ଗପ୍ଟିଲଙ୍କ ଶତକରେ ଶୃଙ୍ଖଳା ବିଜୟ, ନ୍ୟୁଜିଲାଣ୍ଡଠାରୁ ପୁଣି ହାରିଲା ବାଂଲାଦେଶ

କ୍ରିଷ୍ଟଚର୍ଚ: ନ୍ୟୁଜିଲାଣ୍ଡ ଗସ୍ତରେ ବାଂଲାଦେଶ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌କୁ ୮ ୱିକେଟ୍‌ରେ ହାରିଥିବା ଏହି ଏସୀୟ ଦଳ ଶନିବାରର ଦ୍ବିତୀୟ ଦିନିକିଆକୁ ମଧ୍ୟ ଅନୁରୂପ ଭାବେ ସେହି ୮ ୱିକେଟ୍‌ରେ ହାରି ଯାଇଛି। ଦୁଇଟି ଯାକ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲ ଶତକୀୟ ପାଳି ଖେଳି ବାଂଲାଦେଶ ହାତରୁ ମ୍ୟାଚ୍ ଛଡ଼ାଇ ନେଇଛନ୍ତି। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଘରୋଇ ନ୍ୟୁଜିଲାଣ୍ଡ ଆଗୁଆ ୨-୦ରେ ଜିତି ନେଇଛି। ନ୍ୟୁଜିଲାଣ୍ଡ ମଧ୍ୟ ଲଗାତାର ବିଜୟ ଏବଂ ଗପ୍ଟିଲ କ୍ରମାଗତ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ଶୃଙ୍ଖଳାର ତୃତୀୟ ତଥା ଶେଷ ଲଢ଼େଇ ଡୁନେଡିନଠାରେ ଆସନ୍ତା ବୁଧବାର ଖେଳାଯିବ। ଏହି ମ୍ୟାଚ୍‌ରେ ବାଂଲାଦେଶ ସାନ୍ତ୍ବନାମୂଳକ ବିଜୟ ଏବଂ ନ୍ୟୁଜିଲାଣ୍ଡ ଶୃଙ୍ଖଳା ପୋଛିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

କ୍ରିଷ୍ଟଚର୍ଚର ହାଗ୍‌ଲେ ଓଭାଲଠାରେ ଖେଳା ଯାଇଥିବା ଶନିବାର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ପୁଣି ଥରେ ପ୍ରାରମ୍ଭିକ ବିଫଳତାର ସମ୍ମୁଖୀନ ହୋଇ ୪୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୨୬ ରନ୍ କରିଥିଲା। ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିଲା ବେଳେ ମହମ୍ମଦ ମିଥୁନ (୫୭) ଓ ସବୀର ରେହମାନ (୪୩) କିଛି ସମୟ ପାଇଁ କିୱି ବୋଲରଙ୍କ ଆକ୍ରମଣକୁ ପ୍ରତିହତ କରିଥିଲେ। ଏହି ଦୁଇ ଜଣଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ବାଂଲାଦେଶ କଷ୍ଟେମଷ୍ଟେ ୨୦୦ ରନ୍ ପାର ହୋଇଥିଲା। ୨୨୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୪୫ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା। ତେବେ ଗପ୍ଟିଲ (୧୧୯ ରନ୍, ୮୮ ବଲ୍, ୧୪ ଚୌକା, ୪ ଛକା)ଙ୍କ ଶତକ ସହ ଅଧିନାୟକ କେନ୍ ୱିଲିୟମସନ୍ (୬୫*, ୮୬ ବଲ୍, ୩ ଚୌକା)ଙ୍କ ଅର୍ଧଶତକ ବଳରେ ୧୩.୫ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଗପ୍ଟିଲ ନିଜ ଷୋଡ଼ଶ ଶତକ ହାସଲ କରିବା ମଧ୍ୟରେ ୧୪ ଚୌକା, ୪ ଛକା ମାରିଥିଲେ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୪୯.୪ ଓଭରରେ ୨୨୬ (ମହମ୍ମଦ ମିଥୁନ ୫୭, ସବୀର ରେହମାନ ୪୩, ଲୋକି ଫର୍ଗୁସନ୍ ୩/୪୩, ଜେମ୍ସ ନିସାମ ୨/୨୧, ଟଡ୍ ଆସଲେ ୨/୫୨)। ନ୍ୟୁଜିଲାଣ୍ଡ ୩୬.୧ ଓଭରରେ ୨୨୯ (ମାର୍ଟିନ୍ ଗପ୍ଟିଲ ୧୧୮, କେନ୍ ୱିଲିୟମସନ୍ ୬୫*, ରସ୍ ଟେଲର ୨୧*, ମୁସ୍ତାଫିଜୁର ରେହମାନ ୨/୪୨)।

ସମ୍ବନ୍ଧିତ ଖବର