ଅହମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୨ୟ କ୍ବାଲିଫାୟାରରେ ମୁମ୍ବାଇକୁ ୬୨ ରନ୍ରେ ପରାସ୍ତ କରିଛି ଗୁଜରାଟ । ଦ୍ବିତୀୟ ପାଳିରେ ମୁମ୍ବାଇ ୨୩୪ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ୧୮.୨ ଓଭରରେ ସମସ୍ତ ୱିକେଟ ହରାଇ ୧୭୧ ରନ୍ କରି ପରାସ୍ତ ହୋଇଛି । ମୁମ୍ବାଇ ପକ୍ଷରୁ ତିଲକ ଭର୍ମା ୪୩ ରନ୍, କ୍ୟାମେରନ୍ ଗ୍ରୀନ୍ ୩୦ ରନ୍ ଓ ସୂର୍ଯ୍ୟକୁମାର ଯାଦବ ୬୧ ରନ୍ କରିଥିଲେ କିନ୍ତୁ ମୁମ୍ବାଇକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ ଗୁଜୁରାଟ ପକ୍ଷରୁ ଭଲ ବ୍ୟାଟିଂ ସହ ଭଲ ବୋଲିଂ ଦେଖିବାକୁ ମିଳିଥିଲା । ମୋହିତ ଶର୍ମା ୫ଟି ୱିକେଟ ନେଇଥିବା ବେଳେ ରସିଦ ଖାନ, ମହମ୍ମଦ ଶାମି ୨-୨ ଟି ଓ ଜୋଶୁଆ ଲିଟିଲ୍ ଗୋଟିଏ ନେଇ ଗୁଜୁରାଟକୁ ବିଜୟ ଦେଇଥିଲେ ।
ପ୍ରଥମ ପାଳିରେ ମୁମ୍ବାଇ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୨୩୩ ରନ କରିଥିଲା । ଶୁଭମନ ଗିଲ୍ ମାତ୍ର ୬୦ ବଲରେ ୧୨୯ ରନ କରିଥିଲେ । ସାଇ ସୁଦର୍ଶନ ୪୩ ରନ କରି ତାଙ୍କ ସହ ଏକ ଭଲ ଭାଗିଦାରୀ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାଓ୍ବାଲ ଓ ଆକାଶ ମାଧଓ୍ବାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ବିଜୟ ସହ ଗୁଜୁରାଟ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ।