ପୁଣେ: ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି, ପୁଣି ୧୬ ରନ୍ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିବାର ପ୍ରତିକୂଳ ପରିସ୍ଥିତିରୁ ସଫଳତାର ସହ ମୁକୁଳି ଗୁଜରାଟ ଟାଇଟନ୍ସ ରବିବାର ଗତଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଗୋଟିଏ ବଲ୍ ପୂର୍ବରୁ ୩ ୱିକେଟ୍ର ମହାରୋମାଞ୍ଚଭରା ବିଜୟ ହାସଲ କରିଛି। ୧୭୦ ରନ୍ର ବିଜୟ ଲକ୍ଷ୍ୟ ଦେଇଥିବା ଚେନ୍ନାଇ ମ୍ୟାଚ୍ର ଏକ ତୃତୀୟାଂଶ ସମୟ ଆଧିପତ୍ୟ ବିସ୍ତାର କରିଥିଲା। ହେଲେ ୯୪* ରନ୍ର ଅବିଶ୍ବସନୀୟ ପାଳି ଖେଳିଥିବା ଡେଭିଡ୍ ମିଲର ଏବଂ କାମଚଳା ଅଧିନାୟକ ରସିଦ ଖାନ୍ (୪୦) ଧମାକାଦାର ବ୍ୟାଟିଂ କରି ଚେନ୍ନାଇର ଶକ୍ତ ପଞ୍ଝାରୁ ବିଜୟ ଛଡ଼ାଇ ନେଇଥିଲେ। ଏହି ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ଗୁଜରାଟ ଷଷ୍ଠ ମ୍ୟାଚ୍ରୁ ପଞ୍ଚମ ବିଜୟ ହାସଲ କରି ପ୍ରଥମ ସ୍ଥାନେର ଅପରିବର୍ତ୍ତିତ ରହିଥିଲା। ଅନ୍ୟପକ୍ଷରେ ଚେନ୍ନାଇ ଷଷ୍ଠ ମ୍ୟାଚ୍ରୁ ନୈରାଶ୍ୟଜନକ ଭାବେ ପଞ୍ଚମ ପରାଜୟ ବରଣ କରିଥିଲା। ମିଲର ତାଙ୍କ ପରାକ୍ରମୀ ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ପାଇଁ ଗୁଜରାଟ ଲାୟନ୍ସର କାମଚଳା ଅଧିନାୟକ ଥିବା ରସିଦ ଖାନ୍ ଟସ୍ ଜିତି ଚେନ୍ନାଇକୁ ରବିବାର ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରବିନ ଉଥାପ୍ପା (୩) ଓ ମୋଇନ ଅଲ୍ଲୀ (୧) ବିଫଳ ହେବା ସତ୍ତ୍ବେ ଋତୁରାଜ ଗାଏକ୍ବାଡ୍ (୭୩) ଏବଂ ଅମ୍ବାତି ରାୟୁଡୁ (୪୬)ଙ୍କ ମଧ୍ୟରେ ହୋଇଥିବା ୯୨ ରନ୍ର ଭାଗୀଦାରି ଏବଂ ଶେଷ ଆଡ଼କୁ ଅଧିନାୟକ ରବୀନ୍ଦ୍ର ଜାଦେଜା (୨୨)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା। ଗାଏକ୍ବାଡ୍ ଓ ଅମ୍ବାତି କ୍ରିଜ୍ରେ ଥିଲା ବେଳେ ଚେନ୍ନାଇ ୧୮୦ ରନ୍ ଛୁଇଁବାର ଆଶା ସଂଚାର ହୋଇଥିଲା। ହେଲେ ଗୁଜରାଟ ବୋଲର ଏହା ହେବାକୁ ଦେଇ ନଥିଲେ। ବ୍ୟକ୍ତିଗତ ଭାବେ ଅମ୍ବାତି ଦଶମ ଭାରତୀୟ ଏବଂ ମୋଟ ଉପରେ ତ୍ରୟୋଦଶ ଖେଳାଳି ଭାବେ ଆଇପିଏଲ୍ରେ ୪,୦୦୦ ରନ୍ ପୂରଣ କରିଥିଲେ।