ଗିନିଜ୍ ରେକର୍ଡ୍ସରେ ଆଉ ଜଣେ ଓଡ଼ିଆ:ସତ୍ୟପୀରଙ୍କ ପରେ ସଚିନ

କୀର୍ତ୍ତିମାନ ପରେ ସଚିନଙ୍କୁ ଶୁଭେଚ୍ଛୁ ଓ ବି‌ଶେଷଜ୍ଞଙ୍କ ବଧେଇ

ଭୁବନେଶ୍ବର: କଳାହାଣ୍ଡିର ସାମରିକ କଳା ବିଶେଷଜ୍ଞ ସତ୍ୟପୀର ପଧାନ ଏକାଧିକ ବିଶ୍ବ କୀର୍ତ୍ତିମାନ କରିବା ପରେ ନୂଆପଡ଼ାର ସଚିନ ବେହେରା ଏବେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସତ୍ୟପୀର ନିଜ ପଞ୍ଚିଂ (ମୁଥମରା) ଦକ୍ଷତା ପାଇଁ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଅନ୍ୟପକ୍ଷରେ ସଚିନ ନିଜ ଆଣ୍ଠୁର ଅମାପ ଶକ୍ତି ପାଇଁ ନିଆରା କୀର୍ତ୍ତିମାନ କରିଛନ୍ତି। ଗୋଟିଏ ମିନିଟ୍‌ରେ ଅଲଗା ଅଲଗା ଗୋଡ଼ରେ ସର୍ବାଧିକ ଆଣ୍ଠୁଆ ମାରି (ମୋଷ୍ଟ ଫୁଲ୍ କଣ୍ଟାକ୍ଟ ନି ଷ୍ଟ୍ରାଇକ୍ସ ୟୁଜିଂ ଅଲଟରନେଟିଭ୍ ଲେଗ୍ସ ଇନ୍ ୱାନ୍ ମିନିଟ୍) ସେ ପ୍ରତିଷ୍ଠିତ ଗିନିଜ୍ ବୁକ୍ସ ଅଫ୍ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇଛନ୍ତି। ସଚିନ ଗୋଟିଏ ମିନିଟ୍‌ରେ ୧୩୭ ଆଣ୍ଠୁଆ ମାରିଛନ୍ତି। ଯାହା ଏକ ବିଶ୍ବ କୀର୍ତ୍ତିମାନ। ସତ୍ୟପୀରଙ୍କ ମାଗଦର୍ଶନରେ ସଚିନ ଗତ ମାସ ୧୦ ତାରିଖରେ ଗିନିଜ୍ ବୁକ୍ସ ଅଫ୍ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇବାର ପ୍ରୟାସ କରିଥିଲେ।

ବିଶେଷଜ୍ଞ ଏବଂ ସ୍ବୀକୃତିପ୍ରାପ୍ତ ଟାଇମ୍ କିପରଙ୍କ ଉପସ୍ଥିତିରେ ସେ ବିଶ୍ବର ସର୍ବାଧିକ ୧୩୭ ଫୁଲ କଣ୍ଟାକ୍ଟ ନି ଷ୍ଟ୍ରାଇକ୍ ମାରିଥିଲେ। ସ୍ବୀକୃତି ପାଇଁ ଏହାର ଭିଡିଓ ଗିନିଜ୍ ବୁକ୍ସ ଅଫ୍ ରେକର୍ଡସ କର୍ତୃପକ୍ଷଙ୍କ ପାଖକୁ ପଠାଇଥିଲେ। ଗିନିଜ୍ କର୍ତୃପକ୍ଷ ଏହି ଭିଡିଓକୁ ଜର୍ତମା କରି ଗତ ୧୫ ତାରିଖରେ ଏହାକୁ ଲିଖିତ ଭାବେ ସ୍ବୀକୃତି ପ୍ରଦାନ କରିଥିଲେ। ଖୁବଶୀଘ୍ର ତାଙ୍କୁ ଏହାର ପ୍ରମାଣପତ୍ର ମିଳିବ ବୋଲି ଇମେଲ ଜରିଆରେ ସଚିନଙ୍କୁ ଜଣାଇ ଦେଇଥିଲେ। ହାଇଟେକ୍ କଲେଜ୍ ଅଫ୍ ଫିଜିଓ ଥେରାପି କଲେଜର ଫିଜିଓ ଥେରାପି ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ର ସଚିନ ହେଉଛନ୍ତି ନୂଆପଡ଼ାର ଲାକ୍ରା ଗ୍ରାମର ଲକ୍ଷ୍ମିପ୍ରସାଦ ବେହେରା ଓ ଆରତି ବେହେରାଙ୍କ ସୁଯୋଗ୍ୟ ସନ୍ତାନ। ସାମରିକ କଳାରେ ରୁଚି ରଖିଥିବା ସଚିନ ଜଣେ ସୌଖିନ ୧୦୦ ମିଟର ଧାବକ ମଧ୍ୟ। ମାର୍ଚ ୧୦ରେ ସେ କରିଥିବା କୀର୍ତ୍ତିମାନ ସ୍ଥାପନ ପ୍ରୟାସ କାର୍ଯ୍ୟକ୍ରମରେ ସସ୍ମିତା ରାଉତରାୟ ଓ ଗଜେନ୍ଦ୍ର ବାରିକ ଟାଇମ୍ କିପର ଥିଲା‌ ବେଳେ ସୁଧୀର ଚନ୍ଦ୍ର ଛତ୍ରିୟା ଓ ସୌମ୍ୟ ରଞ୍ଜନ ଦାସ ଗାଇଡ୍ ଥିଲେ। ସୁଜ୍ଞାନ ‌କେଶରୀ ପ୍ରଧାନ ପଞ୍ଚ୍ ପ୍ୟାଡ୍ ଧରିଥିଲା ବେଳେ ସତ୍ୟପୀର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର