ଲଣ୍ଡନ: କ୍ରିକେଟ୍ ଇତିହାସର ସବୁଠାରୁ ‌ଚର୍ଚ୍ଚିତ, ଲୋକପ୍ରିୟ ତଥା ସମସ୍ତଙ୍କ ପସନ୍ଦର ଅମ୍ପାୟାର ଡିକି ବାର୍ଡଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ବାର୍ଡ ତିନିଟି ବିଶ୍ବକପ୍ ଫାଇନାଲ୍ ସହ ୬୬ ଟେଷ୍ଟ୍, ୬୯ ଦିନିକିଆରେ ଅମ୍ପାୟରିଂ କରିଥିଲେ। ନିଜ ନିର୍ଭୁଲ୍‌ ନିଷ୍ପତ୍ତି ପାଇଁ କ୍ରିକେଟ୍‌ପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ତାଙ୍କ ପରଲୋକରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳି ଯାଇଛି।  ୧୯୫୬ ମସିହାରେ ୟର୍କସାୟର କାଉଣ୍ଟି କ୍ଲବ୍‌ର ଶୀର୍ଷକ୍ରମ ବ୍ୟାଟର୍‌ ଭାବେ କ୍ରିକେଟ୍ କ୍ୟାରିୟର୍ ଆରମ୍ଭ କରିଥିବା ଏହି ମହାନ ଅମ୍ପାୟାର ପରବର୍ତ୍ତୀ ସମୟରେ ଏହାର ସଭାପତି ପଦ ଅଳଙ୍କୃତ କରିଥିଲେ। କ୍ରିକେଟ୍ ପ୍ରତି ତାଙ୍କ ଅତୁଳନୀୟ ଅବଦାନ ଲାଗି ୧୯୮୬ ମସିହାରେ ବ୍ରିଟିସ୍ ରାଜକୀୟ ସମ୍ମାନ ଏମ୍‌ବିଇ ଏବଂ ୨୦୧୨ରେ ଓବିଇ ହାସଲ କରିଥିଲେ। ବାର୍ଡ ଶାନ୍ତିର ସହ ତାଙ୍କ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ତାଙ୍କ ପଛରେ ଖେଳୁଆଡ଼ ମନୋଭାବ, ବିନମ୍ରତା ଓ ଆନନ୍ଦର ଅପୂର୍ବ ଓ ମହନୀୟ ପରମ୍ପରା ଛାଡ଼ି ଯାଇଛନ୍ତି। ପିଢ଼ି ପରେ ପିଢ଼ି ନିଜ ପ୍ରଶଂସକଙ୍କ ଲମ୍ବା ଧାଡ଼ି ଛାଡ଼ି ଯାଇଛନ୍ତି ବୋଲି ୟର୍କସାୟାର ଜାରି କରିଥିବା ଶୋକବାର୍ତ୍ତାରେ କହିଛି। 

Advertisment

ୟର୍କସାୟାରରେ ହେରୋଲ୍‌ଡ ଡେନିସ୍ ବାର୍ଡ ଭାବେ ଜନ୍ମଗ୍ରହଣ କରିଥିବା ବାର୍ଡ ଫୁଟବଲ୍‌ରେ କ୍ୟାରିୟର୍ କରିବାକୁ ଚାହୁଥିଲେ। ହେଲେ ଆଣ୍ଠୁ ଯନ୍ତ୍ରଣା ପାଇଁ  ନିଜ ଦ୍ବିତୀୟ ପ୍ରେମ କ୍ରିକେଟ୍ ଆଡ଼କୁ ଢଳିଥିଲେ। ଖେଳାଳି ଜୀବନ ଶେଷ ହେବା ପରେ ୧୯୭୦ରେ ଅମ୍ପାୟାରିଂ କରିବା ଆରମ୍ଭ କରି ୧୯୯୬ରେ ଅବସର ଘୋଷଣା କରିଥିଲେ। ୨୦୦୭ରେ ପୂର୍ବତନ କ୍ରିକେଟର୍‌ଙ୍କୁ ନେଇ ଖେଳାଯାଇଥିବା ଏକ ପ୍ରତିଯୋଗିତା ତାଙ୍କର ଶେଷ ଅମ୍ପାୟାରିଂ ଶୃଙ୍ଖଳା ଥିଲା।