ଦଳରୁ ବାଦ୍‌ ବେଳେ ଭାରି ବାଧିଥିଲା: ଗୁଣ୍ଡାପ୍ପା ବିଶ୍ବନାଥ

ଚେନ୍ନାଇ: ଭାରତରୁ ସୃଷ୍ଟି ହୋଇଥିବା ଅନ୍ୟତମ ଉତ୍କୃଷ୍ଟ ବ୍ୟାଟ୍‌ସମ୍ୟାନ୍ ହେଲେ ଗୁଣ୍ଡାପ୍ପା ବିଶ୍ବନାଥ। ଏରାପଲ୍ଲୀ ପ୍ରସନ୍ନାଙ୍କ ଅଧୀନରେ ସେ କର୍ଣ୍ଣାଟକ ପାଇଁ ଏବଂ ମନସୁର୍ ଅଲୀ ଖାନ୍ ପଟୌଦୀଙ୍କ ନେତୃତ୍ବ ବେଳେ ଭାରତୀୟ ଦଳରୁ‌ ଖେଳି ସମସ୍ତଙ୍କ ନଜରକୁ ଆସିଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ଘରୋଇ କ୍ରିକେଟରୁ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ପ୍ରବେଶ କରିଥିଲେ। ଗୁଣ୍ଡାପ୍ପା ବିଶ୍ବନାଥ ନିଜ ଖେଳ ଜୀବନର ଆଗୁଆ ଆଗମନ ଏବଂ ବିଦାୟ ସମ୍ପର୍କରେ ଶନିବାର ଷ୍ଟାର ସ୍ପୋର୍ଟସର କନ୍ନଡ ସୋ’ ଦିଗଜର ଦାଣ୍ଠାକାଥେ କାର୍ଯ୍ୟକ୍ରମ‌ ଅବସରରେ ବହୁ କଥା କହିଥିଲେ। ‘ପ୍ରସନ୍ନାଙ୍କୁ ଧନ୍ୟବାଦ ଦେବି ସେ ମୋତେ ପ୍ରଥମେ ବଢ଼ିବାର ସୁଯୋଗ ଦେଇଥିବାରୁ, ରାଜ୍ୟ ଦଳରୁ‌ ଖେଳିବାରେ ଏହା ସହାୟକ‌ ହୋଇଥିଲା। ‌ସେହିଭଳି ରଣଜୀ ଟ୍ରଫିରେ ପଟୌଦୀ ହାଇଦ୍ରାବାଦ ପାଇଁ ଖେଳୁଥା’ନ୍ତି। କର୍ଣ୍ଣାଟକ ଦଳର ସଦସ୍ୟ ଭାବେ ତାଙ୍କ ବିପକ୍ଷରେ ଖେଳିଥିଲି। ସେ ମାତେ ଢେର ପାଖରୁ ଦେଖିଥିଲେ। ୧୯୬୮ ମସିହାରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ବୋର୍ଡ ସଭାପତି ଦଳରୁ ଖେଳିବା ବେଳେ ଅଧିନାୟକ ଚନ୍ଦୁ ବୋର୍ଡେ ଓ ମୋ ମଧ୍ୟରେ ଭଲ ଭାଗୀଦାରି ହୋଇଥିଲା। ଏହା ପରେ ବୋର୍ଡେ ମୋ ନାମକୁ ମନସୁର ଅଲୀଙ୍କୁ ସୁପାରିସ୍ କରିଥିଲେ।’’ ସୂଚନାଯୋଗ୍ୟ, ‌ନିଜ ଖେଳ ଜୀବନରେ ବିଶ୍ବନାଥ ୯୧‌ ଟେଷ୍ଟ୍‌ରୁ ୪୧.୯୩ ହାରରେ ୬୦୮୦ ରନ୍‌ ଏବଂ ୨୫ ଦିନିକିଆରୁ ୧୯.୯୫ ହାରରେ ୪୩୯ ରନ୍‌ କରିଥିଲେ।

୧୯୬୯ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ କାନପୁର ଟେଷ୍ଟ୍‌ରେ ସେ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ। ପରେ ସେ ୧୪ ବର୍ଷର ଖେଳ ଜୀବନରେ ମୋଟ ୧୪ ଶତକ ମଧ୍ୟ ଜମାଇଥିଲେ। ସ୍କୋୟାର୍‌ କଟ୍‌ ଏବଂ ଫ୍ଲିକ୍‌ ସଟ୍‌ ପାଇଁ ବିଶ୍ବନାଥ ବିଖ୍ୟାତ ‌ଥିଲେ। ଦୃଢ଼ ଟେକନିକ୍ ରଖିଥିବା ବିଶ୍ବନାଥ ଜଣେ ରିଷ୍ଟ୍‌ ବ୍ୟାଟସମ୍ୟାନ୍‌ ଯାହାଙ୍କୁ ଏବେ ବି କ୍ରୀଡ଼ା ବିଶେଷଜ୍ଞମାନେ ତାରିଫ କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ। ସମାନ ପ୍ରକାର ବଲ୍‌କୁ ସେ ୫ ପ୍ରକାର ଭିନ୍ନ ସଟ୍‌ ଖେଳିପାରନ୍ତି। କିନ୍ତୁ ବିଶ୍ବନାଥଙ୍କ ଖେଳ ଜୀବନର ଅଶୋଭନୀୟ ଅନ୍ତ ଘଟିଥିଲା। ୧୯୮୨-୮୩ରେ ପାକିସ୍ତାନ ବିପକ୍ଷ ୬ ଟେଷ୍ଟ୍ ଶୃଙ୍ଖଳାକୁ ଭାରତ ହାରିଯିବା ପରେ ତାଙ୍କ ଖେଳ ଜୀବନ ଶେଷ ହୋଇଯାଇଥିଲା। ଏହା ଉପରେ ନିଜ ମତ ରଖିବାକୁ ଯାଇ ବିଶ୍ବନାଥ କହିଥିଲେ ‘ମୁଁ ଯେତେବେଳେ ଦଳରୁ ବାଦ୍‌ ପଡ଼ିଲି, ଏହା ମୋତେ ଭାରି ବାଧିଥିଲା, ସେତେବେଳେ ମୁଁ ସମସ୍ତ ୩ଟି ପାଳିରେ ଭୁଲ ନିଷ୍ପତ୍ତି ନେଇଥିଲି। ଏହା କିନ୍ତୁ ଖେଳର ଅଂଶବିଶେଷ ଥିଲା। ‌କିନ୍ତୁ ସେହି ୩ଟିରୁ ମୁଁ ଦୁଇଟି ପାଳିରେ ଭଲ ଖେଳିଥିଲି। ମୋନେ ମୋତେ ଦଳରୁ ବାଦ୍‌ ଦେବାର ନ ଥିଲା’।

ସମ୍ବନ୍ଧିତ ଖବର