ବୁଧବାରର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ମୁକାବିଲାକୁ ଗୁରୁ ଓ ଶିଷ୍ୟଙ୍କ ଦଳ ମଧ୍ୟରେ ଲଢ଼େଇ କହି ହେବ। ଅତୁଳନୀୟ ମହେନ୍ଦ୍ର ସିଂହ ଧୋନି ଏବଂ ଅଦମ୍ୟ ଶିଷ୍ୟ ବିରାଟ କୋହଲି ହେଉଛନ୍ତି ପ୍ରତିଦ୍ୱନ୍ଦ୍ୱୀ। କୋହଲିଙ୍କ ଟେଷ୍ଟ୍ ଓ ଦିନିକିଆ ପଦାର୍ପଣ ବେଳେ ଧୋନି ଥିଲେ ଅଧିନାୟକ। ଥଣ୍ଡା ମିଜାଜର ଅଧିନାୟକଙ୍କ ଅଧୀନରେ କୋହଲି ପ୍ରଷ୍ଫୁଟିତ ହୋଇଥିଲେ। ଦଳୀୟ ବୈଠକରେ ଅଧିକ କିଛି କରନ୍ତି ନାହିଁ ଧୋନି ଏବଂ ଖେଳାଳିଙ୍କୁ ମୁକ୍ତରେ ଖେଳିବାକୁ ଦେଇଥାନ୍ତି। ପଡ଼ିଆ ଭିତରେ ସେ କେବେ ନିୟନ୍ତ୍ରଣ ହରାଉ ନ ଥିବାରୁ ତାଙ୍କୁ କ୍ୟାପ୍ଟେନ୍ କୁଲ୍ କୁହାଯାଉଛି। ଦଳ କେବଳ ଓ୍ଵିକେଟ୍ ନେବାବେଳେ ଧୋନି ଉଲ୍ଲସିତ ହେବାକୁ ଛାଡ଼ିଦେଲେ କ୍ୱଚିତ୍ ସେ ବଦଳିଥାନ୍ତି। ଜଣେ କ୍ଷେତ୍ରରକ୍ଷକ ମାନ୍ଦା ହେଉ, ଥ୍ରୋ’ ଭଲ ନ ଥାଉ, କ୍ୟାଚ୍ ଛାଡ଼ିଦେଉ କି ଜଣେ ବୋଲର ବାଉଣ୍ଡରି ବଲ୍ ପକାଉ ଧୋନିଙ୍କ ପ୍ରତିକ୍ରିୟା ସବୁବେଳେ ଅପରିବର୍ତିତ ଥାଏ। ଏହି କାରଣରୁ ତାଙ୍କ ଅଧିନରେ ଖେଳୁଥିବା ଖେଳାଳିମାନେ ଅଧିକ ପ୍ରଶଂସା କରିଥାନ୍ତି। ଜଣେ ଖେଳାଳି ତାଙ୍କ ଅଧିନାୟକଙ୍କୁ ପ୍ରଶଂସକଙ୍କ ଆଗରେ ନିନ୍ଦିତ ନ ହେବାକୁ ଅଧିକ ପରିଶ୍ରମ କରିଥାନ୍ତି। ଜଣେ ଖେଳାଳି ନିଜେ କରିଥିବା ଭୁଲ୍କୁ ଡ୍ରେସିଂ ରୁମରେ ସ୍ୱୀକାର କରିବାକୁ ପଛାନ୍ତି ନାହିଁ।
ବିରାଟ କୋହଲି କିନ୍ତୁ ଠିକ୍ ବିପରୀତ ଚରିତ୍ର ଓ ଭାବନାର ଖେଳାଳି। କୋହଲି ନିଜ ଭାବନାକୁ ଶରୀରରେ ଦେଖାଇଥାନ୍ତି ଏବଂ ଉତ୍ତେଜନା ଓ ନିରାଶାକୁ ପରିପ୍ରକାଶ କରୁଥିବାରୁ ଏହା ଟିଭି କ୍ୟାମେରାରେ ଅଧିକାଂଶ ସମୟ କଏଦ ହୋଇଥାଏ। ଏବେ କିନ୍ତୁ ଜଣେ କ୍ୟାଚ୍ ଛାଡ଼ିଦେଲେ କି ବଲ୍ ଛାଡ଼ିଦେଲେ କୋହଲି ନିୟନ୍ତ୍ରଣ ନ ହରାଇବାକୁ ସବୁ ଚେଷ୍ଟା କରୁଛନ୍ତି। ଅଧିନାୟକ ଭାବେ ବଢ଼ିବା ବେଳେ କୋହଲିଙ୍କୁ ନିଜ ଭାବନାକୁ ରୋକିବାକୁ ହେବ, ବିଶେଷ କରି ପଡ଼ିଆରେ ନିରାଶା ବେଳେ।
ଗତ ମୁକାବିଲାରେ ଆର୍ସିବି ଜିତିଥିଲା ଏବି ଡି’ଭିଲିୟର୍ସଙ୍କ ଉଲ୍ଲେଖନୀୟ ବ୍ୟାଟିଂ ପାଇଁ। ଆର୍ସିବି ନିଶ୍ଚିତ ଏହି ବିଜୟକୁ ଧାରାରେ ପକାଇବାକୁ ଚାହିଁବ। ଦଳର ଅଧିନାୟକ ମଧ୍ୟ ପୂର୍ବ ଆଇପିଏଲ୍ ଋତୁ ଭଳି ଶତକୀୟ ଲୟକୁ ଆସନ୍ତୁ ବୋଲି ଆଶା ରଖିବ। ବୋଲରଙ୍କ ପାଇଁ ଏହି ମ୍ୟାଚ୍ର ପିଚ୍ ନିଶ୍ଚିତ ସହଜ ହେବ ନାହିଁ, ସେମାନଙ୍କ ଲାଗି କଠୋର ସମୟର ଆହ୍ଵାନ ଆସିଛି।
ଚେନ୍ନାଇ ସୁପର୍ କିଙ୍ଗ୍ସ ବେଶି ଦୂରରେ ନାହିଁ। ମିଳିତ ଭାବେ ଏମାନେ ଚମତ୍କାର ଖେଳୁଛନ୍ତି ଏବଂ ଚାପକୁ ହାତେଇ ନେଉଛନ୍ତି। ଦୁଇ ବର୍ଷର ନିଲମ୍ବନ ପରେ ଦଳର ଆଭ୍ୟନ୍ତରୀଣ ରୂପ ଅପରିବର୍ତିତ ରହିଛି। ଏହି କାରଣରୁ ଦଳ ଏତେ ଗୌରବ ଆଣିଛି। ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରଶଂସକ କେବଳ ଚେନ୍ନାଇବାସୀ ନୁହନ୍ତି। ଏହା କେବଳ ଏମ୍ଏସ୍ଡିଙ୍କ ପାଇଁ ସମ୍ଭବ ହୋଇପାରିଛି। (ପିଏମ୍ଜି/ଇଏସ୍ପି)
ଗୁରୁ-ଶିଷ୍ୟ ଲଢ଼େଇ : ସୁନୀଲ ଗାଭାସ୍କର
/sambad/media/post_attachments/wp-content/uploads/2018/04/sunil-gavasker.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)