ଭାରତ ମ୍ୟାଚ୍ ପାଇଁ ଗପ୍ଟିଲ୍ ଫିଟ୍: ନେଟ୍ସକୁ ଫେରିଲେ ପାଣ୍ଡ୍ୟା

ଦୁବାଇ: ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍ ବିଶ୍ବକପ୍ ମ୍ୟାଚ୍‌ରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ପୁଣି ଥରେ ଉଭୟ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିବା ଭାରତୀୟ ପ୍ରଶଂସକଙ୍କୁ ଉତ୍ସାହିତ କରିଛି। ଢେର କିଛି ମାସ ହେବ ଆଦୌ ବୋଲିଂ କରୁନଥିବା ପାଣ୍ଡ୍ୟା ପାକିସ୍ତାନ ବିପକ୍ଷରେ ବ୍ୟାଟିଂରେ ବିଫଳ ହେବା ପରେ କାନ୍ଧରେ ଆଘାତ ଲାଗିବାରୁ ଫିଲ୍ଡିଂ କରିପାରିନଥିଲେ। ଯାହା ପ୍ରଶଂସକଙ୍କ ସହ ଅଧିନାୟକ ବିରାଟ କୋହଲିଙ୍କୁ ଚିନ୍ତାରେ ପକାଇଥିଲା। ହେଲେ ବୁଧବାର ପାଣ୍ଡ୍ୟ ଢେର ସମୟ ପର୍ଯ୍ୟନ୍ତ ନେଟ୍ସ କରିଥିଲେ। କେବଳ ବ୍ୟାଟିଂ ନୁହେଁ କିଛି ସମୟ ପାଇଁ ସେ ବୋଲିଂ ବି କରିଥିଲେ। ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବର କୁମାର ଓ ଶାର୍ଦୁଳ ଠାକୁରଙ୍କୁ ପାଖାପାଖି ୨୦ ମିନିଟ୍ ଧରି ଏଭଳି ଅଭ୍ୟାସ କରିଥିଲେ ଏହି ଦୁର୍ଦ୍ଧର୍ଷ ଅଲରାଉଣ୍ଡର।

ପାଖରେ ମାର୍ଗଦର୍ଶକ ତଥା ଭାରତର ବିଶ୍ବକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଥିଲେ। ଷ୍ଟ୍ରେନ୍ଥ ଓ କଣ୍ଡିସନିଂ ପ୍ରଶିକ୍ଷକ ସୋହମ ଦେଶାଇ ଏବଂ ଫିଜିଓ ନିତିନ ପଟେଲଙ୍କ ତୀକ୍ଷ୍ଣ ନଜର ତଳେ ସଟ୍ ସ୍ପ୍ରିଣ୍ଟ୍ସ ମଧ୍ୟ କରିଥିଲେ ପାଣ୍ଡ୍ୟା। ବିଶେଷଜ୍ଞଙ୍କ ଅନୁସାରେ ପାଣ୍ଡ୍ୟା ବୋଲିଂ ନକରିବା ଭାରତୀୟ ଦଳର ସନ୍ତୁଳନକୁ ବିଗାଡ଼ି ଦେଇଛି। ଫଳରେ ଅଧିକାଂଶ ମ୍ୟାଚ୍‌ରେ ଭାରତ ଷଷ୍ଠ ବୋଲରଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛି। ପାକିସ୍ତାନ ବିପକ୍ଷରେ ମଧ୍ୟ ଠିକ୍ ଏହା ଘଟିଥିଲା। ସବୁ ବୋଲର ବିଫଳ ହୋଇଚାଲିଥିଲା ବେଳେ ଆହତ ହୋଇ ପାଣ୍ଡ୍ୟା ଡଗ୍‌ଆଉଟ୍‌ରେ ବସିଥିଲେ। ଫଳରେ କୋହଲିଙ୍କ ଅସହାୟତା ସ୍ପଷ୍ଟ ବାରି ହୋଇଯାଇଥିଲା। ପାଣ୍ଡ୍ୟା ଅବଶ୍ୟ ଗତ ଜୁଲାଇ ମାସରେ ଶ୍ରୀଲଙ୍କା ବିପକ୍ଷରେ ବୋଲିଂ କରିଥିଲେ। ହେଲେ ଆଇପିଏଲ୍‌ର ୟୁଏଇ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୋଟିଏ ହେଲେ ବି ଓଭର ପକାଇ ନଥିଲେ। ପାକିସ୍ତାନ ବିପକ୍ଷରେ ୮ ବଲ୍ ଖେଳି ମାତ୍ର ୧୧ ରନ୍ କରିଥିବା ପାଣ୍ଡ୍ୟା ମଧ୍ୟ ଏଥିଲାଗି ତୀବ୍ର ସମାଲୋଚିତ ହୋଇଥିଲେ।

ଦୁବାଇ: ରବିବାର ଖେଳାଯିବାକୁ ଥିବା ଭାରତ ବିପକ୍ଷ ମହତ୍ବପୂର୍ଣ୍ଣ ମ୍ୟାଚ୍ ବେଳକୁ ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗପ୍ଟିଲ ପୂରା ଫିଟ୍ ହୋଇଯିବେ। ପାକିସ୍ତାନ ବିପକ୍ଷ ନ୍ୟୁଜିଲାଣ୍ଡର ପ୍ରଥମ ମ୍ୟାଚ୍ ବେଳେ ଗପ୍ଟିଲଙ୍କ ଗୋଇଠି ମୋଡ଼ି ହୋଇଯା‌ଇଥିଲା। ଫଳରେ ଭାରତ ବିପକ୍ଷ ମ୍ୟାଚ୍‌ରେ ସେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଶନିବାର ସୁଦ୍ଧା ସେ ଫିଟ୍ ହୋଇଯିବେ ବୋଲି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଆଶା ପ୍ରକାଶ କରିଛନ୍ତି। ଶୁକ୍ରବାର କିନ୍ତୁ ତାଙ୍କ ଗୋଇଠି ଆଘାତର ପୁନଃ ଯାଞ୍ଚ କରାଯିବ। ନ୍ୟୁଜିଲାଣ୍ଡ ଦଳ ଶୁକ୍ରବାର ସହ ଶନିବାର ମଧ୍ୟ ଅଭ୍ୟାସ କରିବ। ଏହା ପୂର୍ବରୁ ନଳୀଗୋଡ଼ ମାଂସପେଶୀ ଟାଣି ହୋଇଯିବାରୁ ଦ୍ରୁତ ବୋଲର ଲୋକି ଫର୍ଗୁସନ୍ ନ୍ୟୁଜିଲାଣ୍ଡ ଦଳରୁ ବାଦ ପଡ଼ି ସାରିଛନ୍ତି। ରବିବାର ସୁଦ୍ଧା ଗପ୍ଟିଲ ଯଦି ପୂରା ଫିଟ୍ ନହୁଅନ୍ତି ତାହା‌ଲେ ଏହା ନ୍ୟୁଜିଲାଣ୍ଡ ପାଇଁ ଆଉ ଏକ ଶକ୍ତ ଧକ୍କା ହେବ।

ସମ୍ବନ୍ଧିତ ଖବର