ଗୁରୁଜିତଙ୍କ ହ୍ୟାଟ୍ରିକ୍‌: ସେମିରେ ଭାରତ

ମସ୍କଟ: ଏଠାରେ ଚାଲିଥିବା ମହିଳା ଏସିଆ କପ୍‌ ହକି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭାରତ ପହଞ୍ଚିଛି। ପୁଲ୍‌-ଏ’ର ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ହରାଇଥିବା ଭାରତ ଦ୍ବିତୀୟ ମ୍ୟାଚ୍‌ରେ ଜାପାନଠୁ ପରାସ୍ତ ହୋଇଥିଲା। ସୋମବାର ଶେଷ ପୁଲ୍‌ ମ୍ୟାଚ୍‌ରେ ଏହି ଦଳ ୯-୧ ଗୋଲ୍‌ରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ଫଳରେ ଭାରତ ୩ ମ୍ୟାଚ୍‌ରୁ ୨ ବିଜୟ ଓ ୧ ପରାଜୟରୁ ୬ ପଏଣ୍ଟ୍‌ ପାଇ ଜାପାନ୍‌ (୯ ପଏଣ୍ଟ୍‌) ପଛକୁ ଦ୍ବିତୀୟ ସ୍ଥାନରେ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ସେମିଫାଇନାଲ୍‌ରେ ଭାରତ ପୁଲ୍‌-ବି’ର ଶୀର୍ଷ ଦଳ ଦକ୍ଷିଣ କୋରିଆକୁ ଏବଂ ଜାପାନ ଦ୍ବିତୀୟ ଦଳ ଚୀନ୍‌କୁ ଭେଟିବ। ସୋମବାର ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ମୋନିକାଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହା ପରେ ବନ୍ଦନା କଟାରିୟା (୮ ମିନିଟ୍‌) ଓ ‌ଗୁରୁଜିତ କୌର (୮ ମିନିଟ୍‌) ‌ଆଉ ଦୁଇଟି ଗୋଲ୍‌ ଲଦି ଦେଇଥିଲେ। ଦଶମ ମିନିଟ୍‌ରେ ଓଡ଼ିଆ ଝିଅ ମାରିଆନା କୁଜୁର ଭାରତ ପାଇଁ ଚତୁର୍ଥ ଗୋଲ୍‌ କରିଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୪-୦ରେ ଆଗରେ ରହିଥିଲା। ତେବେ ଦ୍ବିତୀୟ କ୍ବାର୍ଟରରେ ଭାରତ ପକ୍ଷରୁ କେବଳ ମୋନିକା (୧୭ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ଏହି ଗୋଲ୍‌ ବଳରେ ଭାରତ ପ୍ରଥମାର୍ଦ୍ଧକୁ ୫-୦ରେ ଶେଷ କରିଥିଲା। ତୃତୀୟ କ୍ବାର୍ଟରରେ ଭାରତ ପାଇଁ ଗୁରଜିତ କୌର (୩୭ ମିନିଟ୍‌) ଓ ଜ୍ୟୋତି (୪୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲା ବେଳେ ସିଙ୍ଗାପୁରର ‌ଲି ମିନ୍‌ ତୋ (୪୩ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିଥିଲେ। ଚତୁର୍ଥ କ୍ବାର୍ଟ‌ରେ ଗୁରୁଜିତ (୪୮ ମିନିଟ୍‌) ହ୍ୟାଟ୍ରିକ ଅର୍ଜନ କରିଥିଲା ବେଳେ ଜ୍ୟୋତି (୫୮ ମିନିଟ୍‌) ଯୁଗଳ ସଫଳତା ପାଇବା ସହ ଦଳକୁ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର