କଟକ: ବାରବାଟୀ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ୬୫ତମ ରାଜ୍ୟ ଦୌଡ଼କୁଦର ପ୍ରଥମ ଦିନରେ ୩ ନୂଆ କୀର୍ତ୍ତିମାନ ସ୍ଥାପିତ ହୋଇଛି। ୫୦୦୦ ମିଟର ଦୌଡ଼ରେ କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରର ସମ୍ସାଦ ଆରା ବେଗମ୍ ୧୯ ବର୍ଷର କୀର୍ତ୍ତିମାନ ଭାଙ୍ଗିଛନ୍ତି। ୧୮:୧୪.୯ ସେକେଣ୍ଡ ସମୟ ସହ ସେ ମିଟ୍ ଓ ରାଜ୍ୟ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି। ପୂର୍ବରୁ କଟକର ଗୁରୁବାରି ବେହେରା ୧୯୯୮ ମସିହାରେ ୧୮:୨୫.୬ ସେକେଣ୍ଡ ସହ ରାଜ୍ୟ କୀର୍ତ୍ତିମାନ ନିଜ ନାମରେ କରିଥିଲେ। ଫଳରେ ୧୯ ବର୍ଷ ପରେ ସମ୍ସାଦ ଏହି କୀର୍ତ୍ତିମାନ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଏଥିସହିତ ପୂର୍ବରୁ ରାଜ୍ୟ ମିଟ୍ରେ ସ୍ଥାପନ ହୋଇଥିବା ୧୮:୧୮.୨ ସେକେଣ୍ଡ କୀର୍ତ୍ତିମାନକୁ ସମ୍ସାଦ ଅତିକ୍ରମ କରିାଯାଇଛନ୍ତି। ଗୁରୁବାର ଅନୁଷ୍ଠିତ ଏହି ଇଭେଣ୍ଟରେ ସମ୍ବଲପୁରର ହୀରା ମାଝୀ ୨୦:୪.୦ ସେକେଣ୍ଡ ସହ ଦ୍ୱିତୀୟ ଓ ଭୁବନେଶ୍ୱରର ଜୟନ୍ତୀ ସେଠୀ ୨୦:୧୧.୭ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହିଥିଲେ।
୧୬ ବର୍ଷରୁ କମ୍ ବାଳିକା ସଟ୍ ପୁଟରେ ମୟୁରଭଞ୍ଜର ବୁଧିନୀ ମାଝୀ ୧୦.୮୫ ମିଟର ସହ ପୂର୍ବ ମିଟ୍ କୀର୍ତ୍ତିମାନ ୧୦.୬୩ ମିଟରକୁ ଭାଙ୍ଗିପାରିଥିଲେ। ଏହି ଇଭେଣ୍ଟରେ ନେତ୍ରମଣି ସିଂହ ୧୦.୨୨ ମିଟର ସହ ଦ୍ୱିତୀୟ ଓ ଭୁବନେଶ୍ୱରର ପି.ଅର୍ପିତା ଅର୍ଚ୍ଚନା ସାହୁ ୯.୯୬ ମିଟର ସହ ତୃତୀୟ ସ୍ଥାନରେ ରହିଥିଲେ। ୧୬ ବର୍ଷରୁ କମ୍ ବାଳିକା ଜାଭେଲିନ୍ରେ କଟକର ଧନମତି ଖେସ୍ ୩୭.୦୫ ମିଟର ସହ ପ୍ରଥମ ସ୍ଥାନରେ ରହିଥିଲେ। ପୂର୍ବରୁ ୩୪.୪୫ ମିଟର ଏହି ମିଟ୍ର କୀର୍ତ୍ତିମାନ ରହିଥିଲାବେଳେ ଗୁରୁବାର ଧନମତି ତାହାକୁ ଭାଙ୍ଗିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡିର ମଂଜୁଳା ନାଗ୍ ୨୧.୦୫ ମିଟର ସହ ଦ୍ୱିତୀୟ ଓ ସୁନ୍ଦରଗଡ଼ର ରୁଚିତା ଲାକ୍ରା ୧୭.୯୦ ମିଟର ସହ ତୃତୀୟ ହୋଇଥିଲେ। ୧୪ ବର୍ଷରୁ କମ୍ ବାଳକ ୧୦୦ ମିଟର ଦୌଡ଼ରେ ବିଶ୍ୱରଂଜନ ବେହେରା, ଟ୍ରାଇଥଲନ୍ରେ ବିକ୍ରମ ଟୁନିକା, ୧୬ ବର୍ଷରୁ କମ୍ ବାଳକ ୧୦୦ ମିଟର ଦୌଡ଼ରେ ରାହୁଲ େଓ୍ଵଟେକା, ୮୦୦ମିଟର ଦୌଡ଼ରେ ରବି ଖୋରା, ୧୮ ବର୍ଷରୁ କମ୍ ବାଳକ ୧୦୦ ମିଟର ଦୌଡ଼ରେ ମନୋଜ ଓରାମ, ୮୦୦ ମିଟର ଦୌଡ଼ରେ ଦିଲ୍ଲୀପ ନାଏକ, ଲଙ୍ଗ ଜମ୍ପରେ ଚନ୍ଦନ ବେଟି, ଡିସ୍କସ୍ରେ ଗଙ୍ଗାଧର ମଡ଼କାମୀ, ୨୦ ବର୍ଷରୁ କମ୍ ବାଳକ ୧୦୦ ମିଟର ଦୌଡ଼ରେ ପ୍ରସନ୍ନଜୀତ କୁଜୁର, ୮୦୦ ମିଟର ଦୌଡ଼ରେ ସିମାଞ୍ଚଳ ରାଇତା, ୫୦୦୦ ମିଟର ଦୌଡ଼ରେ ଭୀମସେନ ଜାନକା, ଲଙ୍ଗ ଜମ୍ପରେ ସରୁନ୍ ପାୟସିଂହ, ଡିସ୍କସ୍ରେ ଅଭିଷେକ ପଣ୍ଡା, ୧୪ ବର୍ଷରୁ କମ୍ ବାଳିକା ୧୦୦ମିଟର ଦୌଡ଼ରେ ଜମୁନା ଟୁଡୁ, ଟ୍ରାଇଥଲନ୍ରେ ମାଧବୀ ନାଏକ, ସଟ୍ପୁଟ୍ରେ ଅଂଶିକା ରାଉତରାୟ, ୧୬ ବର୍ଷରୁ କମ୍ ବାଳିକା ୧୦୦ ମିଟର ଦୌଡ଼ରେ ଟିକିଲି କର୍ଜୀ, ୮୦୦ ମିଟର ଦୌଡ଼ରେ ସୁସ୍ମିତା ଟିଗା, ୧୮ ବର୍ଷରୁ କମ୍ ବାଳିକା ୧୦୦ ମିଟର ଦୌଡ଼ରେ ମନୀଷା ମେରେଲ୍, ୮୦୦ ମିଟର ଦୌଡ଼ରେ ବବିତା ସନ୍ତ, ହାଇଜମ୍ପରେ ମୋନିକା କୁଜୁର, ସଟ୍ପୁଟ୍ରେ ଇଭା ଡଙ୍ଗ, ଜାଭେଲିନ୍ରେ ଦୁଲି ସୋରେନ୍, ୨୦ ବର୍ଷରୁ କମ୍ ବାଳିକା ୧୦୦ ମିଟର ଦୌଡ଼ରେ ସଂଯୁକ୍ତା ମଲ୍ଲିକ, ୮୦୦ ମିଟର ଦୌଡ଼ରେ ଜୟନ୍ତୀ ବେହେରା, ୫୦୦୦ ମିଟର ଦୌଡ଼ରେ ରଶ୍ମିତା ମହାନ୍ତି, ଲଙ୍ଗ ଜମ୍ପ୍ରେ ଶୋଭା ରାଣୀ ତିର୍କୀ, ହାଇଜମ୍ପରେ ମାନିନୀ ମେହେର୍, ସଟ୍ପୁଟ୍ରେ ପ୍ରିୟଙ୍କା ଟପ୍ପୋ, ଜାଭେଲିନ୍ରେ କାର୍ମେଲା ବାର୍ଲା, ପୁରୁଷ ୧୦୦ ମିଟର ଦୌଡ଼ରେ ନିହାର ରଂଜନ ମହାନ୍ତି, ୮୦୦ ମିଟର ଦୌଡ଼ରେ ରୋଶନ ମିଞ୍ଜ, ୫୦୦୦ ମିଟର ଦୌଡ଼ରେ ଯୋଗେନ୍ଦ୍ର ତିରିଆ, ଲଙ୍ଗଜମ୍ପରେ ଆଶିଷ ପାତ୍ର, ଡିସ୍କସ୍ରେ ମନୋଜ କୁମାର ମହାରଣା, ମହିଳା ୧୦୦ ମିଟର ଦୌଡ଼ରେ ଦୂତି ଚାନ୍ଦ, ୮୦୦ ମିଟର ଦୌଡ଼ରେ ନମିତା ପ୍ରଧାନ, ଲଙ୍ଗଜମ୍ପରେ ସେକୁନ୍ତା କୁଲୁ, ହାଇଜମ୍ପରେ ଲତିକା ବାସ୍ରା, ସଟ୍ପୁଟ୍ରେ ଅପର୍ଣ୍ଣା ମହାନ୍ତି, ଜାଭେଲିନ୍ରେ ସ୍ୱାଗତିକା ଜେନା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଭାରତୀୟ ବେସ୍ବଲ୍ ମହାସଂଘ ସଭାପତି ପଙ୍କଜ ଲୋଚନ ମହାନ୍ତି, ଓଡ଼ିଶା ଦୌଡ଼କୁଦ ସଂଘ ସଭାପତି ଜଗମୋହନ ପଟ୍ଟନାୟକ, ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଅଢ଼େଇ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ମନ୍ତ୍ରୀ
ରାଜ୍ୟ ଦୌଡ଼କୁଦ ପାଇଁ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ ମୁଖ୍ୟ ଅତିଥି କରାଯାଇଥିଲା। ଦିନ ୧୧ଟାରେ ଉଦ୍ଘାଟନୀ ସମାରୋହ କରାଯିବା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ ଆଗୁଆ ସୂଚନା ବି ଦିଆ ଯାଇଥିଲା। ହେଲେ ମନ୍ତ୍ରୀ ନିର୍ଧାରିତ ସମୟରେ ପହଞ୍ଚିପାରିନଥିଲେ। ହେଲେ ଏହାର ଢେର ପୂର୍ବରୁ ଅର୍ଥାତ୍ ସାଢେ ୯ଟାରୁ ଖେଳାଳିମାନଙ୍କୁ ଉଦଘାଟନୀ ସ୍ଥଳରେ ଏକାଠି କରାଯାଇଥିଲା। ଦୀର୍ଘ ଅପେକ୍ଷା ପରେ ଷ୍ଟାଡିୟମକୁ ଆସିବା ପାଇଁ ୧୨ରୁ ୧୨.୩୦ ମିନିଟ୍ ହୋଇଯିବ ବୋଲି ମନ୍ତ୍ରୀ ଫୋନ୍ ଯୋଗେ ସଂଘର କର୍ମକର୍ତ୍ତାଙ୍କୁ ଜଣାଇଥିଲେ। ସେଥିପାଇଁ ମଧ୍ୟାହ୍ନ ବିରତୀ ଘୋଷଣା କରିଦିଆଯାଇଥିଲା। ଏପରିକି ୧୨ଟା ବେଳକୁ ଖେଳାଳିମାନେ ପୁଣି ଉଦ୍ଘାଟନୀ ସ୍ଥଳରେ ଏକାଠି ହୋଇଥିଲେ। ଶେଷରେ ମନ୍ତ୍ରୀ ଅପରାହ୍ନ ୧.୩୦ରେ ଷ୍ଟାଡିୟମରେ ପହଞ୍ଚିଥିଲେ। ଫଳରେ ଏଥିପାଇଁ ମୋଟ ୪ଘଣ୍ଟା ସମୟ ବିତିଥିଲାବେଳେ ପ୍ରତିଯୋଗିତା ପାଇଁ ୨ଘଣ୍ଟା ନଷ୍ଟ ହୋଇ ଯାଇଥିଲା। ସେଥିପାଇଁ ପ୍ରଥମ ଦିନରେ ସକାଳ ୭ରୁ ପ୍ରତିଯୋଗିତା ଆରମ୍ଭ ହୋଇଥିଲେ ବି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକାଧିକ ଇଭେଣ୍ଟ ଚାଲିଥିଲା। ହେଲେ ପୂର୍ବନିର୍ଧାରିତ କାର୍ଯ୍ୟପାଇଁ ମନ୍ତ୍ରୀ ମାତ୍ର ଘଣ୍ଟାଏ ବିଳମ୍ବରେ ଆସିଥିଲେ। ଆଗରୁ ଏହି ବିଷୟରେ ସେ ଜଣାଇ ଦେଇଥିଲେ ବୋଲି ସଂଘ ସଫେଇ ଦେଇଥିଲା।
ରାଜ୍ୟ କୀର୍ତ୍ତିମାନରୁ ଦୂତି ବଞ୍ଚିତ
ଅଲମ୍ପିଆନ୍ ଦୂତି ଚାନ୍ଦ ଅଳ୍ପକେ ରାଜ୍ୟ କୀର୍ତ୍ତିମାନରୁ ବଞ୍ଚିତ ହୋଇଛନ୍ତି। ମହିଳା ୧୦୦ ମିଟର ଦୌଡ଼ରେ ଦୂତି ୧୧.୬ ସେକେଣ୍ଡରେ ସ୍ୱର୍ଣ୍ଣ ପଦକ ପାଇଥିଲେ। ଫଳରେ ନୂତନ ରାଜ୍ୟ କୀର୍ତ୍ତିମାଠରୁ ସେ ମାତ୍ର .୨୭ ସେକେଣ୍ଡ ଦୂରରେ ରହିଯାଇଥିଲେ। ଗୁରବାର ଏହି ଇଭେଣ୍ଟରେ ତାଙ୍କ ପଛକୁ ବାଲେ୍ଵରର ଜୟଶ୍ରୀ ମୁଖୀ ୧୪.୩ ସେକେଣ୍ଡ ଓ କଟକର ଅନିତା ମହାପାତ୍ର ୧୪.୪ ସେକେଣ୍ଡ ସହ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ପାଇଛନ୍ତି।