ଗଲ୍‌: ଶ୍ରୀଲଙ୍କା ଗସ୍ତରେ ପ୍ରଥମ ଟେଷ୍ଟକୁ ପାଳି ଓ ୨୮୦ ରନ୍‌ରେ ହାରିଥିବା ଭ୍ରମଣକାରୀ ଆୟର୍ଲାଣ୍ଡ ଦଳ ଦ୍ବିତୀୟ ଟେଷ୍ଟ୍‌ରେ ଦମ୍‌ଦାର ପ୍ରତ୍ୟାବର୍ତନ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଆୟର୍ଲାଣ୍ଡ ଦୁଇଟି ‌େଲଖାଏଁ ଶତକ ଓ ଅର୍ଦ୍ଧଶତକ ସହାୟତାରେ ୪୯୨ ରନ୍‌ରେ ପ୍ରଥମ ପାଳି ଶେଷ କରିଛି। କର୍ଟିସ୍‌ କାମ୍ଫେର ୧୧୧ ଓ ପଲ୍‌ ଷ୍ଟିର୍ଲିଂ ୧୦୩ ରନ୍‌ କରିଥିଲା ବେଳେ ଅଧିନାୟକ ଆଣ୍ଡି ବଲ୍‌ବିର୍ନି (୯୫) ମାତ୍ର ୫ ରନ୍‌ ପାଇଁ ଶତକରୁ ବଞ୍ଚିତ ରହିଥିଲେ। ୱିକେଟ୍‌ ରକ୍ଷକ ଲୋର୍କାନ ଟକେର ୮୦ ରନ୍‌ କରିଥିଲା ବେଳେ ଆଣ୍ଡି ମ୍ୟାକ୍‌ବିର୍ନି ୩୫ ରନ୍‌ର ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ। ଫଳରେ ପ୍ରଥମ ଦିବସର ଅସମାପ୍ତ ସ୍କୋର୍‌ ୩୧୯/୪ (୯୦ ଓଭର)ରୁ ଖେଳିଥିବା ଭ୍ରମଣକାରୀ ଦଳ ମଙ୍ଗଳବାର ଦ୍ବିତୀୟ ଦିବସରେ ୫୫.୩ ଓଭର ଖେଳି ଆଉ ୧୭୩ ରନ୍ ଯୋଡ଼ି ଅବଶିଷ୍ଟ ୬ ୱିକେଟ୍‌ ହରାଇଥିଲା। ତେବେ ଘରାଇ ଦଳର ସଫଳ ବୋଲର ପ୍ରବଥ ଜୟସୂରିଆ ୫ ୱିକେଟ୍‌ ଦଖଲ କରି ଆୟର୍ଲାଣ୍ଡକୁ ୫୦୦ ପୂର୍ବରୁ ରୋକିଥିଲେ। ଜବାବରେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଶ୍ରୀଲଙ୍କା ପ୍ରଥମ ପାଳିର କୌଣସି ୱିକେଟ୍‌ ନହରାଇ ୮୧ ରନ୍‌ କରିନେଇଛି। ଦୁଇ ଓପ୍‌ନର ନିଶାନ ମଦୁସ୍କା ୪୧ ଓ ଅଧିନାୟକ ଦିମୁଥ କରୁଣାରତ୍ନେ ୩୯ ରନ୍‌ରେ ଅପରାଜିତ ରହିଛନ୍ତି। ଦୁଇ ଦିନରେ ମାତ୍ର ୧୦ ୱିକେଟ୍‌ର ପତନ ଘଟିଥିଲା ବେଳେ ୫୭୩ ରନ୍‌ ସଂଗୃହୀତ ହୋଇଛି।

Advertisment

ସଂକ୍ଷିପ୍ତ ସ୍କୋର୍‌: ଆୟର୍ଲାଣ୍ଡ ପ୍ରଥମ ପାଳି ୧୪୫.୩ ଓଭରରେ ୪୯୨ (କର୍ଟିସ୍‌ କାମ୍ଫେର-୧୧୧, ପଲ୍‌ ଷ୍ଟିର୍ଲିଂ-୧୦୩, ଆଣ୍ଡି ବଲ୍‌ବିର୍ନି-୯୫, ଲୋର୍କାନ୍‌ ଟକେର-୮୦, ଆଣ୍ଡି ମ୍ୟାକ୍‌ବ୍ରିନେ-୩୫, ପ୍ରବଥ ଜୟସୂରିଆ-୫/୧୭୪, ବିଶ୍ବ ଫର୍ଣ୍ଣାଣ୍ଡୋ-୨/୯୨, ଅସିଥା ଫର୍ଣ୍ଣାଣ୍ଡୋ-୨/୭୮)। ଶ୍ରୀଲଙ୍କା ପ୍ରଥମ ପାଳି ୧୮.୧ ଓଭରରେ ୮୧/୦ (ନିଶାନ ମଦୁସ୍କା-୪୧*, ଦିମୁଥ କରୁଣାରତ୍ନେ-୩୯*)।