କରିମ୍‌ ଓ କିଟ୍‌କୁ ପ୍ରଶଂସା କଲେ ଗୁରଦୀପ୍‌

ଚଳିତ ବର୍ଷଠାରୁ ବିସିସିଆଇ ଭିଜି ଟ୍ରଫି ଭଳି ବିଶ୍ୱବିଦ୍ୟାଳୟ କ୍ରିକେଟ୍‌ ପ୍ରଗିଯୋଗିତାକୁ ଗୁରୁତ୍ୱ ଦେଇଥିବାରୁ ଏଥି ପାଇଁ ସାଧୁବାଦ ଜଣାଇଥିଲେ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଯୁଗ୍ମ ସମ୍ପାଦକ (କ୍ରୀଡ଼ା) ଗୁରଦୀପ୍‌ ସିଂହ। ଖେଳ ଜୀବନରେ ହକି ଖେଳିଥିବା ଏବଂ ଆମେରିକାରେ ପାଠ ପଢ଼ିଥିବା ଗୁରଦୀପଙ୍କ କହିବା କଥା ହେଲା ଭିଜି ଟ୍ରଫିର ଗୁରୁତ୍ୱ ବିସିସିଆଇର ସମର୍ଥନ ପାଇ ବଢ଼ିଯାଇଛି। ଏବେ ବିଶ୍ୱବିଦ୍ୟାଳୟ ସ୍ତରରେ କ୍ରିକେଟ୍‌କୁ ଗମ୍ଭୀରତାର ସହ ଖେଳାଯାଇଛି। ବିସିସିଆଇ-ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଏବଂ କିଟ୍‌ ସହିତ ଅନୁବଂଧିତ ହେବା ଫଳରେ ଚଳିତ ବର୍ଷର ଭିଜି ଟ୍ରଫି ମଧ୍ୟ ନୂଆ ଦିଶା ନେଇଛି। ଖେଳାଳିମାନେ ମଧ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇ ଖୁସୀ ହୋଇଛନ୍ତି। ସବା କରିମ୍‌ଙ୍କ ସୃଜନଶୀଳତା ପାଇଁ ଏବଂ କିଟ୍‌ର ସମର୍ଥନକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। କେବଳ କ୍ରିକେଟ୍‌ ନୁହେଁ ଅନ୍ୟ ଖେଳକୁ ମଧ୍ୟ ଏଆଇୟୁ ସମର୍ଥନ କରୁଛି। କିଟ୍‌ରେ ଥିବା ବିଶ୍ୱସ୍ତରୀୟ ଭିତ୍ତିଭୂମୀ ମଧ୍ୟ ଆମକୁ ଆତ୍ୱବିଶ୍ୱାସ ଦେଇଛି। ଦେଶରେ ଏଆଇୟୁ ମୋଟ ୨୦୬ କ୍ରୀଡ଼ା ଶୃଙ୍ଖଳାକୁ ପ୍ରୋସାହିତ କରୁଛି। ଭାରତରେ ଏକ କ୍ରୀଡ଼ା ସସ୍କୃତିକୁ ପ୍ରତିଷ୍ଠା କରିବା ଏବଂ ଯୁବ ଶକ୍ତିକୁ ଠିକଣା ମାର୍ଗଦର୍ଶନ ଦେବା ଆମ ଅସଲ ଉଦ୍ଦେଶ୍ୟ। ଯୁବଶକ୍ତିକୁ ଗଠନମୂଳକ ଦିଗରେ ବିନିଯୋଗ କରାନଗଲେ ନୂଆ ଭାରତ ଗଠନ ସମ୍ଭବ ନୁହେଁ। କ୍ରୀଡ଼ା ଏକମାତ୍ର ମାଧ୍ୟମ ଯାହା ଏହା କରିପାରିବ। ପୁଲିସ୍‌ ଓ କୋର୍ଟ କଚେରି କୌଣସି ଦିଗହରା ଯୁବକକୁ ଠିକଣା ମାର୍ଗକୁ ଆଣି ପାରିବ ନାହିଁ। କିନ୍ତୁ ଖେଳ ଏହା କରିପାରିବ ବୋଲି ଶ୍ରୀ ଗୁରଦୀପ ପ୍ରକାଶ କରିଥିଲେ। ପାଠପଢ଼ା କେବଳ ପରୀକ୍ଷା ପାଇଁ ସୀମିତ ହୋଇପାରେ, କିନ୍ତୁ ଖେଳ ଜଣଙ୍କ ଜୀବନ ଗଠନରେ ବଡ଼ ଯୋଗଦାନ ରଖିଥାଏ ବୋଲି ସେ ପ୍ରକାଶ କରିଥିଲେ।

ବିଶ୍ୱବିଦ୍ୟାଳୟ କ୍ରିକେଟର୍‌ ମୁଖ୍ୟ ସ୍ରୋତକୁ ଆସି ପାରିବେ: ସବା କରିମ୍‌

ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ଓଡ଼ିଶା ରଣଜୀ ଦଳର ପୂର୍ବତନ ପ୍ରଶିକ୍ଷକ ସବା କରିମ୍‌ଙ୍କୁ ଏବେ ମିଳିଛି ବିସିସିଆଇର ମହାବପ୍ରବଂଧକ (କ୍ରିକେଟ୍‌ ଅପରେସନ୍‌ସ) ଦାୟିତ୍ୱ। କ୍ରିକେଟ୍‌ର ବିକାଶ ଦିଗରେ ନିଜସ୍ୱ ଢ଼ଙ୍ଗରେ କାମ ଆରମ୍ଭ କରିଛନ୍ତି ଏହି ପୂର୍ବତନ ଓ୍ଵିକେଟରକ୍ଷକ। ଶୁକ୍ରବାର ‘ସମ୍ବାଦ’ ସହ କଥା ହେବା ବେଳେ କହିଥିଲେ ଏହାର ଝଲକ। ଏବେ ପରିବର୍ତନର ସମୟ। ଆଗକୁ ଆହୁରି ଅନେକ ପରିବର୍ତନ ହେବ। ବିସିସିଆଇ ମଧ୍ୟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କ୍ରିକେଟ୍‌କୁ ଗୁରୁତ୍ୱ ଦେବାକୁ ପ୍ରୟାସ କରିଛି। ଯଦି ଜଣେ ୧୬, ୧୯ ବର୍ଷ ଭଳି ବିଭିନ୍ନ ବୟସ ବର୍ଗର କ୍ରିକେଟ୍‌ ଖେଳି ପାରି ନାହିଁ, ତେବେ ସେ ଉପରସ୍ତରରେ ଖେଳି ପାରିବ। ଖେଳାଳିଙ୍କ ମଧ୍ୟରେ ଏହି ବିଶ୍ୱାସ ଦେବାକୁ ଚେଷ୍ଟା କରାଯାଉଛି। ଏକ ନୂଆ ରାସ୍ତା ବାହାର କରାଯାଇଛି। ସେମାନଙ୍କୁ ପ୍ଲାଟ ଫର୍ମ ଦେବା ଏବଂ ମୁଖ୍ୟ ସ୍ରୋତକୁ ଆଣିବା ଆମ ଲକ୍ଷ୍ୟ। ବିସିସିଆଇ ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ମିଳିତ ଭାବେ ଏ ଦିଗରେ କାମ କରୁଛି। ପାଠ ପଢ଼ିବା ସହିତ କ୍ରିକେଟ୍‌ ଖେଳିବାକୁ ସମାନ ଗୁରୁତ୍ୱ ମଧ୍ୟ ଦିଆଯାଉଛି। ଭିଜି ଟ୍ରଫିର ଫର୍ମାଟରେ ପରିବର୍ତନ କରାଯିବାର ଆବଶ୍ୟକତା ଥିଲା। ଚଳିତ ବର୍ଷ ଆମେ କେବଳ ସିଧା ପ୍ରସାରଣ କରିବା ଲକ୍ଷ୍ୟରେ ଦିନିକିଆ କରିଛୁ। କିନ୍ତୁ ଏହି ପ୍ରତିଯୋଗିତା ଦୁଇଟି ଅଲଗା ଫର୍ମାଟରେ ରହିବା ମଧ୍ୟ ଅଜବ କଥା ଥିଲା। କଲେଜ ବେଳେ ରୋହିଙ୍ଗଟନ ବାରିଆ ଟ୍ରଫି ଓ ଭିଜି ଟ୍ରଫି ଅଲଗା ଫର୍ମାଟରେ ରହିବା କଥା ନୁହେଁ। ଆଗକୁ ଆମେ ଅଧିକ କିଛି ସକରାତ୍ମକ କାମ କରିବାକୁ ଯାଉଛୁ। ଆଗକୁ ୧୦୦ ଦିନର କ୍ରିକେଟ୍‌ ସିଧା ପ୍ରସାରଣ ଏବଂ ୧୦୦ ଦିନର ଡିଜିଟାଲ ପ୍ରସାରଣ କରାଯିବ। ଓଡ଼ିଶା ସହ ମୋର ଅନେକ ସମ୍ପର୍କ ରହିଛି। ଏଠି ଭଲ କ୍ରିକେଟ ଖେଳାଳି ଅଛନ୍ତି ଏବଂ ସେମାନଙ୍କୁ ଭଲ ସୁଯୋଗ ଦିଆଗଲେ ସେମାନେ ନିଶ୍ଚିତ ଆଗକୁ ବଢ଼ିପାରିବେ ବୋଲି କହିଥିଲେ ଦେଶ ପାଇଁ ୧ ଟେଷ୍ଟ୍‍ ଏବଂ ୩୪ ଦିନିକିଆ ଖେଳିଥିବା ୫୦ ବର୍ଷୀୟ ସବା କରିମ୍‌।

ସମ୍ବନ୍ଧିତ ଖବର