କଲମ୍ବୋ : ଶ୍ରୀଲଙ୍କା କ୍ରିକେଟର ଦାଶୁନ ଗୁଣତିଳକାଙ୍କ ବିରୋଧରେ ଗତବର୍ଷ ଆସିଥିବା ଦୁଷ୍କର୍ମ ମାମଲାର ୪ଟିରୁ ତିନିଟିରେ ତାଙ୍କୁ ଆଶ୍ବସ୍ତି ମିଳିଛି। ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ସମୟରେ ଜଣେ ମହିଳାଙ୍କ ସହ ସହମତିବିନା ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଗୁଣତିଳକାଙ୍କୁ ହୋଟେଲ୍ ରୁମ୍ରୁ ସିଡ୍ନି ପୁଲିସ୍ ଗିରଫ କରିଥିଲା। ହେଲେ ଗୁରୁବାର ସିଡ୍ନି କୋର୍ଟରେ ହୋଇଥିବା ଶୁଣାଣି ସମୟରେ ସରକାରୀ ଓକିଲ ଗୁଣତିଳକାଙ୍କ ଉପରେ ଲଗାଯାଇଥିବା ୩ ଅଭିଯୋଗକୁ ଉଠାଇ ନେଇଥିଲେ।
କାଏମ୍ ରହିଥିବା ଗୋଟିଏ ଅଭିଯୋଗ କ୍ରମେ ଗୁଣତିଳକା ପୀଡ଼ିତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ବେଳେ ଗୋଟିଏ ହାତରେ ତାଙ୍କ ବେକକୁ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଚାପି ରଖିବାରୁ ସେ ଶ୍ବାସରୁଦ୍ଧ ହୋଇଥିଲେ ବୋଲି ଦର୍ଶାଯାଇଛି। ବିଶ୍ବକପ୍ ସମୟରେ ନିଜ ଦେଶ ପାଇଁ କେବଳ ଗୋଟିଏ ମ୍ୟାଚ୍ରେ ଗୁଣତିଳକା ଖେଳିପାରିଥିଲେ। ନାମିବ୍ୟା ବିପକ୍ଷରେ ଖେଳିବା ପରେ ଆହତ ଯୋଗୁଁ ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକ ଖେଳିପାରିନଥିଲେ। ୨୦୨୧ରେ ଇଂଲଣ୍ଡ ଗସ୍ତ ସମୟରେ ଜୈବ ବଳୟ ଭାଙ୍ଗିବା ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତାଙ୍କୁ ବର୍ଷେ ବାସନ୍ଦ କରିଥିଲା। ଏଥିପୂର୍ବରୁ ବିଶୃଙ୍ଖଳିତ ଆଚରଣ ଯୋଗୁଁ ୨୦୧୮ରେ ୬ ମାସ ଓ ୨୦୧୭ରେ ୬ ମ୍ୟାଚ୍ ପାଇଁ ତାଙ୍କୁ ବାସନ୍ଦ କରାଯାଇଥିଲା।