ଭୁବନେଶ୍ବର: ପରିଶ୍ରମ କଲେ ଫଳ ନିଶ୍ଚିତ ମିଳିବ। କେବେ ବି ନିଜର ଶକ୍ତି ଓ ଉତ୍ସାହ ହରାଅନି। ଟେନିସ ବଲ୍‌ କ୍ରିକେଟ୍‌ ଖେଳିଲେ ଉପରକୁ ଉଠିହେବନି ଭାବିବା ଭୁଲ୍‌। ମୁଁ ବି ଅନେକ ଟେନିସ ବଲ୍‌ କ୍ରିକେଟ୍‌ ଖେଳିଛି। ଯେକୌଣସି ମ୍ୟାଚ୍‌ ଖେଳ ଅଭ୍ୟାସ ବି ହେଉ, ମନ‌ ଓ ପ୍ରାଣ ଦେଇ ଖେଳ ବୋଲି ଆଦର୍ଶ କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଚନ୍ଦ୍ରଶେଖରପୁରସ୍ଥିତ ଦୁର୍ଗା ପଡ଼ିଆରେ ଆୟୋଜିତ ଭୁବନେଶ୍ବର ପ୍ରିମିୟର ଲିଗ୍‌ର ଉଦ୍‌ଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ଏସ୍‌ ଶ୍ରୀଶାନ୍ତ। ୨୦୦୭ ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ବିଶ୍ବକପ୍‌ ବିଜେତା ଦଳର ଏହି ସଦସ୍ୟ ପୁଣି କହିଛନ୍ତି ଯେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ଦେଶ ପାଇଁ ଖେଳିଛନ୍ତି। ମୋର ବିଶ୍ବାସ ତୁମେମାନେ କେବଳ ଆଇପିଏଲ୍‌ ନୁହେଁ ଭାରତ ପାଇଁ ‌ବି ଖେଳିପାରିବ।

Advertisment

ଏମିତି ଭାବନି ଟେନିସ ବଲ୍‌ ଖେଳୁଛ ବୋଲି। ଟେନିସ ବଲ୍‌ ଖେଳିବା ଜାରି ରଖିବ। ଗଲି କ୍ରିକେଟ୍‌ରୁ ବି ଅନେକ ଖେଳାଳି ଅନ୍ତର୍ଜାତୀୟସ୍ତରରେ ଖେଳିପାରିଛନ୍ତି। କେବେ ବି ନିଜର ପରିଶ୍ରମ କରିବା ବନ୍ଦ କରନି। ଫଳ ନିଶ୍ଚିତ ଆସିବ।‌ ଆଇପିଏଲ୍‌ ଉପରେ ସେ କହିଛନ୍ତି, ଧୋନି ଭାଇ ଓ ସଚିନ ଭାଇଙ୍କ ମୁଁ ବଡ଼ ପ୍ରଶଂସକ। ତେଣୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଜିତୁ ବୋଲି ଚାହିଁବି। ଅବସର ‌ପରେ ମୁଁ ଏକ ଚଳଚିତ୍ରରେ ଅଭିନୟ କରିଛି। ତାହା ଏବେ ମୁକ୍ତିଲାଭ ଅପେକ୍ଷାରେ। ଏଥିସହ ମୁଁ ବି କ୍ରିକେଟ୍‌ରେ ଅଭ୍ୟାସ ଜାରି ରଖିଛି। ଚଳଚ୍ଚିତ୍ର ପରେ ଲିଗ୍‌ ଉପରେ ନଜର ରଖିଛି ବୋଲି ଏହି ଦ୍ରୁତ ବୋଲର କହିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଉତ୍ତର ଜେଡ୍‌ଡିସି ପୁରନ୍ଦର ନନ୍ଦ, ସମାଜସେବୀ ମନୋଜ କୁମାର ସାହୁ ଏବଂ ଆୟୋଜକ କ୍ଲବ୍‌ ସଭାପତି ସମ୍ପୂର୍ଣ୍ଣ ରଥ ଅତିଥି ଭାବେ ଉପସ୍ଥିତ ଥିଲେ।