ଏଡିନବର୍ଗ: ସ୍କଟଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ୪୦ ରନ୍ କରିବା ପରେ ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗପ୍ଟିଲ ପୁରୁଷ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ର ସର୍ବାଧିକ ରନ୍ ସ୍କୋରର୍‌ ହୋଇଛନ୍ତି। ଏହିକ୍ରମରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଟପିଛନ୍ତି। ଟ୍ବେଣ୍ଟି-୨୦ରେ ରୋହିତ ୩୩୭୯ ରନ୍ କରିଥିଲା ବେଳେ ଗପ୍ଟିଲ ୩୩୯୯ ରନ୍‌ରେ ପହଞ୍ଚି ଯାଇଛନ୍ତି। ଗପ୍ଟିଲ ୧୧୬ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ରୋହିତ କିନ୍ତୁ ୧୨୮ ଟ୍ବେଣ୍ଟି-୨୦ ଖେଳିଛନ୍ତି। ଗପ୍ଟିଲଙ୍କ ରନ୍ ସଂଗ୍ରହ ହାର ୩୨.୩୭ ଥିଲା ବେଳେ ରୋହିତଙ୍କ ହାର ହେଉଛି ୩୨.୧୮। ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ରୋହିତଙ୍କ ପାଖରେ ଗପ୍ଟିଲଙ୍କୁ ଟପିବାର ସୁଯୋଗ ରହିବ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ସେ ୯୯ ଟ୍ବେଣ୍ଟି-୨୦ ଖେଳି ୫୦.୧୨ ହାରରେ ୩୩୦୮ ରନ୍ କରିଛନ୍ତି। ଆୟର୍ଲାଣ୍ଡର ପର୍ଲ ଷ୍ଟର୍ଲିଂ (୨୮୯୪ ରନ୍) ଚତୁର୍ଥରେ ଥିଲା ବ‌େଳେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍ (୨୮୫୫ ରନ୍) ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି।

ଫିନ୍‌ଙ୍କ ଶତକ: ନ୍ୟୁଜିଲାଣ୍ଡ ଜିତିଲା ପ୍ରଥମ ଟ୍ବେଣ୍ଟି-୨୦

Advertisment

ଏଡିନବର୍ଗ: ଫିନ୍‌ ଆଲେନ୍‌ଙ୍କ ବିସ୍ଫୋରକ ଶତକ ବଳରେ ଆୟର୍ଲାଣ୍ଡ୍‌ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୬୮ରନ୍‌ରେ ଜିତି ନେଇଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ନ୍ୟୁଜିଲାଣ୍ଡ ଫିନ୍‌ଙ୍କ ଶତକ ସାଙ୍ଗକୁ ମାର୍ଟିନ୍‌ ଗପ୍ଟିଲଙ୍କ ୪, ଜେମ୍‌ସ ନୀସାମଙ୍କ ୩୦, ଗ୍ଲେନ୍ ଫିଲିପ୍ସ ଓ ଡାରିଲ ମିଚେଲଙ୍କ ୨୩ ରନ୍‌ ଲେଖାଏଁ ସହାୟତାରେ ୫ ୱିକେଟ୍‌ ବିନିମୟରେ ୨୨୫ ରନ୍‌ କରିନେଇଥିଲା। ଜବାବରେ ଈଶ୍‌ ସୋଢ଼ି (୪-୦-୨୮-୪) ଏବଂ ମିଚେଲ ସାଣ୍ଟନର୍‌ (୪-୦-୨୩-୨)ଙ୍କ ଘାତକ ବୋଲିଂ ନିକଟରେ ହାର୍‌ ମାନି ଆୟର୍ଲାଣ୍ଡ ଦଳ ୧୫୭/୮ରେ ଅଟକି ଯାଇଥିଲା। କାଲମ ମ୍ୟାକ୍‌ଲିଓଡ ୩୩, କ୍ରିସ୍‌ ଗ୍ରିଭ୍‌ସ ୩୧ ଏବଂ ଜର୍ଜ ମୁନ୍‌ସି ୨୮ ରନ୍‌ କରିଥିଲେ ମଧ୍ୟ ପରାଜୟ ଏଡାଇବା ପାଇଁ ଯଥେଷ୍ଟ ହୋଇନଥିଲା। ଶତକୀୟ ପାଳି ପାଇଁ ଫିନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥି ସହିତ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୧-୦ର ଅଗ୍ରଣୀ ପାଇଯାଇଛି।