ବେଜିଂକୁ ଅଲିମ୍ପିକ୍‌ ମଶାଲ ହସ୍ତାନ୍ତର କଲା ଗ୍ରିସ୍‌

ଏଥେନ୍ସ: ଗ୍ରିସ୍‌ ମଙ୍ଗଳବାର ୨୦୨୨ ବେଜିଂ ଶୀତକାଳୀନ ‌କ୍ରୀଡ଼ା ଲାଗି ଅଲିମ୍ପିକ୍ ମଶାଲ ଆୟୋଜକଙ୍କୁ ହସ୍ତାନ୍ତର କରିଛି। ଐତିହାସିକ ଏଥେନ୍ସର ପାନାଥେନାଇକ ଷ୍ଟାଡିୟମ‌ଠାରେ ହେଲେନିକ ଅଲିମ୍ପିକ୍ ସମିତି ମୁଖ୍ୟ ସ୍ପାୟରସ କାପ୍ରା‌ଲସ ଅଲିମ୍ପିକ୍‌ ମଶାଲକୁ ବେଜିଂ ୨୦୨୨ ଏବଂ ଚାଇନିଜ୍‌ ଅଲିମ୍ପିକ୍‌ ସମିତି ଉପସଭାପତି ୟୁ ଜାକିଙ୍ଗ୍‌ଙ୍କୁ ପ୍ରଦାନ କରିଥିଲେ। ‘‘ଅଲିମ୍ପିକ୍‌ ମଶାଲ ଗ୍ରେଟ୍‌ ୱାଲ୍‌ ସହ ସାରା ଚୀନ୍‌ ପରିଭ୍ରମଣ କରିବ। ଏହା ଶାନ୍ତି ଓ ବନ୍ଧୁତ୍ବର ଆଲୋକ ଆଣିବ। ଚୀନ୍ ଶୃଙ୍ଖଳିତ, ନିରାପଦ ଓ ଚମତ୍କାର ଭାବେ ଏହାକୁ ଆୟୋଜନ କରିବାକୁ ପ୍ରତିଶୃତିବଦ୍ଧ’’ ବୋଲି ୟୁ କହିଛନ୍ତି। ଆସନ୍ତା ବର୍ଷ ଫେବ୍ରୁଆରି ୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୮୫ ଜାତୀୟ ଅଲିମ୍ପିକ୍‌ ସମିତିରୁ ୨୯୦୦ରୁ ଊର୍ଦ୍ଧ୍ବ ‌ଆଥ୍‌ଲେଟ୍‌ ଭାଗନେବେ। ବିନା ଦର୍ଶକରେ ଆୟୋଜିତ ‌ଅଲିମ୍ପିକ୍ ମଶାଲ ହସ୍ତାନ୍ତର ଉତ୍ସବ‌ରେ କେବଳ କିଛି ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର