବସର ବେଳକୁ ରିଚାର୍ଡସ ୱେଷ୍ଟଇଣ୍ଡିଜ୍‌ର ଅଗ୍ରଣୀ ରନ୍‌ ସ୍କୋରର୍‌ ଥିଲେ, ଗ୍ରିନିଜ୍ ସେତେବେଳେ ତୃତୀୟରେ ରହିଥିଲେ। ଅବସରର ୨୯ ବର୍ଷ ପରେ ବି ଉଭୟ ଶୀର୍ଷ ୫ ଭିତରେ ରହିଛନ୍ତି।
ପ୍ରମୁଖ ତଥ୍ୟ: ୱେଷ୍ଟଇଣ୍ଡିଜ୍‌ର ୬୩ ବିଜୟରେ ରିଚାର୍ଡସ ଅଂଶବିଶେଷ ଥିଲେ, ଯାହାକି ଇଣ୍ଡିଜ୍ ପାଇଁ ସର୍ବାଧିକ। ୫୭ ଟେଷ୍ଟ୍‌ ଖେଳି ଗ୍ରିନିଜ୍‌ ତୃତୀୟରେ ଥିଲେ।

ସଚିନ ତେନ୍ଦୁଲକର ଓ ୱାକର୍‌ ୟୁନିସ୍‌ ଭାରତ-ପାକିସ୍ତାନ, କରାଚୀ, ୧୯୮୯
ସମାନ ଟେଷ୍ଟ୍‌ରେ ପଦାର୍ପଣ କରି ୭୫ରୁ ଊର୍ଧ୍ବ ମ୍ୟାଚ୍‌ ଖେଳିଥିବା ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳର ଏକମାତ୍ର ଯୋଡ଼ି ହେଲେ ସଚିନ ତେନ୍ଦୁଲକର ଏବଂ ୱାକର୍ ୟୁନିସ୍‌। ପଦାର୍ପଣ ଟେଷ୍ଟ୍‌ରେ ୱାକର୍ କିନ୍ତୁ ତେନ୍ଦୁଲକରଙ୍କୁ ଆଉଟ୍ କରିଥିଲେ। ସଚିନ କିନ୍ତୁ ପରବର୍ତୀ ସର୍ବାଧିକ ରନ୍ ଓ ଶତକ ସଂଗ୍ରହକାରୀ ହୋଇଛନ୍ତି। ୟୁନିସ୍‌ ପାକିସ୍ତାନର ଦ୍ବିତୀୟ ଅଗ୍ରଣୀ ୱିକେଟ ହାସଲକାରୀ ଅଛନ୍ତି। ପଦାର୍ପଣ ଶୃଙ୍ଖଳା ପରେ କିନ୍ତୁ ଉଭୟ ମାତ୍ର ୨ ଥର ଟେଷ୍ଟ୍‌ କ୍ରିକେଟ୍‌ରେ (୧୯୯୯) ମୁହାଁମୁହିଁ ହୋଇଥିଲେ। (ପ୍ରାୟ ୧୦ ବର୍ଷ ହେବ ଭାରତ ଓ ପାକିସ୍ତାନ ଟେଷ୍ଟ୍ ଖେଳିନଥିଲେ)।
ପ୍ରମୁଖ ତଥ୍ୟ: ୪ ଟେଷ୍ଟ୍‌ରେ ସଚିନଙ୍କୁ ୱାକର୍‌ ଥରେ ମାତ୍ର ଆଉଟ୍ କରିଥିଲେ। ୨୩ ଦିନିକିଆରେ କିନ୍ତୁ ୪ ଥର ସଚିନଙ୍କୁ ଶିକାର କରିଥିଲେ ୱାକର୍‌।

ଏବି ଡିଭିଲିୟର୍ସ-ଡେଲ୍ ଷ୍ଟେନ୍‌
ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ, ପୋର୍ଟ ଏଲିଜାବେଥ୍‌, ୨୦୦୪
ଏକାଠି ପଦାର୍ପଣ କରି ନିଜ ଜୀବନ‌ରେ ଅନ୍ୟୁନ ୭୫ ଟେଷ୍ଟ୍ ଖେଳିଥିବା ଏକମାତ୍ର ବ୍ୟାଟସମ୍ୟାନ୍‌ ବୋଲର ଯୋଡ଼ି ହେଲେ ଏବି ଡି’ଭିଲିୟର୍ସ-ଡେଲ୍ ଷ୍ଟେନ୍‌। ଏବି ଡି’ଭିଲିୟର୍ସ ଦକ୍ଷିଣ ଆଫ୍ରିକାର ଚତୁର୍ଥ ଅଗ୍ରଣୀ ରନ୍ ସ୍କୋରର୍‌ ଏବଂ ଅନ୍ୟୁନ ୩୦୦୦ ରନ୍ ଓ ୫୦ ହାରରେ ବ୍ୟାଟିଂ କରିଥିବା ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ପଦାର୍ପଣଠାରୁ ଲଗାତାର ଭାବେ ୯୮ ଟେଷ୍ଟ୍ ଖେଳିଥିଲେ ଡି’ଭିଲିୟର୍ସ। ସନ୍ ପୋଲକଙ୍କୁ ପଛରେ ପକାଇ ଡେଲ୍ ଷ୍ଟେନ୍ ଦେଶର ଅଗ୍ରଣୀ ୱିକେଟ୍ ଦଖଲକାରୀ ରହିଥିଲେ। ୨୦୦୮ରୁ ୨୦୧୪ ମସିହା ପର୍ଯ୍ୟନ୍ତ ସେ ଆଇସିସି ମାନ୍ୟତାରେ ଏକ ନମ୍ବର ରହିଥିଲେ।
ପ୍ରମୁଖ ତଥ୍ୟ: ଟେଷ୍ଟ୍ ବିଜୟରେ ଷ୍ଟେନ୍‌ଙ୍କ ଷ୍ଟ୍ରାଇକ୍ ରେଟ୍‌ ୩୨.୧। ୧୫୦ରୁ ଊର୍ଧ୍ବ ୱିକେଟ ଦଖଲକାରୀଙ୍କ ମଧ୍ୟରେ ଏହା ସର୍ବାଧିକ। ସେହ‌ିଭଳି ଅନ୍ୟୁନ ୫୦ ବିଜୟ ମଧ୍ୟରେ ଦକ୍ଷିଣ ଆଫ୍ରିକା ପାଇଁ ଡିଭିଲିୟର୍ସ ୬୩.୪୩ ହାରରେ ବ୍ୟାଟିଂ କରିଛନ୍ତି।

ଆଲେକ ଷ୍ଟିୱାର୍ଟ-ନାସିର୍ ହୁସେନ
ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌, କିଙ୍ଗଷ୍ଟନ୍, ୧୯୯୦
୧୯୯୦ ଜାମାଇକା ଟେଷ୍ଟ୍‌ରେ ଷ୍ଟିୱାର୍ଟ ଓ ହୁସେନ୍ ମିଳିତ ପଦାର୍ପଣ କରିଥିଲେ। ପ୍ରଥମରୁ ଷ୍ଟିୱାର୍ଟ ନିଜ ସ୍ଥାନକୁ ସୁରକ୍ଷିତ କରି ନେଇଥିଲେ। ହୁସେନ କିନ୍ତୁ ୧୯୯୫ ପର୍ଯ୍ୟନ୍ତ ମାତ୍ର ୭ ଟେଷ୍ଟ୍‌ ଖେଳିଥିଲେ। ୧୯୯୬ ମସିହାଠାରୁ କିନ୍ତୁ ଉଭୟ ଦଳର ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଯାଇଥିଲେ। ପଦାର୍ପଣ ବର୍ଷରେ ହିଁ ଟେଷ୍ଟ୍‌ରେ ଅଗ୍ରଣୀ ରନ୍‌ ସ୍କୋରର୍ ହୋଇଥିଲେ ଷ୍ଟିୱାର୍ଟ। ସେ ଗ୍ରାହାମ୍ ଗୁଚଙ୍କ ପରେ ଇଂଲଣ୍ଡର ଦ୍ବିତୀୟ ରନ୍ ସଂଗ୍ରହକାରୀ ହୋଇଥିଲେ ଏବଂ ଅବସର‌ ବେଳକୁ (୧୩୩ ଟେଷ୍ଟ୍‌) ଇଂଲଣ୍ଡର ସର୍ବାଧିକ ମ୍ୟାଚ୍‌ ଖେଳାଳି ଥିଲେ। ୧୯୯୯ରୁ ୨୦୦୩ ମଧ୍ୟରେ ହୁସେନ୍‌ ୪୫ ଟେଷ୍ଟ୍‌ରେ ନେତୃତ୍ବ ନେଇଥିଲେ। ୨୦୦୦ରେ ପାକିସ୍ତାନ ଓ ୨୦୦୧ରେ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ବି ଜିତିଥିଲେ।
ପ୍ରମୁଖ ତଥ୍ୟ: ୱିକେଟରକ୍ଷକ ଷ୍ଟିୱାର୍ଟ ଇଂଲଣ୍ଡ ପାଇଁ ସର୍ବାଧିକ ଡିସ୍‌ମିଶାଲ୍ (୨୭୭) କରିଛନ୍ତି। ହୁସେନ୍‌ ୩ ଓ ୪ ନମ୍ବର ସ୍ଥାନରେ ଦେଶ ପାଇଁ ମିଳିତ ସର୍ବାଧିକ ୧୪୭ ଥର ଖେଳିଥିଲେ।

ଦିଲିପ ଭେଙ୍ଗସରକାର-ସୟଦ କିର୍ମାନି
ନ୍ୟୁଜିଲାଣ୍ଡ୍‌-ଭାରତ, ଅକଲାଣ୍ଡ୍‌, ୧୯୭୬
୨୦୦୦ ମସିହା ପର୍ଯ୍ୟନ୍ତ ଦେଶର ଦ୍ବିତୀୟ ସଫଳତମ ବ୍ୟାଟ୍‌ସମ୍ୟାନ୍ ଥିଲେ ଦିଲୀପ ଭେଙ୍ଗସରକାର ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ପୂର୍ବରୁ ସୟଦ କିର୍ମାନି ଥିଲେ ସଫଳତମ ୱିକେଟରକ୍ଷକ। ଉଭୟ ଗୋଟିଏ ଟେଷ୍ଟ୍‌ରେ ପଦାର୍ପଣ କରିଥିଲେ। ଭେଙ୍ଗସରକାର ୧୧୬ ଟେଷ୍ଟ୍ ଖେଳି ୧୭ ଶତକ ସହାୟତାରେ ୬୮୬୮ ରନ୍ ସହ ୧୯୯୨ରେ ଅବସର ନେଇଥିଲେ। ସବୁ ମାପକାଠିରେ ସେ ସୁନିଲ ଗାଭାସ୍କରଙ୍କ ତଳକୁ ଦ୍ବିତୀୟରେ ରହିଥିଲେ। ଅନ୍ୟପକ୍ଷରେ କିର୍ମାନି ୱିକେଟ୍‌ରକ୍ଷକ ଭାବେ ସମସ୍ତ ୮୮ ‌ଟେଷ୍ଟ୍ ଖେଳିଥିଲେ। ୧୯୮୬ରେ ସେ ଅବସର ନେଇଥିଲେ, ସେତେବେଳକୁ ତାଙ୍କଠାରୁ ମାତ୍ର ୩ ଜଣ ଆଗରେ ରହିଥିଲେ। ବର୍ତମାନ ସେ ଅଷ୍ଟମରେ ରହିଛନ୍ତି।

ସମ୍ବନ୍ଧିତ ଖବର