ଗୁରୁକୁଳ ଆଇଟା-ଓଟିଏ ପ୍ରତିଯୋଗିତା: ଅଂଶୁଙ୍କୁ ପୁଣି ଏକକ ଟ୍ରଫି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ମେଣ୍ଢାଶାଳ ଗୁରୁକୁଳ ରିସର୍ଟ ଟେନିସ୍‌ କଂପ୍ଲେକ୍ସରେ ଅନୁଷ୍ଠିତ ଆଇଟା-ଓଟିଏ ପୁରୁଷ ୧ ଲକ୍ଷ ଟେନିସ୍‌ ପ୍ରତିଯୋଗିତାରେ ଓଡ଼ିଶାର ଅଂଶୁ କୁମାର ଭୂ୍ୟାଁ ବିଜେତା ହୋଇଛନ୍ତି। ସର୍ବଭାରତୀୟ ମାନ୍ୟତାର ୩୧ତମ ସ୍ଥାନରେ ତଥା ଏଠାରେ ଶୀର୍ଷ ମାନ୍ୟତାପ୍ରାପ୍ତ ଅଂଶୁ ଶନିବାର ଏକକ ବର୍ଗ ଫାଇନାଲ୍‌ରେ ସର୍ବଭାରତୀୟ ମାନ୍ୟତାର ୧୩୪ ତଥା ଏଠାରେ ତୃତୀୟ ମାନ୍ୟତାପ୍ରାପ୍ତ ପଶ୍ଚିମବଙ୍ଗ ତାରକା ଅର୍ଘ୍ୟ ଦାସଙ୍କୁ ସିଧାସଳଖ ୬-୩ ଓ ୬-୩ ସେଟ୍‌ରେ ପରାସ୍ତ କରିଦେଇଥିଲେ। ଏଥି ସହିତ ଓଡ଼ିଆ ପୁଅ ଅଂଶୁ କ୍ରମାଗତ ଦ୍ବିତୀୟ ଥର ପାଇଁ ଏହି ଟ୍ରଫି କରାୟତ କରିଛନ୍ତି। ବିଜେତା ଅଂଶୁ ୨୦ ଓ ଉପବିଜେତା ଅର୍ଘ୍ୟ ୧୫ ଆଇଟା ପଏଣ୍ଟ୍‌ ହାସଲ କରିଥିଲା ବେଳେ ଯଥାକ୍ରମେ ୧୨,୫୦୦ ଓ ୮୪୦୦ ଟଙ୍କାର ପୁରସ୍କାର ରାଶି ପକେଟସ୍ଥ କରିଛନ୍ତି। ପ୍ରତିଯୋଗିତାର ନିର୍ଦେଶକ ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତାର ରେଫରି ଯତୀନ ବସ୍ୟ, ଗୁରୁକୁଳ ରିସର୍ଟ ନିର୍ଦେଶକ ଚିନ୍ମୟ ପ୍ରଧାନ ଏବଂ ଓଟିଏ ପ୍ରବନ୍ଧକ ପ୍ରକାଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୧ ଭିନ୍ନ ଭିନ୍ନ ରାଜ୍ୟ (ପଶ୍ଚିମବଙ୍ଗ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଆୟୋଜକ ଓଡ଼ିଶା)ରୁ ମୋଟ ୪୭ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର