ବନ୍ଧୁକ ଚାଳନା ବିଶ୍ୱକପ୍‌: ମାନୁଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ

ଭାରତ ପଦକ ସଂଖ୍ୟା ୭କୁ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ଆୟୋଜିତ ଯୁବ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିସାରିଥିବା ଭାରତୀୟ ବନ୍ଧୁକଚାଳିକା ମାନୁ ଭାକର ନିଜ ପଦାର୍ପଣ ବନ୍ଧୁକଚାଳନା ବିଶ୍ୱକପ୍‌କୁ ସ୍ମରଣୀୟ କରି ତୋଳିଛନ୍ତି। ମେକ୍ସିକୋର ଗୁଆଡାଲଜାରାଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ମାନୁ କ୍ରମାଗତ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରି ସର୍ବକନିଷ୍ଠ ଭାରତୀୟ ହେବାର ଗୌରବ ବହନ କରିଛନ୍ତି। ଏଭଳି ସଫଳତା ମଧ୍ୟ ମାନୁଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱକପ୍‌ରେ ଦୁଇଟଇ ସ୍ୱର୍ଣ୍ଣ ଜିତିଥିଲେ ମଧ୍ୟ ଏହାକୁ ସହଜରେ ବିଶ୍ୱାସ କରିପାରୁନି ବୋଲି ମାନୁ କହିଛନ୍ତି। ଅବଶ୍ୟ ଏଥିପାଇଁ ସେ ସବୁ ଶ୍ରେୟ ବାପା ମା ଓ ପ୍ରଶିକ୍ଷକଙ୍କୁ ଦେଇଛନ୍ତି।
ସୋମବାର ମହିଳା ୧୦ ମିଟର ଏୟାର ପିସ୍ତଲ ସ୍ୱର୍ଣ୍ଣ ପଦକ କବ୍‌ଜା କରିଥିବା ୧୬ ବର୍ଷୀୟା ମାନୁ ମଙ୍ଗଳବାର ମିଶ୍ରିତ ଦଳଗତ ବର୍ଗରେ ମଧ୍ୟ ସ୍ୱର୍ଣ୍ଣ ପଦକ କରାୟତ କରିଛନ୍ତି। ଓମ୍‌ ପ୍ରକାଶ ମିଥରଭାଲ୍‌ଙ୍କୁ ସାଥୀ କରିଥିବା ମାନୁ ମହିଳା ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳଗତ ବର୍ଗରେ (୪୭୬.୧ ସ୍କୋର୍‌) ସ୍ୱର୍ଣ୍ଣିମ ସଫଳତା ପାଇଥିଲା ବେଳେ ଜର୍ମାନି ପତି-ପତ୍ନୀ ଯୋଡ଼ି କ୍ରିଷ୍ଟିଆନ୍‌ ଓ ସାନ୍ଦ୍ରା ରିଜ୍‌ ରୌପ୍ୟ ଏବଂ ଫ୍ରାନ୍‌ସ ଯୋଡ଼ି ସେଲିନେ ଗୋବର୍‌ଭିଲ୍ଲେ ଓ ଫ୍ଲୋରିଆନ୍‌ ଫକେଟ୍‌ କାଂସ୍ୟ ପଦକ ପାଇଥିଲେ। ତେବେ ଏହି ବର୍ଗର ୫ ଦଳୀୟ ଫାଇନାଲ୍‌ ପର୍ଯ୍ୟାୟରେ ପ୍ରବେଶ କରିଥିବା ଆଉ ଏକ ଭାରତୀୟ ଯୋଡ଼ି ମହିମା ଅଗ୍ରଓ୍ଵାଲ ଓ ସାହଜର୍‌ ରିଜ୍‌ଭି (୩୭୨.୪ ସ୍କୋର୍‌) ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ।
ସେହିପରି ଅନ୍ୟତମ ଭାରତୀୟ ଯୋଡ଼ି ଦୀପକ୍‌ କୁମାର ଓ ମେହୁଲି ଘୋଷ ୧୦ ମିଟର ଏୟାର ରାଇଫଲ୍‌ ମିଶ୍ରିତ ଦଳଗତ ବର୍ଗରେ କାଂସ୍ୟ ପଦକ ଜିତି ନେଇଛନ୍ତି। ଦୀପକ୍‌ ଓ ମେହୁଲି ଯୋଡ଼ି ଯୋଗ୍ୟତା ପର୍ଯ୍ୟାୟରେ ୮୩୪.୩ ସ୍କୋର୍‌ ସହ ତୃତୀୟ ସ୍ଥାନରେ ରହି ଫାଇନାଲ୍‌ ପ୍ରବେଶ କରିଥିଲେ। ଫାଇନାଲ୍‌ରେ ୪୩୫.୧ ସ୍କୋର୍‌ ସହ ତୃତୀୟ ସ୍ଥାନ ଅକ୍ତିଆର କରି କାଂସ୍ୟ ପଦକ କବ୍‌ଜା କରିନେଇଥିଲେ। ଏହି ବର୍ଗରେ ଚୀନ୍‌ ସ୍ୱର୍ଣ୍ଣ ଓ ରୋମାନିଆ ରୌପ୍ୟ ପଦକ କରାୟତ କରିଥିଲା ବେଳେ ଅନ୍ୟତମ ଭାରତୀୟ ଯୋଡ଼ି ରବି କୁମାର ଓ ଅପୂର୍ବୀ ଚାନ୍ଦିଲା (୩୯୨.୬ ସ୍କୋର୍‌) ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହି ପଦକରୁ ବଞ୍ଚିତ ହୋଇଥିଲେ। ଏଥି ସହିତ ଚଳିତ ବିଶ୍ୱକପ୍‌ର ତୃତୀୟ ଦିବସ ସୁଦ୍ଧା ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ୩ ସ୍ୱର୍ଣ୍ଣ ଓ ୪ କାଂସ୍ୟ ସହ ଭାରତ ମଧ୍ୟ ପଦକ ତାଲିକାର ଶୀର୍ଷରେ ଅପରିବର୍ତିିତ ଯାଇଛି।

ସମ୍ବନ୍ଧିତ ଖବର