ସୁରତ: ଲଗାତାର ଦୁଇଟି ମ୍ୟାଚ୍‌କୁ ବର୍ଷା ଧୋଇନେବା ପରେ ସ୍ଥାନୀୟ ଲାଲ୍‌ଭାଇ ଷ୍ଟାଡିୟମ୍‌ରେ ଖେଳିଥିବା ଚଳିତ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍‌ର ନିଜ ପ୍ରଥମ ମ୍ୟାଚ୍‌ରେ କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଦଳ ୮ ୱିକେଟ୍‌ରେ ସଦର୍ଣ୍ଣ ସୁପରଷ୍ଟାର୍ସଠାରୁ ପରାଜିତ ହୋଇଛି। ଫଳରେ ୪ ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ଜୟ/ପରାଜୟ ଏବଂ ଦୁଇଟି ବାତିଲ ମ୍ୟାଚ୍‌ରୁ ୨ ପଏଣ୍ଟ୍‌ ପାଇ ମୋଟ୍‌ ୪ ପଏଣ୍ଟ ସହ ତାଲିକାର ତୃତୀୟ ସ୍ଥାନକୁ ଖସି ଆସିଛି।  କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ତାର ‌ପରବର୍ତ୍ତୀ ମ୍ୟାଚ୍ ଜମ୍ମୁରେ ୪ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ରେ ଇର୍ଫାନ୍ ପଠାନଙ୍କ ନେତୃତ୍ବାଧୀନ ଦଳ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ। 

Advertisment

ବୁଧବାରର ହାଇସ୍କୋରିଂ ମୁକାବିଲାରେ ପ୍ରତିପକ୍ଷ ସଦର୍ଣ୍ଣ ସୁପରଷ୍ଟାର୍ସ ଟସ୍ ଜିତି କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ଓପନର ରିଚାର୍ଡ ଲେଭିଙ୍କ ବିସ୍ଫୋରକ ୬୩ ରନ୍ ଏବଂ ୟୁସୁଫ ପଠାନଙ୍କ ୩୩ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଏହାର ଜବାବରେ ସଦର୍ଣ୍ଣ ସୁପରଷ୍ଟାର୍ସ ୩୩ ରନ୍‌ରେ ଅଧିନାୟକ ଶ୍ରୀବତ୍ସ ଗୋସ୍ବାମୀଙ୍କୁ ହରାଇବା ସତ୍ତ୍ବେ ଅନ୍ୟତମ ଓପନର ମାର୍ଟିନ ଗପ୍ଟିଲଙ୍କ ଧମାକାଦାର ଶତକ (୧୩୧* ରନ୍, ୫୪ ବଲ୍, ୯ ଚୌକା, ୧୧ ଛକା) ବଳରେ ୧୬ ଓଭରରେ ୨ ୱିକେଟ୍ ହରାଇ ସହଜ ବିଜୟ ହାସଲ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ହାମିଲଟନ୍ ମାସାକାଜା ୨୦ ରନ୍‌ର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରଖିଥିଲେ। ସେହିଭଳି ଗପ୍ଟିଲଙ୍କ ଛକା ବର୍ଷା ପାଇଁ ସଦର୍ଣ୍ଣ ସୁପରଷ୍ଟାର୍ସ ନିଜ ଅପରାଜେୟ ଧାରାକୁ ଅତୁଟ ରଖି ୫ ମ୍ୟାଚ୍‌ରୁ ୫ ବିଜୟ ସହ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତି ଆହୁରି ସୁଦୃଢ଼ କରିନେବା ସହ ପ୍ଲେ ଅଫ୍‌ର ନିକଟତର ହୋଇଛି। 

ସଂକ୍ଷିପ୍ତ ସ୍କୋର୍‌: କୋଣାର୍କ ସୂର୍ଯ୍ୟାସ୍ ଓଡ଼ିଶା ୨୦ ଓଭରରେ-୧୯୨/୯ (ରିଚାର୍ଡ ଲେଭି ୬୩, ୟୁସୁଫ ପଠାନ୍ ୩୩, ସୁବୋଧ ଭଟ୍ଟୀ ୩/୨୨)। ସଦର୍ଣ୍ଣ ସୁପରଷ୍ଟାର୍ସ ୧୬ ଓଭରରେ-୧୯୫/୨ (ମାର୍ଟିନ ଗପ୍ଟିଲ ୧୩୧*, ହାମିଲଟନ୍ ମାସାକାଜା ୨୦, ବେନ୍ ଲାଫଲିନ୍ ୧/୨୬)।