ନୂଆଦିଲ୍ଲୀ: ଭାରତୀୟ ଯୁବ ଗ୍ରାଣ୍ଡମାଷ୍ଟର୍ ଡି ଗୁକେଶ ଭାରତୀୟ ଚେସ୍ ଇତିହାସରେ ନୂଆ ଫର୍ଦ ଯୋଡ଼ିଥିଲେ। ସିଙ୍ଗାପୁରରେ ଖେଳାଯାଇଥିବା ବିଶ୍ବ ଚେସ୍ ପ୍ରତିଯୋଗିତା ଟ୍ରଫି ହାସଲ କରି ସର୍ବକନିଷ୍ଠ ବିଶ୍ବବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ସମସ୍ତଙ୍କୁ ବିସ୍ମିତ କରି ଏହି ୧୮ ବର୍ଷୀୟ ବାଳକ ଗତ ଥର ବିଜେତା ଚୀନ୍ର ଡିଙ୍ଗ୍ ଲିରେନ୍ଙ୍କୁ ମାତ୍ ଦେଇଥିଲେ। ତାଙ୍କର ଏତେ ବଡ଼ ସଫଳତା ପରେ ଏବେ ତାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସର୍ବକନିଷ୍ଠ ବିଶ୍ବବିଜେତା ହେବା ପୂର୍ବରୁ କେତେ ଥିଲା ଏବଂ ପରେ ତାଙ୍କର ସମ୍ପତ୍ତି କେତେ ବଢ଼ିଛି ତାହା ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମ ମୁତାବକ, ଗୁକେଶ ପୁରସ୍କାର ରାଶି ସ୍ୱରୂପ ୧୧.୪୫ କୋଟି ଟଙ୍କା ଜିତିଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡିଙ୍ଗ ଲିରେନଙ୍କୁ ୯.୭୫ କୋଟି ଟଙ୍କା ମିଳିଥିଲା। ମ୍ୟାଚ୍ ନିୟମ ଅନୁଯାୟୀ, ପ୍ରତ୍ୟେକ ଖେଳ ବିଜୟ ପାଇଁ ଜିତିଥିବା ଖେଳାଳିକୁ ୧.୬୯ କୋଟି ଟଙ୍କା ପ୍ରଦାନ କରାଯାଏ। ଗୁକେଶ ତିନୋଟି ମ୍ୟାଚ୍ (ତୃତୀୟ, ୧୧ତମ ଏବଂ ୧୪ତମ) ପର୍ଯ୍ୟାୟ ଜିତିଥିଲେ। ଏହାର ଅର୍ଥ ସେ ମାତ୍ର ୧୭ ଦିନରେ ପୁରସ୍କାର ରାଶିକୁ ମିଶାଇ ମୋଟ ୧୭ କୋଟି ଟଙ୍କା ଜିତିଥିଲେ।
ଐତିହାସିକ ବିଜୟ ପୂର୍ବରୁ, ଗୁକେଶଙ୍କ ଆନୁମାନିକ ସମ୍ପତ୍ତି ୮.୨୬ କୋଟି ଟଙ୍କା ଥିଲା। ଏଥିରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସେ ଅର୍ଜନ କରିଥିବା ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ। ବିଜ୍ଞାପନରୁ ମିଳୁଥିବା ପାରିଶ୍ରମିକ ମଧ୍ୟ ଏଥିରେ ରହିଛି। ଏବେ ବିଶ୍ବ ଚେସ୍ ବିଜେତା ହେବା ପରେ ପୁରସ୍କାର ରାଶି ଏବଂ ମିଳିଥିବା ବିଜ୍ଞାପନ ଡିଲକୁ ଦେଖିଲେ ତାଙ୍କର ମୋଟ ସମ୍ପତ୍ତି ୨୫କୋଟିରେ ପହଞ୍ଚିଛି।