ଗଲ: ସୌଦ ସକିଲ ଓ ଆଘା ସଲମାନଙ୍କ ଚମତ୍କାର ଶତକୀୟ ଭାଗୀଦାରି ବଳରେ ପାକିସ୍ତାନ ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରତ୍ୟାବର୍ତନ କରିଛି। ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ (୨୨୧/୫) ୯୧ ରନ୍ ପଛରେ ଥିଲା ବେଳେ ଦୁଇ ସେଟ୍ ବ୍ୟାଟର୍ ସକିଲ (୬୯*) ଓ ସଲମାନ (୬୧*) ନିଜ ନିଜ ଅର୍ଦ୍ଧଶତକ ଅର୍ଜନ କରି କ୍ରିଜ୍ରେ ଅଛନ୍ତି। ଶ୍ରୀଲଙ୍କାର ପ୍ରଥମ ପାଳି ସ୍କୋର୍ ୩୧୨ ଜବାବରେ ପାକିସ୍ତାନର ଆରମ୍ଭ ବହୁତ ଖରାପ ହୋଇଥିଲା। ଦ୍ବିତୀୟ ଓଭରରେ ଇମାମ-ଉଲ-ହକ୍ (୧)ଙ୍କୁ ହରାଇଥିଲା ପାକିସ୍ତାନ। ତୃତୀୟ ସ୍ଥାନରେ ବ୍ୟାଟିଂକୁ ଆସିଥିବା ସାନ ମାସୁଦ ୩୯ ରନ୍ର ବିସ୍ଫୋରକ ପାଳି ଖେଳିବା ସତ୍ତ୍ବେ ପାକିସ୍ତାନ ୧୦୧ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସକିଲ ଓ ସଲମାନ ଅତୁଟ ଷଷ୍ଠ ୱିକେଟ୍ରେ ୧୨୦ ରନ୍ ଯୋଡ଼ି ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିଛନ୍ତି। ଶ୍ରୀଲଙ୍କାର ପ୍ରଭାତ ଜୟସୂରିୟା ୩ ଏବଂ କସୁନ ରଜିତା ଓ ରମେଶ ମେଣ୍ଡିସ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ଏହା ପୂର୍ବରୁ ପ୍ରଥମ ଦିନର ସ୍କୋର୍ ୨୪୨/୬ରୁ ଖେଳ ଆରମ୍ଭ କରିଥିବା ଶ୍ରୀଲଙ୍କା ଏଥିରେ ୭୦ ରନ୍ ଯୋଡ଼ି ସମସ୍ତ ୱିକେଟ୍ ହରାଇଥିଲା। ୯୨ ରନ୍ରେ ଅପରାଜିତ ଥିବା ଧନଞ୍ଜୟ ଡି’ସିଲ୍ଭା (୧୨୨) ନିଜର ଶତକ ପୂରଣ କରିଥିଲେ। ଶେଷ ସମୟରେ ବିଶ୍ବ ଫର୍ଣ୍ଣାଣ୍ଡୋ ୨୧* ରନ୍ର ପାଳି ଖେଳିବାରୁ ଶ୍ରୀଲଙ୍କା ୩୦୦ ପାର୍ କରିଥିଲା। ପାକିସ୍ତାନର ସାହିନ ଶାହ ଆଫ୍ରିଦି, ନସୀମ ଶାହ ଓ ଅବ୍ରାର ଅହମଦ ୩ ଲେଖାଏଁ ୱିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୯୫.୨ ଓଭରରେ ୩୧୨ (ଧନଞ୍ଜୟ ଡି’ସିଲଭା-୧୨୨, ଆଞ୍ଜେଲୋ ମାଥ୍ୟୁସ-୬୪, ସଦିରା ସମରବିକ୍ରମା-୩୬, ବିଶ୍ବ ଫର୍ଣ୍ଣାଣ୍ଡୋ-୨୧*, ସାହିନ ଶାହ ଆଫ୍ରିଦି-୩/୮୬, ନସୀମ ଶାହ-୩/୯୦, ଅବ୍ରାର ଅହମଦ-୩/୬୮)। ପାକିସ୍ତାନ ପ୍ରଥମ ପାଳି: ୪୫ ଓଭରରେ ୨୨୧/୫ (ସୌଦ ସକିଲ-୬୯*, ଆଘା ସଲମାନ-୬୧*, ସାନ ମାସୁଦ-୩୯, ପ୍ରଭାତ ଜୟସୂରିୟା-୩/୮୩, କସୁନ ରଜିତା-୧/୩୩, ରମେଶ ମେଣ୍ଡିସ-୧/୬୩)।