ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ର ୨୪ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୩୭ରନ୍ରେ ପରାସ୍ତ କରିଛି ଗୁଜରାଟ୍ । ଦ୍ବିତୀୟ ପାଳିରେ ରାଜସ୍ଥାନ ୧୯୩ ରନ୍ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୫୫ ରନ୍ କରି ପରାସ୍ତ ହୋଇଛି । ରାଜସ୍ଥାନ ପକ୍ଷରୁ ଜସ୍ ବଟଲର୍ ସର୍ବାଧିକ ୫୪ ରନ୍ କରିଥିବା ବେଳେ ଶିମରନ୍ ହେଟମାୟର ୨୯ ରନ୍ କରି
ମହମ୍ମଦ ଶାମିଙ୍କ ଶିକାର ହୋଇଥିଲେ । ରିୟାନ୍ ପାରାଗ୍ ୧୮ ଓ ଜେମ୍ସ ନିଶାମ ୧୭ ରନ୍ କରିଥିଲେ କିନ୍ତୁ ରାଜସ୍ଥାନକୁ ଜିତାଇବାରେ ସକ୍ଷ୍ୟମ ହୋଇନଥିଲେ ।
ଅନ୍ୟପଟେ ଗୁଜୁୁରାଟ ପକ୍ଷରୁ ଲକି ଫର୍ଗୁସନ୍, ୟଶ୍ ଦୟାଲ ୩-୩ଟି ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଏହି ବିଜୟ ସହ ଗୁଜୁରାଟ ୮ ପଏଣ୍ଟ ସଂଗ୍ରହ କରି ଟେବୁଳ ତାଲିକାର ଶୀର୍ଷରେ ରହିଛି ।
ପ୍ରଥମ ପାଳିରେ ରାଜସ୍ଥାନର ଅଧିନାୟକ ସଂଜୁ ସାମ୍ସନ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ସେ ଗୁଜରାଟ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ। ଗୁଜରାଟ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୯୨ ରନ୍ ସଂଗ୍ରହ କରିଥିଲା। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍ ବିଜୟ ପାଇଁ ୧୯୩ରନ୍ର ଲକ୍ଷ୍ୟ ମିଳିଥିଲା।
ଇନିଂସ ଆରମ୍ଭରୁ ଗୁଜରାଟ୍ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ଦଳର ଖେଳାଳିମାନେ ରାଜସ୍ଥାନର ବୋଲରମାନଙ୍କୁ ମୁକାବିଲା କରିପାରି ନଥିଲେ। ପାଳିର ୨ୟ ଓଭରରେ ଓପନର ମ୍ୟାଥୁ ଓ୍ଵାଡେ (୧୨ ରନ୍) ଆଉଟ୍ ହୋଇଥିଲା ବେଳେ ୨ୟ ଓଭରରେ ବିଜୟ ଶଙ୍କର (୨ ରନ୍) ପାଭ୍ଲିଅନ୍କୁ ଫେରି ଆସିଥିଲେ। ଗୁଜରାଟ ସ୍କୋର୍ ୧୨ ରନ୍ରେ ପ୍ରଥମ ଓ ୧୫ ରନ୍ରେ ଦ୍ୱିତୀୟ ଓ୍ଵିକେଟ୍ ହରାଇଥିଲା। ୩ୟ ଓ୍ଵିକେଟ୍ ଭାବେ ଶୁଭମନ୍ ଗିଲ୍ (୧୩) ଆଉଟ ହୋଇଥିଲେ। ଶୁଭମନ୍ ଆଉଟ୍ ହେବା ବେଳକୁ ଗୁଜରାଟ୍ର ସ୍କୋର୍ ୫୩ ରନ୍ରେ ପହଞ୍ଚିଥିଲା। କିନ୍ତୁ ଚତୁର୍ଥ ୱିକେଟ୍ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନବ ମନୋହର ଭଲ ଭାଗିଦାରୀ ହୋଇପାରିଥିଲେ।
ହାର୍ଦ୍ଦିକ ପାଣ୍ଡ୍ୟା ( ଅପରାଜିତ ୮୭ ରନ୍) ନିଜ ଟିମ୍ ପାଇଁ ଆଶା ସଂଚାର କରିଥିଲେ। ସେ ୩୩ଟି ବଲ୍ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଅଭିନବ ମନୋହର ୪୩ ରନ୍ ଓ ଡେଭିଡ୍ ମିଲର ଅପରାଜିତ ୩୧ ରନ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/f4hsf4h65s4h65sh46465fhhhf.jpg)