ମେହସାନା: ଗୁଜରାଟ ମେହସାନାରେ ଆଇପିଏଲ୍ ଢାଞ୍ଚାରେ ଆୟୋଜିତ ନକଲି ଟ୍ବେଣ୍ଟି-୨୦ ଲିଗ୍ର ପର୍ଦ୍ଦାଫାଶ ସେଠାକାର ପୁଲିସ କରିଛି। ତା’ ସହ ଏହି ଲିଗ୍ ଆୟୋଜନ କରିଥିବା ୪ ଜଣ ଠକଙ୍କୁ ସୋମବାର ଗିରଫ କରିଛି। ଏମାନେ ୟୁ-ଟ୍ୟୁବ୍ରେ ‘ଆଇପିଏଲ୍’ ନାମ ଏକ ଚ୍ୟାନେଲ ଖୋଲି ଏହାର ସିଧାପ୍ରସାରଣ ବେଳେ ରୁଷୀୟ ଜୁଆଡ଼ଙ୍କଠାରୁ ବେଟିଂ ପାଇଁ ଅର୍ଥ ଉଠାଉଥିଲା ବେଳେ ଧରାପଡ଼ିଥିଲେ। ଆଇପିଏଲ୍ ଭଳି ବଡ଼ ପ୍ରତିଯୋଗିତାର ଭ୍ରମ ସୃଷ୍ଟି କରିବା ଲାଗି ମୁଖ୍ୟ ଅଭିଯୁକ୍ତ ସୋଏବ ଦାବ୍ଦା ଏକ ମଫସଲ ଅଞ୍ଚଳର ଚାଷ ଜମିକୁ ଭଡ଼ାରେ ଆଣି କ୍ରିକେଟ୍ ପଡ଼ିଆ ତିଆରି କରିଥିଲା। ଏଥିରେ ସ୍ଥାନୀୟ ବେକାରି ଯୁବକ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କୁ ମ୍ୟାଚ୍ ପିଛା ୪୦୦ ଟଙ୍କା ଦେଇ ବିଭିନ୍ନ ଦଳର ନାଁର ଟି-ସାର୍ଟ ପିନ୍ଧାଇ ଖେଳାଉଥିଲା। ଲିଗ୍ର ଖେଳକୁ ୟୁଟ୍ୟୁବ୍ ଚ୍ୟାନେଲରେ ସିଧାପ୍ରସାରଣ କରି ବେଟିଂ କରୁଥିଲା। ଏଥିଲାଗି ପଡ଼ିଆରେ ଦାମୀ କ୍ୟାମେରା ଲଗାଇଥିଲେ।
ବୁକିଙ୍କ ନିର୍ଦ୍ଦେଶ ଅନୁଯାୟୀ ଖେଳାଳିଙ୍କୁ ଆଉଟ୍ କରି ଏମାନେ ଅର୍ଥ ରୋଜଗାର କରୁଥିଲେ ବୋଲି ମେହସାନା ସ୍ବତନ୍ତ୍ର ଅପରେସନ ଗ୍ରୁପ୍ (ଏସ୍ଓଜି)ର ପୁଲିସ ଇନ୍ସପେକ୍ଟର ଭବେଶ ରାଠୋର କହିଛନ୍ତି। ଏଭଳି ଏକ ଲିଗ୍ ଆୟୋଜନ ହେଉଥିବାର ସୂଚନା ପାଇବା ପରେ ପୁଲିସ ସେଠାରେ ଚଢ଼ଊ କରି ସୋଏବଙ୍କ ସହ ଏଥିରେ ସାମିଲ ଥିବା କୋଲୁ ମହମ୍ମଦ, ସାଦିକ ଦାବ୍ଦା ଓ ମହମ୍ମଦ ସାକିବଙ୍କୁ ପୁଲିସ ଗିରଫ କରିଥିଲା। ସାକିବଙ୍କ ବାଦ୍ ଅନ୍ୟ ୩ ଜଣ ମୋଲିପୁର ଗାଁର ବୋଲି ପୁଲିସ କହିଛି। ନକଲି ଟି-୨୦ ଲିଗ୍ ଠାବ ବେଳେ ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ କ୍ରିକେଟ୍ କିଟ୍, ଫ୍ଲଡ୍ ଲାଇଟ୍, ଜେନେରେଟର ଓ ଭିଡିଓ କ୍ୟାମେରା, ଏଲ୍ଇଡି ଟିଭି, ଲ୍ୟାପଟପ୍ ଏବଂ କିଛି ରେଡିଓ ୱକି-ଟକି ସେଟ୍ ସହ ପ୍ରାୟ ୩.୩୨ ଲକ୍ଷ ଟଙ୍କାର ଜିନିଷପତ୍ର ଜବତ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମୁଖ୍ୟ ଅଭିଯୁକ୍ତ ସୋଏବ ରୁଷିଆରେ ରହୁଥିଲା ବେଳେ ନିକଟରେ ନିଜ ଗାଁ ମୋଲିପୁର ଫେରିଥିଲା। ୟୁଟ୍ୟୁବ୍ରେ ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ କରି ରୁଷିଆର ବୁକିଙ୍କ ସହ ବେଟିଂ କରିବା ଉଦେଶ୍ୟ ନେଇ ଆଇପିଏଲ୍ ଭଳି ଏକ ନକଲି ଟି-୨୦ ଲିଗ୍ ଆୟୋଜନ ଚିନ୍ତା କରିଥିଲା ସେ। ରୁଷିଆରେ ଥିଲା ବେଳେ ସେ ଅସିଫ୍ଙ୍କଠୁ କ୍ରିକେଟ୍ ବେଟିଂ ଶିଖିଥିଲେ। ତାଙ୍କ ପରାମର୍ଶରେ ନକଲି ଟି-୨୦ ଲିଗ୍ କରିବାର ଯୋଜନା କରିଥିଲେ।