ଗଲ୍‌ ଟେଷ୍ଟ୍‌ରେ ନିମ୍ନକ୍ରମ ଲଢ଼ିଲେ; ଇଂଲଣ୍ଡ ୩୨୧/୮

ଗଲ୍‌: ମଙ୍ଗଳବାରଠୁ ଏଠାରେ ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ୍‌। ଟସ୍‌ ଜିତି ଇଂଲଣ୍ଡ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଦିଲ୍‌ରୁୱାନ୍‌ ପେରେରା (୪/୭୦) ଓ ସୁରଙ୍ଗା ଲାକ୍‌ମଲ୍‌ (୨/୫୭)ଙ୍କ ଉପଯୋଗୀ ବୋଲିଂ ସତ୍ତ୍ବେ ଇଂଲଣ୍ଡ୍‌ ୮ ୱିକେଟ୍‌ ବିନିମୟରେ ୩୨୧ ରନ୍‌ କରି ପ୍ରଥମ ଦିବସ ଶେଷ କରିଛି। ବିଶେଷକରି ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ନିମ୍ନକ୍ରମ ବ୍ୟାଟ୍‌ସମ୍ୟାନ୍‌ଙ୍କ ଲଢ଼ୁଆ ପ୍ରଦର୍ଶନ ହିଁ ଭ୍ରମଣକାରୀ ଦଳର ସ୍ଥିତି ସୁଧାରି ନେଇଥିଲା। ରୋରି ବର୍ନସ୍‌ (୯), ତୃତୀୟ ସ୍ଥାନକୁ ପଦୋନ୍ନତି ପାଇଥିବା ମୋଇନ୍‌ ଅଲ୍ଲୀ (୦) ଓ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସ (୭) ନିରାଶ କରିବା ପରେ କିଟନ୍‌ ଜେନିଙ୍ଗ୍‌ସ (୪୬) ଓ ଅଧିନାୟକ ଜୋ ରୁଟ୍‌ (୩୫) କିଛି ସମୟ ସିଂହଳୀ ବୋଲରଙ୍କୁ ଆହ୍ବାନ ଦେଇଥିଲେ। ତେବେ ଏକ ସମୟରେ ୧୦୩ ରନ୍‌ରେ ୫ ୱିକେଟ୍‌ ହରାଇ ସଂକଟରେ ପଡ଼ିଥିବା ଇଂଲଣ୍ଡ ନିମ୍ନକ୍ରମ ବ୍ୟାଟ୍‌ସମ୍ୟାନ୍‌ ଜୋସ୍‌ ବଟ୍ଟଲର୍‌ (୩୮), ୱିକେଟ୍‌ରକ୍ଷକ ବେନ୍‌ ଫୋକେସ୍‌ (ଅପରାଜିତ ୮୭), ସାମ୍‌ କରନ୍‌ (୪୮), ଆଦିଲ୍‌ ରସିଦ୍‌ (୩୫) ଓ ଜାକ୍‌ ଲିଚ୍‌ (ଅପରାଜିତ ୧୪) ଲଢ଼ିବାରୁ ପ୍ରଥମ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଇଂଲଣ୍ଡ ୮ ୱିକେଟ୍‌ ହରାଇ ୩୨୧ ରନ୍‌ କରି ସ୍ଥିତି ଏକପ୍ରକାର ଦୃଢ଼ କରିନେଇଛି। ବଟ୍ଟଲର-ଫୋକେସ୍‌ ଷଷ୍ଠ ୱିକେଟ୍‌ରେ ୬୧, ଫେକେସ୍‌-କରନ୍‌ ସମ୍ତମ ୱିକେଟ୍‌ରେ ୮୮ ଏବଂ ଫୋକେସ୍‌-ରସିଦ୍‌ ଅଷ୍ଟମ ୱିକେଟ୍‌ରେ ୫୪ ରନ୍ ଯୋଡ଼ିବା ହିଁ ପ୍ରଥମ ଦିବସର ମୁଖ୍ୟାଂଶ ଥିଲା। ଉଭୟ ବର୍ନସ ଓ ଫୋକେସ୍‌ ଏହି ମ୍ୟାଚ୍‌ ଜରିଆରେ ଟେଷ୍ଟ ପଦର୍ପଣ କରିଛନ୍ତି। ତେବେ ଏହି ଟେଷ୍ଟ୍‌ ସିଂହଳୀ ସ୍ପିନର ରଙ୍ଗନା ହେରାଥ୍‌ଙ୍କ ବିଦାୟୀ ଟେଷ୍ଟ ଦୃଷ୍ଟିରୁ ଗୁରୁତ୍ବ ବହନ କରିଛି। ଏହି ଟେଷ୍ଟ ପରେ ତାଙ୍କୁ ଆଉ ଟେଷ୍ଟ କ୍ରିକେଟ୍‌ରେ ଦେଖିବାକୁ ମିଳିବନି ବୋଲି ହେରାଥ୍‌ ଘୋଷଣା କରିସାରିଥିବାରୁ ସାଥୀ ଖେଳାଳିମାନେ ତାଙ୍କୁ ବିଜୟ ଉପହାର ଭେଟି ଦେବାକୁ ଆଶା ବାନ୍ଧିଛନ୍ତି। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ହେରାଥ୍‌ଙ୍କୁ ପଡ଼ିଆ ଭିତରେ ସାଥୀ ଖେଳାଳିମାନେ ବିଦାୟୀ ସମ୍ମାନ ଜଣାଇଥିଲେ।

ସମ୍ବନ୍ଧିତ ଖବର