ଅହମଦାବାଦ୍: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୬ତମ ସଂସ୍କରଣର ୫୧ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୫୬ ରନ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟକୁ ପରାସ୍ତ କରିଛି। ୨୨୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳି ଖେଳିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକଟେ୍ ହରାଇ ୧୭୧ ରନ୍ରେ ଅଟକିଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ଗୁଜରାଟ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଗୁଜରାଟର ବୋଲର ମୋହିତ ଶର୍ମା ସର୍ବାଧିକ ୪ଟି ୱିକଟେ୍ ଅକ୍ତିଆର କରିଛନ୍ତି।
ଲକ୍ଷ୍ନୌର ପ୍ରାରମ୍ଭିକ ବ୍ୟାଟର କାଇଲ ମେୟରସ୍ ଓ କ୍ବିଣ୍ଟନ ଡି’କକ୍ ଭଲ ପ୍ରଦର୍ଶନ କରିଥିଲେ। ସେମାନେ ପ୍ରଥମ ୱିକେଟ୍ ପାଇଁ ୮୮ ରନ୍ର ଭାଗିଦାରୀ ହୋଇପାରିଥିଲେ। କାଇଲ ୩୨ଟି ବଲ୍ ଖେଳି ୪୮ ରନ୍ କରିଥିଲେ। ଏଥିରେ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ। ସେହିପରି ଡି’କକ୍ଙ୍କ ବ୍ୟାଟରୁ ୭୦ ରନ୍ ସଂଗୃହୀତ ହୋଇଥିଲା। ସେ ୪୧ଟି ବଲ୍ ଖେଳି ୭ଟି ଚୌକା ଓ ୩ଟି ଛକା ମାରିଥିଲେ।
ଗୁଜରାଟର ପ୍ରଥମ ଶିକାର ହୋଇଥିଲେ କାଇଲ। ଯୁବ ବ୍ୟାଟର ଦୀପକ ହୁଦା ୧୧ଟି ବଲ୍ ଖେଳି ୧୧ ରନ୍ ସଂଗ୍ରହ କରିଥିଲେ ଏବଂ ଦଳ ପାଇଁ ଦ୍ବିତୀୟ ବିପର୍ଯ୍ୟୟ ହୋଇଥିଲେ। ଆୟୁଷ ବାଦୁନି ୨୧ ରନ୍ ସଂଗ୍ରହ କରିଥିବା ବେଳେ ମଧ୍ୟକ୍ରମର ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ମାର୍କସ ଷ୍ଟୋଇନିସ ୪, ନିକୋଲାସ ପୂରନ ୩ ରନ୍ କରିଥିଲେ। ସେହିପରି ସ୍ବପ୍ନିଲ ସିଂହ ୨ ରନ୍, କ୍ରୁଣାଳ ପାଣ୍ଡ୍ୟା ଶୂନ୍ୟ ଓ ରବି ବିଶ୍ନୋୟୀ ୪ ରନ୍ କରିଥିଲେ। ମୋହିତଙ୍କ ବ୍ୟତୀତ ମହମ୍ମଦ ସାମି, ରସିଦ ଖାନ ଓ ନୂର ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
/sambad/media/post_attachments/wp-content/uploads/2023/05/shah-and-subhman-1024x683.jpg)
ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ଟସ୍ ଜିଣି ଲକ୍ଷ୍ନୌ ଟିମ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଗୁଜରାଟ୍ ବ୍ୟାଟିଂ କରିଥିଲା। ଘରୋଇ ଦଳ ଶୁଭମନ୍ ଗିଲ ଓ ଋଦ୍ଧିମାନ ଶାହଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍ ହରାଇ ୨୨୭ ରନ୍ କରିଥିଲା। ଗୁଜରାଟର ବ୍ୟାଟିଂ ପାଳି ଆରମ୍ଭ କରିଥିଲେ ଶାହ ଓ ଗିଲ୍। ଯୁବ ବ୍ୟାଟର ଗିଲ୍ ନିଜ ଦଳ ପାଇଁ ସର୍ବାଧିକ ୯୪ ରନ୍ ଯୋଡ଼ିଥିଲେ। ସେ ଅପରାଜିତ ରହି ପାଭଲିଅନ୍କୁ ଫେରିବା ପୂର୍ବରୁ ୫୧ଟି ବଲ୍ ସାମ୍ନା କରିଥିଲେ। ଏଥିରୁ ସେ ୨ଟି ଚୌକା ଓ ୭ଟି ଛକା ମାରିଥିଲେ। ଶାହଙ୍କ ସହିତ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୧୪୨ ରନ୍, ଦ୍ବିତୀୟ ୱିକେଟ୍ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ୪୨ ରନ୍ର ଭାଗିଦାରୀ ହୋଇପାରିଥିଲେ।
ଆଉଟ୍ ହୋଇ ପାଭଲି୍ଅନ୍ ଫେରିଯିବା ପୂର୍ବରୁ ଶାହ ୪୩ଟି ବଲ୍ ଖେଳି ୮୧ ରନ୍ ଯୋଡ଼ିଥିଲେ, ଯେଉଥିରେ ସେ ୧୦ଟି ଚୌକା ଓ ୪ଟି ଛକା ମାରିଥିଲେ। ଗୁଜରାଟକୁ ଦ୍ବିତୀୟ ୱିକେଟ୍ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା (୨୫)ଙ୍କୁ ହରାଇବାକୁ ପଡ଼ିଥିଲା। ଡେଭିଡ ମିଲର ୧୨ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୧ ରନ୍ ସଂଗ୍ରହ କରିଥିଲେ। ଲକ୍ଷ୍ନୌ ପାଇଁ ମୋସିନ୍ ଖାନ୍ ଓ ଆଭେସ୍ ଖାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।