ଗୁରୁକୁଳରେ ଟେନିସ୍‌ ଟାର୍ଗେଟ୍‌-୩୦

ନିଖିଳ ଓଡ଼ିଶା ଗୁରୁକୁଳ ଓପନ୍‌ ୧୧ରୁ

ଭୁବନେଶ୍ୱର: ନୂଆ ଆଭିମୁଖ୍ୟ ନେଇ ପ୍ରତିଷ୍ଠିତ ଦେଶର ସର୍ବପ୍ରଥମ ଟେନିସ୍‌ ରିସର୍ଟସ୍‌ ‘ଗୁକୁକୁଳ ରିସର୍ଟସ’ ପକ୍ଷରୁ ନିଖିଳ ଓଡ଼ିଶା ଲନ୍‌ ଟେନିସ୍‌ ପ୍ରତିଯୋଗିତା ଆୟୋଜିତ ହୋଇଛି। ବର୍ଷ ସାରା ରହିବା ଏବଂ ଖେଳିବାର ଭିତ୍ତିଭୂମୀ ରଖିଥିବା ଏହି ଅଭିନବ ଅଭିଯାନର ପ୍ରଥମ ପ୍ରତିଯୋଗିତା ‘ଗୁରୁକୁଳ ଓପନ୍‌’ ନାମରେ ମେଣ୍ଢାଶାଳସ୍ଥିତ ରିସର୍ଟସ୍‌ର ୩ ସିନ୍ଥଟିକ୍‌ କୋର୍ଟରେ ଜାନୁଆରି ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଶୀର୍ଷ ସ୍ଥାନୀୟ ଖେଳାଳିଙ୍କ ସହ ପ୍ରାୟ ୩୦୦ ଜଣ ଭାଗନେବେ ବୋଲି ଆୟୋଜକ ରାଜ୍ୟର ଏକ ନମ୍ବର ଖେଳାଳି ଚିନ୍ମୟ ପ୍ରଧାନ ଆଶା ପ୍ରକାଶ କରିଛନ୍ତି। ମୋଟ ୫୦,୦୦୦ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ୮ଟି ବର୍ଗରେ ଖେଳାଯିବ। ପୁରୁଷ ଏକକ, ଯୁଗଳ, ମିଶ୍ରିତ ଯୁଗଳ, ମହିଳା ଏକକ, ୧୪ ବର୍ଷରୁ କମ୍‌ ବାଳକ ଓ ବାଳିକା ଏବଂ ୩୫ ଓ ୪୫ ବର୍ଷରୁ ଊର୍ଧ୍ୱ ଭେଟେରାନ୍‌ ଯୁଗଳ। ସୂଚନାଯୋଗ୍ୟ, ପୂର୍ବରୁ ଗୁରୁକୁଳ ଟେନିସ୍‌ ଏକାଡେମି ପକ୍ଷରୁ ୫ଟି ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜନ ହୋଇ ସାରିଛି। କିନ୍ତୁ ରିସର୍ଟସ ପ୍ରତିଷ୍ଠା ପରେ ଏହା ରାଜ୍ୟ ଟେନିସ୍‌ର ଏକ ନୂଆ ଆରମ୍ଭର ସୂତ୍ରଧର ହେବାକୁ ଯାଉଛି।

ବର୍ଷକୁ ୩୦: ଦେଶର ସର୍ବପ୍ରଥମ ଟେନିସ୍‌ ରିସର୍ଟସର ଦାବି କରୁଥିବା ଗୁରୁକୁଳରେ ରହିଛି ୩ଟି ଡେକୋ ଟର୍ଫ କୋର୍ଟ, ଫ୍ଲଡଲାଇଟ୍‌, ରୋସ୍ତୋରାଁ, କାଫେଟେରିଆ, ଡର୍ମିଟୋରି ଶଯ୍ୟା ଏବଂ ୩ ଶଯ୍ୟା ବିଶିଷ୍ଟ ୧୦ ବଖରା ଘର। ଏକ ଜିମ୍ନାସିୟମ୍‌ ମଧ୍ୟ ଉପଲବଧ। ରାଜଧାନୀର ଉପକଣ୍ଠର ପ୍ରାକୃତିକ ଶୋଭାରାଜି ପରିବେଶ ଭିତରେ ୧.୪୫ ଏକର ଜାଗା ଉପରେ ପ୍ରତିଷ୍ଠିତ ଏହି ରିସର୍ଟସ ରହିଛି ନଡ଼ିଆ ଓ ଆମ୍ବଗଛ ଘେରରେ। ରାଜ୍ୟର ପୂର୍ବତନ ଏକ ନମ୍ବର ଖେଳାଳି ସନ୍ତୋଷ କୁମାର ମଲ୍ଲିକଙ୍କ ମାନସପୁତ୍ର ଭାବେ ତାଙ୍କ ଦ୍ୱାରା ପୂର୍ବରୁ ପ୍ରତିଷ୍ଠିତ ୩ କ୍ଲେ କୋର୍ଟକୁ ପୁନଃରୁଦ୍ଧାର କରାଯିବା ପରେ ଏବେ ନୂଆ ରୂପରେ ଉଭା ହୋଇଛି ଏହି ଟେନିସ୍‌ କମ୍ପ୍ଲେକ୍ସ। ଡାକ୍ତର ଜ୍ୟୋସ୍ନାମୟୀ ନାୟକ, ଡାକ୍ତର ପ୍ରତାପ କୁମାର ପ୍ରଧାନଙ୍କ ସହଯୋଗରେ ଏଥିରେ ସିନ୍ଥେଟିକ୍‌ କୋର୍ଟ ପୁନଃ ବିଛାଯାଇଛି। ଉପଦେଷ୍ଠା ପ୍ରଦୀପ ପ୍ରଧାନ ଏବଂ ଈତିଶ୍ରୀ ପ୍ରଧାନଙ୍କ ସମ୍ପୃକ୍ତି ଏହି ରିସର୍ଟସକୁ ନୂଆ ଦିଶା ଦେଇଛି। ବର୍ଷକୁ ଆମେ ଏଠାରେ ୩୦ଟି ପ୍ରତିଯୋଗିତା ଆୟୋଜନ କରି ରାଜ୍ୟର ଖେଳାଳିମାନଙ୍କୁ ପର୍ଯ୍ୟାନ୍ତ ନିରଂତର ସୁଯୋଗ ଦେବୁ ବୋଲି କହିଛନ୍ତି ଚିନ୍ମୟ। ଟେନିସ୍‌ର ପ୍ରଚାର ଓ ପ୍ରସାର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ ଶ୍ରୀ ପ୍ରଧାନ। ରାଜ୍ୟ ଟେନିସ୍‌କୁ ଅଧିକ ଗତିଶୀଳ କରିବା ଏବଂ ଖେଳାଳିଙ୍କୁ ନିଜ ରାଜ୍ୟ ଭିତରେ ଅଭିଜ୍ଞତା ବଢ଼ାଇବାର ସୁଯୋଗ ‘ଗୁରୁକୁଳ ରିସର୍ଟସ’ ଦେବ ବୋଲି କହିଥିଲେ ଖେଳାଳିରୁ ପ୍ରଶିକ୍ଷକ ବନିଥିବା ସନ୍ତୋଷ ମଲ୍ଲିକ। ପୂର୍ବରୁ ସେଠାରେ ଥିବା ଗୁରୁକୁଳ ଟେନିସ୍‌ ଏକାଡେମି ରିସର୍ଟସ ପରିସରରେ ରହିବ ବୋଲି କହିଥିଲେ ଏହାର ନିର୍ଦେଶକ ଦାୟିତ୍ୱ ତୁଲାଉଥିବା ଶ୍ରୀ ମଲ୍ଲିକ। ବର୍ଷର ବର୍ଷା ୩ ମାସକୁ ଛାଡ଼ିଦେଲେ ଆମେ ଅବଶିଷ୍ଟ ୯ ମାସର ୩୬ ସପ୍ତାହରେ ୩୦ ପ୍ରତିଯୋଗିତା ରହିଛି। ଏହା ମଧ୍ୟରେ ଜାତୀୟ କନିଷ୍ଠ ସର୍କିଟର ପ୍ରତିଯୋଗିତା ସହିତ ୧୫ଟି ୫୦କେ ଏବଂ ୩ଟି ନିଖିଳ ଓଡ଼ିଶା ଓପନ୍‌ ପ୍ରତିଯୋଗିତା ରହିବ ବୋଲି ସୂଚନା ଦେଇଥିଲେ ଶ୍ରୀ ମଲ୍ଲିକ।

ସମ୍ବନ୍ଧିତ ଖବର