ଗ୍ରେଗ୍ ବାର୍କଲେ ଆଇସିସିର ନୂଆ ଅଧ୍ୟକ୍ଷ

ଦୁବାଇ: ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ମୁଖ୍ୟ ଗ୍ରେଗ୍ ବାର୍କଲେ ଆଇସିସିର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଆଇସିସିର ତ୍ରୈମାସିକ ବୈଠକରେ ୧୧-୫ ଭୋଟରେ ସିଙ୍ଗାପୁରର ଇମ୍ରାନ ଖୱାଜାଙ୍କୁ ପରାସ୍ତ କରି ବାର୍କଲେ ୬ ଭୋଟ ବ୍ୟବଧାନରେ ଏହି ସମ୍ମାନଜନକ ପଦ ହାସଲ କରିଛନ୍ତି। ଭୋଟିଂ ପ୍ରକ୍ରିୟାରେ ମୋଟ ୧୬ ଜଣ ବୋର୍ଡ ନିର୍ଦ୍ଦେଶକ (୧୨ ଟେଷ୍ଟ୍ ଖେଳୁଥିବା ଦେଶ, ୩ ସହଯୋଗୀ ସଦ୍ୟ ଏବଂ ଜଣେ ନିରପେକ୍ଷ ମହିଳା ନିର୍ଦ୍ଦେଶିକା, ଇନ୍ଦ୍ରା ନୁଇ ପେପ୍ପିକୋ) ଅଂଶ ଗ୍ରହଣ କରିଥିଲେ। ଚଳିତ ସପ୍ତାହରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟରେ ବାର୍କଲେ କିନ୍ତୁ ୧୦ଟି ଭୋଟ ପାଇଥିଲେ। ‌ତେବେ ଅଧ୍ୟକ୍ଷ ନିର୍ବାଚିତ ହେବା ଲାଗି ଦୁଇ ତୃତୀୟାଂଶ ‌ଭୋଟ ପାଇବା ଜରୁରୀ ଥିଲା। ଏଣୁ ସବୁକିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡର ଭୋଟ ଉପରେ ନିର୍ଭରଶୀଳ ଥିଲା। ଦକ୍ଷିଣ ଆଫ୍ରିକାର ବିଜୟ ସୂଚକ ସମର୍ଥନ ପାଇବା ପରେ ମୋଟ ୧୧ ଭୋଟ ସହ ଆଇସିସିର ନୂଆ ଅଧ୍ୟକ୍ଷ ହୋଇଥିଲେ ସେ।

ବାର୍କଲେ ପୂର୍ବତନ ବିସିସିଆଇ ସଭାପତି ଶଶାଙ୍କ ମନୋହରଙ୍କ ସ୍ଥାନ ନେବେ। ବାର୍କଲେଙ୍କୁ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦେଶ ସମର୍ଥନ କରୁଥିଲେ। ଅନ୍ୟପକ୍ଷରେ ଖୱାଜାଙ୍କ ପଟରେ ପାକିସ୍ତାନ ସହ ଆଉ କେତେକ ଦେଶ ଥିଲେ। ଅକଲାଣ୍ଡ ଭିତ୍ତିକ ବାଣିଜ୍ୟିକ ଓକିଲ ବାର୍କଲେ ୨୦୧୨ ମସିହାରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶକ ଦାୟିତ୍ବ ତୁଲାଇ ଆସୁଛନ୍ତି। ସଂପ୍ରତି ସେ ଆଇସିସି ବୋର୍ଡରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ପ୍ରତିନିଧିତ୍ବ କରୁଛନ୍ତି। ଆସନ୍ତା କିଛି ଦିନ ଭିତରେ ଏହି ପଦରୁ ଇସ୍ତଫା ଦେଇ ଜଣେ ସ୍ବାଧୀନ ଅଧ୍ୟକ୍ଷ ଭାବେ ବିଶ୍ବ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥାର ନେତୃତ୍ବ ନେବେ। ଏହା ପୂର୍ବରୁ ବାର୍କଲେ ଆଇସିସି ପୁରୁଷ ବିଶ୍ବକପ୍ ୨୦୧୫ର ନିର୍ଦ୍ଦେଶକ ଦାୟିତ୍ବ ସଫଳତାର ସହ ତୁଲାଇଥିଲେ। ସେ ମଧ୍ୟ ନ୍ୟୁଜିଲାଣ୍ଡ ନଦର୍ନ ଡିଷ୍ଟ୍ରିଷ୍ଟ କ୍ରିକେଟ୍ ସଂଘର ବୋର୍ଡ ସଦସ୍ୟ ଓ ଅଧ୍ୟକ୍ଷ ଥିଲେ। ସେ ଅନେକ ଅଷ୍ଟ୍ରେଲୀୟ ଏବଂ କିୱି କଂପାନିର ନିର୍ଦ୍ଦେଶକ ଅଛନ୍ତି। ଉଭୟ ଦ୍ବିପାକ୍ଷିକ ଓ ଆଇସିସି ପ୍ରତିଯୋଗିତାକୁ ପ୍ରାଥମିକତା ଦେବେ ବୋଲି ନିର୍ବାଚିତ ହେବା ପରେ ଦେଇଥିବା ପ୍ରଥମ ପ୍ରତିକ୍ରିୟାରେ ବାର୍କଲେ କହିଥିଲେ।

ସମ୍ବନ୍ଧିତ ଖବର