ଗପ୍ଟିଲ ଭାରତ ବିପକ୍ଷ ଟ୍ବେଣ୍ଟି-୨୦ରୁ ବାଦ୍

ୱେଲିଂଟନ: ନ୍ୟୁଜିଲାଣ୍ଡ୍‌ର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାର୍ଟିନ୍‌ ଗପ୍ଟିଲ୍‌ ପିଠି ଯନ୍ତ୍ରଣା ଯୋଗୁଁ ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଓହରି ଯାଇଛନ୍ତି। ବୁଧବାର ୱେଲିଂଟନରେ ଆରମ୍ଭ ହେବାକୁ ଥିବା ୩ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ତାଙ୍କ ସ୍ଥାନରେ ଜିମ୍ମି ନୀସାମଙ୍କୁ ଦଳରେ ନିଆଯାଇଛି। ଡାରିଲ ମିଚେଲ୍‌ ନୂଆ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି। ଡାରିଲ୍ ହେଉଛନ୍ତି ଇଂଲଣ୍ଡର ସହକାରୀ ପ୍ରଶିକ୍ଷକ, ପୂର୍ବତନ ରଗ୍‌ବି ଖେଳାଳି ତଥା‌ ନ୍ୟୁଜିଲାଣ୍ଡ୍‌ ଦଳର ପୂର୍ବତନ ପ୍ରଶିକ୍ଷକ ଜନ୍‌ ମିଚେଲଙ୍କ ପୁଅ। ଗପ୍ଟିଲ ବାଦ୍‌ ପଡ଼ିବା ଦିନିକିଆ ଶୃଙ୍ଖଳାକୁ ୧-୪ରେ ହାରିଥିବା ନ୍ୟୁଜିଲାଣ୍ଡ ପାଇଁ ବଡ଼ ଝଟ୍‌କା ଲାଗିଛି। ପିଠି ଯନ୍ତ୍ରଣା ପାଇଁ ଗପ୍ଟିଲ ମଧ୍ୟ ରବିବାର ଖେଳାଯାଇଥିବା ଶେଷ ଦିନିକିଆ ଖେଳି ପାରିନଥିଲେ। ଏହି ମ୍ୟାଚ୍‌କୁ ଭାରତ ୩୫ ରନ୍‌ରେ ଜିତିଥିଲା। ଗପ୍ଟିଲ ବାଂଲାଦେଶ ବିପକ୍ଷ ଦିନିକିଆ ଶୃଙ୍ଖଳା ବେଳକୁ ସୁସ୍ଥ ହୋଇ ଦଳକୁ ଫେରିବାର ସମ୍ଭାବନା ରହିଛି ବୋଲି ନ୍ୟୁଜିଲାଣ୍ଡ ପ୍ରଶିକ୍ଷକ ଗ୍ୟାରି ଷ୍ଟିଡ୍‌ ପ୍ରକାଶ କରିଛନ୍ତି।
ନ୍ୟୁଜିଲାଣ୍ଡ୍‌ ଦଳ: କେନ୍‌ ୱିଲିୟମସନ (ଅଧିନାୟକ), ଡଗ୍‌ ବ୍ରାସଓ୍ବେଲ, କଲିନ ଡେ ଗ୍ରାଣ୍ଢୋମ, ଲୁକି ଫର୍ଗୁସନ, ସ୍କଟ କୁଗେଲେନ, ଡାରିଲ ମିଚେଲ, କଲିନ ମୁନ୍‌ରୋ, ଜିମ୍ମି ନୀସାମ, ମିଚେଲ ସାଣ୍ଟନର, ଟିମ ସେଇଫର୍ଟ, ଈଶ୍‌ ସୋଢ଼ୀ, ଟିମ ସାଉଦି, ରସ୍‌ ଟେଲର।

ସମ୍ବନ୍ଧିତ ଖବର