ବିକାଶରେ ସୂର୍ଯ୍ୟୋଦୟ:ରଣଜୀ ଟ୍ରଫି: ଓଡ଼ିଶା ୨୭୩ ରନ୍‌ରେ ଆଗୁଆ

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ କଣ୍ଟାବାଡ଼ସ୍ଥିତ ବିକାଶ କ୍ରି‌କେଟ୍‌ ପଡ଼ିଆରେ ଚାଲିଥିବା ଗୋଆ ବିପକ୍ଷ ରଣଜୀ ଟ୍ରଫିର ଶେଷ ଲିଗ୍‌ ମ୍ୟାଚ୍‌ରେ ଓଡ଼ିଶା ଦୃଢ଼ ସ୍ଥିତିରେ ରହିଛି। ମଙ୍ଗଳବାର ଖେଳ ଶେଷ ସୁଦ୍ଧା ଓଡ଼ିଶା ୨୭୩ ରନ୍‌ରେ ଆଗୁଆ ରହିଛି। ଏହି ମ୍ୟ‌ାଚ୍‌ରେ ସୂର୍ଯ୍ୟକାନ୍ତ ପ୍ରଧାନ (୬୫ ରନ୍‌, ୫ ୱିକେଟ୍‌) ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଇ ଚମକିଛନ୍ତି। ସନ୍ଦୀପ ପଟ୍ଟନାୟକ (୧୦୦)ଙ୍କ ଶତକ ଏବଂ ଶାନ୍ତନୁ ମିଶ୍ର (୫୯)ଙ୍କ ଅର୍ଧଶତକ ବଳରେ ଓଡ଼ିଶା ପ୍ରଥମ ଦିନ ଧିମା ବ୍ୟାଟିଂ କରି ୨୨୯/୭ କରିଥିଲା। ଦ୍ବିତୀୟ ଦିନ ଓଡ଼ିଶାର ୩ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ (୬୫, ୫୯ ବଲ୍‌, ୪ ଛକା, ୫ ଚୌକା) ବସନ୍ତ ମହାନ୍ତି (୨୮, ୪୦ ବଲ୍‌, ୧ ଛକା, ୩ ଚୌକା) ଏବଂ ରାଜେଶ ମହାନ୍ତି (୩୦, ୨୫ ବଲ୍‌, ୧ ଛକା, ୪ ଚୌକା)ଙ୍କ ଧୁଆଁଧ‌ାର ବ୍ୟାଟିଂରେ ଓଡ଼ିଶା ମାତ୍ର ୨୧.୫ ଓଭରରେ ୧୨୩ ରନ୍‌ ଯୋଡ଼ି ଅବଶିଷ୍ଟ ୩ ୱିକେଟ୍‌ ହରାଇଥିଲା। ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍‌ ଅଭିଷେକ ରାଉତ ମଧ୍ୟ ନିଜ ସ୍କୋର୍‌ରେ ୨୦ ରନ୍‌ ଯୋଡ଼ି ୩୩ରେ ଆଉଟ୍‌ ହୋଇଥିଲେ। ଫଳରେ ଓଡ଼ିଶାର ପ୍ରଥମ ପାଳି ସ୍କୋର୍‌ ୩୫୨ ହୋଇଥିଲା। ଗୋଆ ପକ୍ଷରୁ ସଫଳ ବୋଲର ଭାବେ ଲକ୍ଷ୍ୟ ଗର୍ଗ ଓ ଅମୋଘ ଦେଶାଇ ୩ ଲେଖାଏଁ ଏବଂ କ୍ରିଷ୍ଣା ଦାସ ୨ ୱିକେଟ୍‌ ନେଇଥିଲେ।
ଜବାବରେ ବ୍ୟାଟିଂ ଭଳି ବୋଲିଂର ମଧ୍ୟ ଓଡ଼ିଶାର ୩ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ (୫), ରାଜେଶ (୩) ଓ ବସନ୍ତ (୨)ଙ୍କ ସଫଳତାରେ ଗୋଆ ମାତ୍ର ୩୯ ଓଭରରେ ୧୧୬ ରନ୍‌ କରି ଅଟକି ଯାଇଥିଲା। ଅଧିନାୟକ ସଗୁନ କାମାତ (୪୩) ଏବଂ ସୁମିରନ ‌ଆମୋଙ୍କର (୨୦) ପ୍ରଥମ ୱିକେଟ୍‌ରେ ୪୯ ରନ୍‌ ‌ଯୋଡ଼ିଥିଲେ। ୧୭ତମ ଓଭରର ପ୍ରଥମ ବଲ୍‌ରେ ସଗୁନଙ୍କୁ ଏଲ୍‌ବିଡବ୍ଲୁ କରି ସୂର୍ଯ୍ୟକାନ୍ତ ଏହି ଯୋଡ଼ି ଭାଙ୍ଗି ଘରୋଇ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ୧୯ତମ ଓଭରର ତୃତୀୟ ବଲ୍‌ରେ ଅମୋଘ ଦେଶାଇଙ୍କୁ ଏଲ୍‌ବିଡବ୍ଲୁ କରି ସୂଯ୍ୟକାନ୍ତ ଦ୍ବିତୀୟ ସଫଳତା ପାଇଥିଲେ। ଚା’ପାନ ବିରତି ମଧ୍ୟରେ ବରିଷ୍ଠ ଦ୍ରୁତ ବୋଲର ବସନ୍ତ ୨ ଏବଂ ଉଦୀୟମାନ ଦ୍ରୁତ ବୋଲର ରାଜେଶ ୩ ୱିକେଟ୍‌ ଝଡ଼ାଇ ଗୋଆର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଗୋଆ ୮୨/୭ରେ ସଂଘର୍ଷ କରି ଚା’ପାନ ବିରତିକୁ ଯାଇଥିଲା। ହେଲେ ବିରତି ପରେ ସୂର୍ଯ୍ୟକାନ୍ତ ଶେଷ ୩ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରି ୫ ୱିକେଟ୍‌ ସଫଳତା ହାତେଇ ନେଇଥିଲେ।
କିନ୍ତୁ ଗୋଆକୁ ଫଲୋଅନ୍‌ ନ ଡାକି ଓଡ଼ିଶା ଦ୍ବିତୀୟ ପାଳି ଖେଳିଥିଲା। ଷ୍ଟମ୍ପ୍‌ସ ଅପସାରଣ ବେଳକୁ ଗୋଟିଏ ୱିକେଟ୍‌ ହରାଇ ୩୭ ରନ୍‌ କରିଛି। ଅନୁରାଗ ଷଡ଼ଙ୍ଗୀ ୨୩ ଏବଂ ଦେବାଶିଷ ସାମନ୍ତରାୟ ୯ ରନ୍‌‌ରେ ଅପରାଜିତ ଅଛନ୍ତି। ପ୍ରଥମଦିନ ଶତକ କରିଥିବା ସନ୍ଦୀପ ପଟ୍ଟନାୟକ ଖାତା ଖୋଲିବା ପୂର୍ବରୁ ପ୍ରଥମ ବଲରେ ଆଉଟ୍‌ ହୋଇଛନ୍ତି। ୱିକେଟ୍‌ଟି କ୍ରିଷ୍ଣା ଦାସ ନେଇଥିଲେ। ଆଲୋକ ଅଭାବରୁ ଅଧଘଣ୍ଟା ଆଗରୁ ଖେଳ ବନ୍ଦ ହୋଇଥିଲା।

ସମ୍ବନ୍ଧିତ ଖବର