ଅହମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୨ୟ କ୍ବାଲିଫାୟାରରେ ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜରାଟ । ଗୁଜରାଟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ।
ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୨୩୩ ରନ କରିଥିଲା । ଶୁଭମନ ଗିଲ୍ ମାତ୍ର ୬୦ ବଲରେ ୧୨୯ ରନ କରିଥିଲେ । ସାଇ ସୁଦର୍ଶନ ୪୩ ରନ କରି ତାଙ୍କ ସହ ଏକ ଭଲ ଭାଗିଦାରୀ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାଓ୍ବାଲ ଓ ଆକାଶ ମାଧଓ୍ବାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଆଜିର ମ୍ୟାଚରେ ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ । ଗତ ୨୩ ତାରିଖରେ ଖେଳାଯାଇଥିବା କ୍ବାଲିଫାୟାର-୧ରେ ଗୁଜରାଟ ଦଳ ଚେନ୍ନାଇଠାରୁ ୧୫ ରନରେ ହାରିଯାଇଥିଲା ।ସେହିପରି ଗତ ବୁଧବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୮୧ ରନରେ ଲକ୍ଷ୍ନୌକୁ ହରାଇଥିଲା ।