ନୂଆଦିଲ୍ଲୀ : ମଣିପୁରର ଜ୍ଞାନେନ୍ଦ୍ର ନିଙ୍ଗୋମବାମ ଶୁକ୍ରବାର ବିନା ପ୍ରତିଦ୍ବନ୍ଦ୍ବିତାରେ ହକି ଇଣ୍ଡିଆ ସଭାପତି ନିର୍ବାଚିତ ହୋଇଛନ୍ତି। ସେ ମହମ୍ମଦ ମୁସ୍ତାକ ଅହମ୍ମଦଙ୍କଠୁ ଦାୟିତ୍ବ ଗ୍ରହଣ କରିବେ। ହକି ଇଣ୍ଡିଆର ମୁଖ୍ୟ ପଦ ଗ୍ରହଣ କରିବାରେ ଜ୍ଞାନେନ୍ଦ୍ର ଉତ୍ତର ପୂର୍ବାଞ୍ଚଳର ପ୍ରଥମ ବ୍ୟକ୍ତି ହୋଇଛନ୍ତି। ସେ ଦୁଇ ବର୍ଷ ଲାଗି ଏହି ପଦରେ ରହିବେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଜ୍ଞାନେନ୍ଦ୍ର ମଣିପୁର ହକିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ଉତ୍ତର ପୂର୍ବାଞ୍ଚଳରେ ହକିର ବିକାଶ ଲାଗି ସେ ତୃଣମୂଳସ୍ତରରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ।
ଅନ୍ୟପକ୍ଷରେ ଜାତୀୟ କ୍ରୀଡ଼ା ନୀତି ଅନ୍ତର୍ଗତ କାର୍ଯ୍ୟକାଳ ନିୟମାବଳୀ ଉଲଂଘନ ଅଭିଯୋଗରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ମହମ୍ମଦ ମୁସ୍ତାକ ଅହମ୍ମଦ ପଦଚ୍ୟୁତ ହୋଇଥିଲେ ମଧ୍ୟ ହକି ଇଣ୍ଡିଆ କଂଗ୍ରେସ ଏବଂ ଏଥର ନିର୍ବାଚନରେ ନିର୍ବିବାଦରେ ବରିଷ୍ଠ ଉପସଭାପତି ପଦ ପାଇଁ ନିର୍ବାଚିତ ହୋଇଥିବାରୁ ଫେଡେରେସନ୍ରେ ସ୍ଥାନ ବଜାୟ ରଖିବେ। ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଜ୍ଞାନେନ୍ଦ୍ରଙ୍କୁ ଏବଂ ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟନିର୍ବାହୀ ସମିତିକୁ ଫେରିଥିବାରୁ ଅହମ୍ମଦଙ୍କୁ ହକି ଇଣ୍ଡିଆ ପକ୍ଷରୁ ମହାସଚିବ ରାଜୀନ୍ଦର ସିଂହ ଅଭିନନ୍ଦନ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Hockey-India.jpg)