୨୦୦୭ ଟି-୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ଦସ୍ତଖତ ଥିବା ବ୍ୟାଟକୁ ନିଲାମ କରିବେ ଗ୍ରେଗ ଚ୍ୟାପେଲ

ସିଡନୀ : ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳି ଓ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ଗ୍ରେଗ୍‌ ଚାପେଲଙ୍କ କଥା ଆପଣଙ୍କ ମନେ ଥିବ । ଭାରତୀୟ ଦଳର କୋଚ ଥିବାବେଳେ ତାଙ୍କର ଅନେକ କାର୍ଯ୍ୟକଳାପ ବିବାଦୀୟ ଥିଲା । ୨୦୦୭ରେ ଭାରତ ଖେଳିଥିବା ବିଶ୍ୱ କପରେ ଭାରତ ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଥିଲା । ଏଥିପାଇଁ ଅନେକ ତାଙ୍କୁ ଦାୟୀ କରିଥିଲେ । ତେବେ ତାଙ୍କ ଅମଳରେ ଭାରତ ପ୍ରଥମ ଟି-୨୦ ବିଶ୍ୱକପ ଜିତିଥିଲା । ଏହି ବିଶ୍ୱବିଜୟୀ ଟିମର ସବୁ ସଦସ୍ୟମାନଙ୍କ ଅଟୋଗ୍ରାଫ ସମ୍ବଳିତ ଏକ ବ୍ୟାଟ୍‌ ସେ ନିଜ ପାଖରେ ରଖିଛନ୍ତି । ଏବେ ସେ ଏହି ବ୍ୟାଟକୁ ନିଲାମ କରିବାକୁ ଯାଉଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଦ ଚାପେଲ ଫାଉଣ୍ଡେସନ ପାଇଁ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହି ବ୍ୟାଟ ସମେତ ନିଜ କ୍ରିକେଟ ଜୀବନର ଆଉ କିଛି ସନ୍ତକ ସେ ନିଲାମ କରିବେ । ବାସହୀନ ଲୋକମାନଙ୍କ ପାଇଁ ତାଙ୍କର ଏହି ଫାଉଣ୍ଡେସନ କାର୍ଯ୍ୟ କରୁଛି । ତେବେ ଏହି ବ୍ୟାଟ ନିଲାମରୁ ଅଧିକ ଅର୍ଥ ପାଇବା ପାଇଁ ସେ ଆଶା ରଖିଛନ୍ତି । ଆସନ୍ତା ୨୪ ତାରିଖରେ ଏଥିପାଇଁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏକ ଡିନରର ଆୟୋଜନ କରିଛନ୍ତି । ଏଥିପାଇଁ ୪୦୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ସେଥିରେ ୩୦ ଜଣ ପ୍ରବାସୀ ଭାରତୀୟ ଅଛନ୍ତି । ଏହି ନିଲାମରୁ ସେ ୨ ଲକ୍ଷ ଡଲାର ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର