ଶେଷ ଓଭରରେ ଅଫ୍‌ ସ୍ପିନର ଦେଖି ଲୋଭ ଲାଗିଥିଲା: ହାର୍ଦିକ

ଆବୁଧାବି : ସାଧାରଣତଃ ସୀମିତ ଓଭର କ୍ରିକେଟ୍‌ ମ୍ୟାଚ୍‌ରେ କୌଣସି ପାଳିର ଶେଷ ଓଭର ବୋଲିଂ କରିବାକୁ ଦ୍ରୁତ ବୋଲର ଆସିଥା’ନ୍ତି। ହେଲେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ମ୍ୟାଚ୍‌ରେ ବ୍ୟତିକ୍ରମ ଦେଖାଯାଇଥିଲା। ମୁମ୍ବାଇର ବ୍ୟାଟିଂ ବେଳେ ଶେଷ ତଥା ୨୦ତମ ଓଭର ବୋଲିଂ କରିବାକୁ ଆସିଥିଲେ ପଞ୍ଜାବ ଅଫ୍‌ ସ୍ପିନର କୃଷ୍ଣପ୍ପା ଗୌତମ। ସେତେବେଳକୁ କ୍ରିଜ୍‌ରେ ବ୍ୟାଟିଂ ପାଇଁ ଥାଆନ୍ତି ଦୁଇ ବିଗ୍‌ ହିଟର ହାର୍ଦିକ ପାଣ୍ଡ୍ୟା ଏବଂ କିରଣ ପୋଲାର୍ଡ। ତେଣୁ ଅଫ୍‌ ସ୍ପିନର ବୋଲିଂକୁ ଆସିବା ଦେଖିବାମାତ୍ରେ ଆମର ଲୋଭ ଆସିଥିଲା। ତାଙ୍କୁ ଆକ୍ରମଣ କରିବା ସହଜ ହେବ ବୋଲି ଭାବି ନେଇଥିଲୁ। ଅବଶ୍ୟ ସେହି ଓଭରରେ ରନ୍‌ ସଂଗ୍ରହ ଲାଳସ‌ା ମଧ୍ୟ ମେଣ୍ଟାଇଥିଲୁ ବୋଲି କହିଛନ୍ତି ମୁମ୍ବାଇ ଦଳର ଭାରତୀୟ ଅଲ୍‌ରାଉଣ୍ଡର ପାଣ୍ଡ୍ୟା। ୨୦ତମ ଓଭରରେ ଉଭୟ ପାଣ୍ଡ୍ୟା ଓ ପୋଲାର୍ଡ ୨୫ ରନ୍‌ ଆଦାୟ କରିଥିଲେ। ଦୁ‌ହେଁ ମଧ୍ୟ ୨୩ ବଲ୍‌ରୁ ୬୭ ରନ୍‌ର ଭାଗୀଦାରି ଗଢ଼ିଥିଲେ।

ମୁମ୍ବାଇ ଇଣ୍ଡିଆନ୍‌ସ ୟୁଟ୍ୟୁବ୍‌ ଚାନେଲ୍‌ ପାଇଁ ହାର୍ଦିକ୍‌ଙ୍କଠୁ ଏକ ସାକ୍ଷାତକାର ନେଇଥିଲେ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା। ସ୍ପିନର ଗୌତମ ଶେଷ ଓଭର ବୋଲିଂକୁ ଆସିବା ଦେଖିଲ ସେତେବେଳେ ତୁମର ଅନୁଭବ କିପରି ଥିଲା ବୋଲି ପଚାରିଥିଲେ କ୍ରୁନାଲ। ଏହାର ଉତ୍ତରରେ ହାର୍ଦିକ୍‌ କହିଥିଲେ, ‘ଏହା ବହୁତ ଆଶ୍ଚର୍ଯ୍ୟଜନକ ଥିଲା, ଜଣେ ଅଫ୍‌ ସ୍ପିନର ୨୦ତମ ଓଭର ବୋଲିଂ କରିବା ପାଟିରୁ ଲାଳ ଗଡ଼ିବା ଭଳିଠୁ ବି ଅଧିକ ଅନୁଭବ ଥିଲା। ମୁଁ ଓ ପୋଲାର୍ଡ ବଡ଼ ସର୍ଟ ଖେଳିବାର ନିଷ୍ପତ୍ତି ନେଇଥିଲୁ। ମୁଁ ଦୁଇଟି ବଲ୍‌ ହାତଛଡ଼ା କରିଥିଲେ ବି ପୋଲାର୍ଡ ରନ୍‌ ବର୍ଷା କରିଥିଲେ। ପୋଲାର୍ଡଙ୍କ ସହ ବ୍ୟାଟିଂ କରିବାକୁ ସବୁବେଳେ ଉପଭୋଗ କରେ’ ବୋଲି କହିଥିଲେ ୨୬ ବର୍ଷ ବୟସ୍କ ହାର୍ଦିକ୍‌।

ସମ୍ବନ୍ଧିତ ଖବର