ଆଇପିଏଲ୍‌: ଚେନ୍ନାଇକୁ ୩ ୱିକେଟରେ ପରାସ୍ତ କଲା ଗୁଜରାଟ

ପୁନେ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୨୯ତମ ମ୍ୟାଚ୍‌ରେ ଚେନ୍ନାଇକୁ ୩ ୱିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଦ୍ବିତୀୟ ପାଳିରେ ଗୁଜୁରାଟ ୧୭୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯.୫ ଓଭରରେ ୭ ୱିକେଟ ହରାଇ ଆବଶ୍ୟକ ରନ୍‌ କରି ବିଜୟ ହାସଲ କରିଛି । ଦଳ ପକ୍ଷରୁ ପ୍ରଥମରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଗୁଜୁରାଟର ସ୍କୋର ୪୮ ରନ୍‌ ଥିବା ବେଳେ ଦଳ ୪ଟି ୱିକେଟ ହରାଇଥିଲା । କିନ୍ତୁ ଡେଭିଡ ମିଲରଙ୍କ ୫୧ ବଲରେ ୯୪ ରନ୍‌ ଓ ପ୍ରଥମ ଥର ପାଇଁ କ୍ୟାପଟେନ୍‌ ହୋଇଥିବା ରସିଦ ଖାନ୍‌ଙ୍କ ଦମ୍‌ଦାର ୨୧ ବଲରେ ୪୦ ରନ୍‌ ବଳରେ ଗୁଜୁରାଟ ଏହି ମ୍ୟାଚକୁ ଜିତି ନେଇଥିଲା । ଏହି ବିଜୟ ସହ ଗୁଜୁରାଟ ୧୦ ପଏଣ୍ଟ ସଂଗ୍ରହ କରି ଟେବୁଲ ତାଲିକାରେ ପ୍ରଥମ ସ୍ଥାନ ବଜାୟ ରଖିଛି ।

ପୂର୍ବରୁ ଗୁଜ୍‌ରାଟ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୬୯ ରନ୍‌ କରିଥିଲା। ଫଳରେ ଗୁଜରାଟକୁ ୧୭୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଚଳିତ ଆଇପିଏଲ୍‌ର ପ୍ରଥମ ୫ଟି ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଯୁବ କ୍ରିକେଟ୍‌ ଋତୁରାଜ ଗାଏକ୍ୱାର୍ଡ ଚେନ୍ନାଇ ପାଇଁ ଆଜି ୭୩ ରନ୍‌ କରିଥିଲେ। ସେ ୪୮ଟି ବଲ୍‌ ଖେଳି ୭୩ ରନ୍‌ କରିଥିଲେ। ଏଥିରେ ୫ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ସେହିପରି ଅମ୍ବାତି ରାୟଡୁ ୩୧ଟି ବଲ୍‌ ଖେଳି ୪୬ ରନ୍‌ ସଂଗ୍ରହ କରିଥିଲେ। ସେ ୪ଟି ଚୌକା ଓ ୨ଟି ଛକା ମାରିିଥିଲେ। ଚେନ୍ନାଇ ମାତ୍ର ୭ ରନ୍‌ରେ ରବୀନ ଉତ୍‌ଥପା(୩ ରନ୍‌)ଙ୍କୁ ହରାଇଥିଲା ବେଳେ ମୋଇନ୍‌ ଅଲ୍ଲୀ (୧ ରନ୍‌) ଆଉଟ୍‌ ହେବା ବେଳକୁ ସ୍କୋର ୩୨ ରନ୍‌ ଥିଲା। କିନ୍ତୁ ୩ୟ ଓ୍ଵିକେଟ୍‌ରେ ଋତୁରାଜ ଓ ରାୟଡୁ ୯୨ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ୪ର୍ଥ ଓ୍ଵିକେଟ୍‌ ଭାବେ ଋତୁରାଜ ଆଉଟ୍‌ ହୋଇଥିଲେ। ଯୁବ କ୍ରିକେଟ୍‌ର ଶୁଭମ ଦୁବେ ୧୯ ରନ୍‌ ଓ ଅଧିନାୟକ ରବୀନ୍ଦ୍ର ଜାଦେଜା ଅପରାଜିତ ୨୨ ରନ୍‌ କରିଥିଲେ। ଗୁଜରାଟ ପାଇଁ ଅଲଜାରି ଯୋସେଫ ୨ଟି ଓ୍ଵିକେଟ୍‌ ମିଳିଥିବା ବେଳେ ମହମ୍ମଦ ସାମି ଓ ୟଶ୍‌ ଦୟାଲ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥଲା।

ସମ୍ବନ୍ଧିତ ଖବର